ନୂଆଦିଲ୍ଲୀ: ଫେଡେରେସନ୍ ଇଣ୍ଟରନ୍ୟାସନାଲ୍ ଡି ଫୁଟବଲ୍ ଆସୋସିଏସନ୍ (ଫିଫା)୨୦୨୬ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଆମେରିକା,କାନାଡା ଓ ମେକ୍ସିକୋ ଏହି ବିଶ୍ୱକପକୁ ହୋଷ୍ଟିଂ କରିବେ। ଫୁଟବଲ୍ ୱାର୍ଲଡକପ୍ ଇତିହାସର ଏହା ସବୁଠୁ ବଡ଼ ୱାର୍ଲଡ କପ ବୋଲି କୁହାଯାଉଛି। ଏହା ପ୍ରଥମ ଥର ଯେତେବେଳେ କୌଣସି ୱାର୍ଲଡ କପରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳାଯିବ। ଏହି ୧୦୪ ମ୍ୟାଚ୍ ହୋଷ୍ଟିଂ ଲାଗି ୧୬ ଷ୍ଟାଡିୟମ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଓପନିଂ ମ୍ୟାଚ୍ ମେକ୍ସିକୋ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଖେଳାଯିବ।

ଭାରତୀୟ ସମୟ ଅନୁସାରେ ୧୨ ଜୁନ ମଧ୍ୟରାତ୍ର (୧୨.୩୦)ରେ ଏହି ମ୍ୟାଚ୍ ମେକ୍ସିକୋ ସିଟି ଷ୍ଟାଡିୟମରେ ଆରମ୍ଭ ହେବ। ଏହି ଷ୍ଟାଡିୟମ ବ୍ୟତୀତ ଅନ୍ୟ ୧୫ଟି ଷ୍ଟାଡିୟମରେ ମଧ୍ୟ ମ୍ୟାଚ୍ ଖେଳାଯିବ। ବିଶ୍ୱ କପରେ ସାମିଲ ପ୍ରତ୍ୟେକ ଷ୍ଟାଡିୟମର ନିଜର ଏକ ବିଶେଷତା ଅଛି। ତେବେ ଆସନ୍ତୁ ଜାଣିବା କ’ଣ ଏହି ଷ୍ଟାଡିୟମମାନଙ୍କ ବିଶେଷତା।

ମେଟଲାଇଫ ଷ୍ଟାଡିୟମ
ନ୍ୟୁୟର୍କର ମେଟଲାଇଫ ଷ୍ଟାଡିୟମ ଦୁଇଥର ଫିଫା ୱାର୍ଲଡ କପ୍ ଫାଇନାଲ ଆୟୋଜନ କରିଛି। ଜୁଲାଇ ୧୯ରେ ମଧ୍ୟ ଏଠାରେ ତୃତୀୟ ଫାଇନାଲ ଖେଳାଯିବ। ସାଧାରଣତଃ ଏହା ସିନ୍ଥିଟିକ୍ ଟର୍ଫର ତେବେ ଫିଫା ୱାର୍ଲଡ କପ ପାଇଁ ଏହାକୁ ସ୍ୱତନ୍ତ୍ର ରୂପେ ପ୍ରାକୃତିକ ଘାଷ ପଡିଆରେ ରୂପାନ୍ତରିତ କରାଯାଇଛି। ଏହି ଷ୍ଟାଡିୟମରେ ଏକକାଳୀନ ୮୨୫୦୦ ଦର୍ଶକ ବସି ମ୍ଯାଚ୍ ର ଆନନ୍ଦ ନେଇ ପାରିବେ।

ବିସି ପ୍ଲେସ୍
ଆଟଲାଣ୍ଟାସ୍ଥିତ ଏହି ଷ୍ଟାଡିୟମର ଛାତ ଘୁରୁଥାଏ। ଏହି ଷ୍ଟାଡିୟମର ନିର୍ମାଣ ରୋମାନ ପ୍ୟାନ୍ଥିୟନରୁ ପ୍ରେରିତ। ଏହାର ୮ ବିଶାଳ ପାଖୁଡା ଖୋଲୁଥାଏ ଓ ବନ୍ଦ ହେଉଥାଏ। ଏଥିରୁ କ୍ୟାମେରା ସଟର ଭଳି ଦୃଶ୍ୟ ପ୍ରସ୍ତୁତ କରିଥାଏ। ଏଠାରେ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଷ୍ଡାଡିୟମର ଦର୍ଶକ କ୍ଷମତା ପ୍ରାୟ ୭୧ ହଜାର।

ଏଟି ଆଣ୍ଡ ଟି
ଡଲାସସ୍ଥିତ ଏହି ଷ୍ଟାଡିୟମ ଦର୍ଶକ କ୍ଷମତା ଦୃଷ୍ଟିରୁ ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ଼ ଷ୍ଟାଡିୟମ। ଏହି ଷ୍ଟାଡିୟମର ଆକାର ଏତେ ବଡ଼ ଯେ ଏହା ଛାତ ତଳେ ଷ୍ଟାଚ୍ୟୁ ଅଫ ଲିବର୍ଟି ତା ବେସ୍ ସହିତ ରହିଯିବ। ଏହି ଷ୍ଟାଡିୟମରେ ଏକକାଳୀନ ୯୪ ହଜାର ଦର୍ଶକ ବସି ମ୍ୟାଚ୍ ର ମଜା ନେଇ ପାରିବେ।

ଏରୋଜହେଡ୍
କାନସାସ୍ ସିଟିରେ ଥିବା ଏହି ଷ୍ଟାଡିୟମର ନାମ ବିଶ୍ୱର ସବୁଠୁ କୋଳାହଳମୟ ଆଉଟଡୋର ଷ୍ଟାଡିୟମର ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ୨୦୧୪ ମସିହାରେ ଏହି ଷ୍ଟାଡିୟମରେ ୧୪୨/୨ ଡେସିବଲ ସାଉଣ୍ଡ ରେକର୍ଡ ହୋଇଥିଲା, ଯାହା ଜେଟ୍ ବିମାନର ଟେକଅଫ ବେଳେ ଯେଉଁ ଶବ୍ଦ ବାହାରିଥାଏ ତା ସହ ସମାନ। ଏହି ଷ୍ଟାଡିୟମରେ ୭୬ ହଜାର ଦର୍ଶକ ବସି ମ୍ୟାଚ୍ ଦେଖି ପାରିବେ।

ଲ୍ୟୁମେନ ଫିଲ୍ଡ
ୱାସିଂଟନ ରାଜ୍ୟରେ ଥିବା ଏହି ଷ୍ଟାଡିୟମର ଆକାର ଠିକ୍ ଏକ ଘୋଡ଼ ନାଲ (ହର୍ସ ସୁ) ଭଳି। ଏହାର ନିର୍ମାଣ ଶୈଳୀ ଏପରି ଯେ ଦର୍ଶକଙ୍କ କୋଳାହଳ ପଡିଆକୁ ଶୁଣାଯାଇଥାଏ, ଯାହା ବିରୋଧୀ ଟିମ୍ ଉପରେ ଚାପ ସୃଷ୍ଟିକରେ। ଏହାକୁ ଏପରି ଡିଜାଇନ କରାଯାଇଛି ଯେ ଦର୍ଶକଙ୍କ କୋଳାହଳ ପଡିଆକୁ ଆନ୍ଦୋଳିତ କରେ। ଏହି ଷ୍ଟାଡିୟମରେ ଏକକାଳୀନ ୬୯ ହଜାର ଦର୍ଶକ ବସି ମ୍ୟାଚ୍ ର ମଜା ନେଇ ପାରିବେ।

ଜିଲେ୍ଟ୍ ଷ୍ଟାଡିୟମ
ଏହି ଷ୍ଟାଡିୟମ ୨୦୦୨ ମସିହାରେ ଉଦଘାଟନ ହୋଇଥିଲା। ଏହାର ପୁରୁଣା ନାମ ସିଏମଜିଆଇ ଫିଲ୍ଡ ଥିଲା। ଏଠାରେ କ୍ୱାର୍ଟର ଫାଇନାଲ ସମେତ ମୋଟ ୭ଟି ମ୍ୟାଚ୍ ଖେଳାଯିବ। ଏଠାରେ ମ୍ୟାଚ୍ ଦିନ ଗୁଡିକ ଏକ ଛୋଟ ସହରର ରୂପ ଧାରଣ କରିବ। ଏଠାରେ ଥିବା ଏକ ଲାଇଟ୍ ହାଉସ୍ ଷ୍ଟାଡିୟମର ୩୬୦ ଡିଗ୍ରି ଭ୍ୟୁ ଦେଇଥାଏ। ଏହି ଷ୍ଟାଡିୟମରେ ଏକକାଳୀନ ୬୪ ହଜାର ଦର୍ଶକ ବସି ପାରିବେ।

ବିଏମଓ ଫିଲ୍ଡ
ଟୁର୍ଣ୍ଣାମେଣ୍ଟର ଏହା ସବୁଠୁ ଛୋଟ ଷ୍ଟାଡିୟମ ଓ ଏହା କାନାଡାର ଟୋରଣ୍ଟୋ ସହରରେ ରହିଛି। ଏହି ଷ୍ଟାଡିୟମକୁ ୨୦୦୭ ମସିହାରେ ଖୋଲା ଯାଇଥିଲା। ଟୁର୍ଣ୍ଣାମେଣ୍ଟର ଆବଶ୍ୟକତା ପୂରଣ କରିବାକୁ ଏଠାରେ ଅସ୍ଥାୟୀ ଷ୍ଟାଣ୍ଡ ଯୋଡି ଦର୍ଶକ କ୍ଷମତା ବଢାଯିବ। ଏହା ଟୋରଣ୍ଟୋର ଐତିହାସିକ ଏଗଜିବିସନ ପ୍ଲେସ୍ ପରିସରରେ ରହିଛି। ଏହି ଷ୍ଟାଡିୟମର କ୍ଷମତା ପ୍ରାୟ ୪୫ ହଜାର ଦର୍ଶକ ବୋଲି ଜଣାପଡିଛି।

ଲିଂକନ ଫିଲ୍ଡ
ଫିଲାଡେଲଫିୟାରେ ଥିବା ଏହି ଷ୍ଟାଡିୟମ ‘ଦି ଲିଂକ’ନାମରେ ମଧ୍ୟ ପ୍ରସିଦ୍ଧ। ଏଠାରେ ୧୧ ହଜାରରୁ ଅଧିକ ସୋଲାର ପ୍ୟାନେଲ ଓ ୧୪ଟି ୱିଣ୍ଡ ଟର୍ବାଇନ ଲାଗିଛି। ୨୦୦୩ ମସିହାରେ ଖୋଲାଯାଇଥିବା ଏହି ଷ୍ଟାଡିୟମ ଦର୍ଶକଙ୍କ ଲାଗି ବଢିଆ ଭ୍ୟୁଇଙ୍ଗ ଆଙ୍ଗେଲ ଲାଗି ଜଣାଯାଏ। ଏହି ଷ୍ଟାଡିୟମର ଦର୍ଶକ କ୍ଷମତା ପାଖାପାଖି ୬୯ ହଜାର।

ହାର୍ଡରକ୍
ମିୟାମିରେ ଥିବା ଏହି ଷ୍ଟାଡିୟମରେ ଅନେକ ବଡ଼ କନସର୍ଟ ଅନୁଷ୍ଠିତ ହୋଇଛି। ଏଠାରେ କ୍ୱାର୍ଟରଫାଇନାଲ ସମେତ ତୃତୀୟ ସ୍ଥାନ ଲାଗି ପ୍ଲେଅଫ ସହ ମୋଟ ୭ଟି ମ୍ୟାଚ୍ ଖେଳାଯିବ। ଏହି ଷ୍ଟାଡିୟମର ଚତୁପାର୍ଶ୍ୱରେ ଫର୍ମୂଲା-ୱାନ୍ ରେସିଂ ଟ୍ରାକ୍ ରହିଛି। ଏଥିରେ ମିଆଁମି ଗ୍ରାଣ୍ଡ ପ୍ରିକ୍ସ ଅନୁଷ୍ଠିତ ହୁଏ। ଏହି ଷ୍ଟାଡିୟମର କ୍ଷମତା ପ୍ରାୟ ୬୫ ହଜାର।

Also Read..FIFA ୱାର୍ଲଡକପ୍ , ୧୯୦ କୋଟି ଟଙ୍କାର ଟ୍ରଫି ଜାଣନ୍ତୁ ଖାସ କାହିଁକି?

ଏଷ୍ଟଡିୟୋ ବିବିଭିଏ
ମେକ୍ସିକୋର ମଣ୍ଟେରୀରେ ଥିବା ଏହାର ଅନନ୍ୟ ସ୍ଥାପତ୍ୟ ଯୋଗୁ ବିଶ୍ୱ ପ୍ରସିଦ୍ଧ। ଏହାକୁ ଲୌହ ଦୈତ୍ୟ ନାମରେ ମଧ୍ୟ ଜଣାଯାଏ। ଏହି ଷ୍ଟାଡିୟମରେ ବସି ଦର୍ଶକ ସିରୋ ଦେ ଲା ସିଲା ପର୍ବତମାଳାର ଦୃଶ୍ୟ ମଧ୍ୟ ଦେଖି ପାରିବେ। ଏହି ଷ୍ଟାଡିୟମର କ୍ୟାଣ୍ଟି ଲିଭର ଛାତ ହିଁ ଏହାର ସବୁଠୁ ବଡ଼ ଆକର୍ଷଣ। ଏହି ଛାତ ସୂର୍ଯ୍ୟଙ୍କ କିରଣକୁ ସିଧା ଷ୍ଟାଡିୟମରେ ପଡିବାକୁ ଦିଏନି। ଏହି ଷ୍ଡାଡିୟମରେ ଏକକାଳୀନ ୫୩ ହଜାର ୫୦୦ ଦର୍ଶକ ବସି ପାରିବେ।

ଏନଆରଜି
ହ୍ୟୁଷ୍ଟନ ସ୍ଥିତ ଏହି ଷ୍ଟାଡିୟମ ୨୦୦୨ ମସିହାରେ ଖୋଲିଥିଲା। ଏଠାରେ ପୂର୍ବରୁ ଖୋଲି ହେବା ଓ ବନ୍ଦ କରିହେବା ଭଳି ଛାତ ଲଗାଯାଇଥିଲା। ଏହି ଷ୍ଟାଡିୟମ ଗୃହପାଳିତ ପଶୁ ମେଳା ଲାଗି ବିଶ୍ୱ ପ୍ରସିଦ୍ଧ। ଏଠାରେ ବାଛୁରୀଙ୍କୁ ରଶିରେ ଧରିବା, ଜଙ୍ଗଲୀ ଘୋଡ଼ସବାରୀ, ଷଣ୍ଢଙ୍କୁ କାବୁ କରିବା ଭଳି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥାଏ। ଏହି ଷ୍ଟାଡିୟମରେ ଏକକାଳୀନ ୭୨ ହଜାର ଦର୍ଶକ ବସି ପାରିବେ।

ସୋଫି
ଲସଏଞ୍ଜେଲସ୍ ରେ ଥିବା ଏହି ଷ୍ଟାଡିୟମ ଏହାର ନିର୍ମାଳ ଶୈଳୀ ପାଇଁ ପ୍ରସିଦ୍ଧ। ଏହା ବିଶ୍ୱର ସବୁଠୁ ମହଙ୍ଗା ଷ୍ଟାଡିୟମ ହୋଇଥିବା ବେଳେ ଏୟାରପୋର୍ଟ ଲ୍ୟାଣ୍ଡିଂ ରୁଟ ତଳେ ଥିବାରୁ ମାଟିରୁ ୧୦୦ ଫୁଟ ତଳକୁ ଖୋଳି ନିର୍ମାଣ କରାଯାଇଛି। ଏହି ଷ୍ଟାଡିୟମ ୬ ବର୍ଷ ପୂର୍ବେ ଅର୍ଥାତ ୨୦୨୦ ମସିହାରେ ଉଦଘାଟନ ହୋଇଥିଲା। ଏହି ଷ୍ଟାଡିୟମରେ ୭୦ ହଜାର ଦର୍ଶକ ବସିବାର ବ୍ୟବସ୍ଥା ରହିଛି।

ଏଷ୍ଟାଡିୟୋ ଏକ୍ରନ
ଗ୍ୱାଡଲାହାରରେ ଏହି ଷ୍ଟାଡିୟମକୁ ଆଗ୍ନେୟଗିରି ଆକାରରେ ନିର୍ମାଣ କରାଯାଇଛି। ଏହା ଦୂରରୁ ପ୍ରାକୃତିକ ପାହାଡ ପରି ଦେଖାଯାଏ। ଷ୍ଟାଡିୟମର ବାହ୍ୟ ଭାଗ କେବଳ କଂକ୍ରିଟରେ ତିଆରି ହୋଇଛି। ଏହି ଷ୍ଟାଡିୟମରେ ଏକକାଳୀନ ୪୮ ହଜାର ଦର୍ଶକ ବସି ମ୍ୟାଚ୍ ଉପଭୋଗ କରିପାରିବେ।

ଏଷ୍ଟାଡିୟୋ ଏଜଟେକା
ମେକ୍ସିକୋ ସିଟିର ଏହା ପ୍ରଥମ ଷ୍ଟାଡିୟମ ଯେଉଁଠି ୩ ଅଲଗା ଅଲଗା ଫିଫା ୱାର୍ଲଡ କପ୍ (୧୯୭୦, ୧୯୮୬ ଓ ୨୦୨୬) ଆୟୋଜିତ କରିବ। ୧୯୭୦ ମସିହାରେ ଏଠାରେ ପେଲେ ଓ ୧୯୮୬ରେ ମାରାଡୋନା ବିଶ୍ୱକପ୍ ଟ୍ରଫି ଉଠାଇଛନ୍ତି। ସମୁଦ୍ର ପତନରୁ ପାଖାପାଖି ୭,୨୦୦ ଫୁଟ ଉଚ୍ଚତାରେ ଥିବା ଏହି ଷ୍ଟାଡିୟମରେ ଏକକାଳୀନ ୮୩ ହଜାର ଦର୍ଶକ ବସି ମ୍ୟାଚ୍ ଦେଖିପାରିବାର ବ୍ୟବସ୍ଥା ରହିଛି।

ଲିଭାଇସ୍ ଷ୍ଟାଡିୟମ
ସିଲିକନ ଭେଲି କେନ୍ଦ୍ରରେ ଥିବା କାରଣରୁ ଏହି ଷ୍ଟାଡିୟମ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ। ଏହାକୁ ଗ୍ରୀନ ଷ୍ଟାଡିୟମ ଭାବେ ଡିଜାଇନ କରାଯାଇଛି। ଏହା ପୂର୍ବରୁ ଆମରିକାର ସବୁଠୁ ବଡ଼ ଖେଳ ଷ୍ଟାଡିୟମ ଥିଲା। ଯାହା ନିର୍ମାଣ ସମୟରେ ଗୋଲ୍ଡ ଗ୍ରୀନ ବିଲ୍ଡିଂ ସାର୍ଟିଫିକେସନ ହାସଲ କରିଛି।

କାହିଁକି ଖାସ ୱାର୍ଲଡ କପ୍ ୨୦୨୬
ଏପରି ପ୍ରଥମ ଥର ହେବ ଯେବେ ଫିଫା ବିଶ୍ୱ କପ୍ ର ଆୟୋଜକ ଏକକାଳୀନ ୩ଟି ଦେଶ ହେବେ। ଏହା ଛଡା ଏହି ବିଶ୍ୱ କପ୍ ରେ ୪୮ଟି ଦେଶର ଟିମ୍ ଖେଳିବେ। ଏହା ପୂର୍ବରୁ କତାର ୨୦୨୨ରେ ମୋଟ ୩୨ଟି ଟିମ୍ ଖେଳିଥିଲେ। ମେକ୍ସିକୋ ସିଟିର ପ୍ରସିଦ୍ଧ ଏଜଟେକା ଷ୍ଟାଡିୟମ ୩ ଅଲଗା ଅଲଗା ବିଶ୍ୱକପରେ ମ୍ୟାଚ ହୋଷ୍ଟ କରିବାର ପ୍ରଥମ ଷ୍ଟାଡିୟମ ହେବ। ଏଠାରେ ୧୯୭୦, ୧୯୮୬ ବିଶ୍ୱକପ୍ ଫାଇନାଲ ଖେଳାଯାଇଥିଲା। ତେବେ ଫାଇନାଲ ମ୍ୟାଚ୍ ନ୍ୟୁଜର୍ସିର ମେଟଲାଇଫ ଷ୍ଟାଡିୟମରେ ଖେଳାଯିବ। ବିଶ୍ୱକପ ଫାଇନାଲ ହାଫ ଟାଇମରେ ଏକ ବଡ଼ ମ୍ୟୁଜିକାଲ ପରଫର୍ମାନ୍ସ ପାଇଁ ଫିଫା ଯୋଜନା କରୁଛି।

କେଉଁଠି ଦେଖିବେ ମ୍ୟାଚ୍
ଭାରତରେ ଫିଫା ୱାର୍ଲଡ କପର ସବୁ ମ୍ୟାଚ୍ ‘ଜି’ ସ୍ପୋର୍ଟସ ଚ୍ୟାନେଲ ଏବଂ ଓଟିଟି ପ୍ଲାଟଫର୍ମ ଜି-୫ରେ ଦେଖାଯିବ। ଏଥି ପାଇଁ ଦର୍ଶକଙ୍କୁ କିଛି ନା କିଛି ଖର୍ଚ୍ଚ କରିବାକୁ ପଡିବ। ତେବେ ଟୁର୍ଣ୍ଣାମେଣ୍ଟର ୮ଟି ବଡ଼ ମ୍ୟାଚ୍ ଭାରତୀୟ ଫ୍ୟାନସ୍ ଫ୍ରିରେ ଦେଖି ପାରିବେ। ଏଥିରେ ଟୁର୍ଣ୍ଣାମେଣ୍ଟର ଓପନିଂ ମ୍ୟାଚ୍, ୪ କ୍ୱାର୍ଟରଫାଇନାଲ ମ୍ୟାଚ୍, ୨ ସେମିଫାଇନାଲ ମ୍ୟାଚ୍ ରହିବ। ଏହି ମ୍ୟାଚ୍ ଗୁଡିକ ଡିଡି ସ୍ପୋର୍ଟସ ଚ୍ୟାନେଲରେ ମଧ୍ୟ ପ୍ରସାରଣ କରାଯିବ। ଏହା ଛଡା ଫିଫା ୱାର୍ଲଡ କପର ଲାଇଭ ଷ୍ଟ୍ରିମିଂ ଜି-୫ଆପ୍ ଏବଂ ୱେବସାଇଟ ରେ ମଧ୍ୟ ହେବ।

Also Read..ଏକ ଯୁଗର ଅନ୍ତ; ମେସିଙ୍କ ଠାରୁ ରୋନାଲ୍ଡୋ, ୧୩ ଜଣ ଫୁଟବଲ୍ କିମ୍ବଦନ୍ତୀଙ୍କ ହୋଇପାରେ ଶେଷ ବିଶ୍ୱକପ୍

FIFA ଗ୍ରୁପ ଷ୍ଟେଜ୍ ସିଡ୍ୟୁଲ

  • ୧୨ ଜୁନ, ମେକ୍ସିକୋ ବନାମ ଦକ୍ଷିଣ ଆଫ୍ରିକା ପ୍ରାତଃ ୧୨.୩୦ ମିନିଟ୍
  • ୧୨ ଜୁନ, ଦକ୍ଷିଣ କୋରିଆ ବନାମ ଚେକ୍ ଗଣରାଜ୍ୟ ପ୍ରାତଃ ୭.୩୦ ମିନିଟ୍
  • ୧୩ ଜୁନ, କାନାଡା ବନାମ ବୋସ୍ନିୟା-ହର୍ଜେଗୋଭିନା ପ୍ରାତଃ ୧୨.୩୦ ମିନିଟ୍
  • ୧୩ ଜୁନ, ଆମେରିକା ବନାମ ପାରାଗ୍ୱେ ପ୍ରାତଃ ୬.୩୦ ମିନିଟ୍
  • ୧୪ ଜୁନ, କତାର ବନାମ ସ୍ୱିଜରଲ୍ୟାଣ୍ଡ ପ୍ରାତଃ ୧୨.୩୦ ମିନିଟ୍
  • ୧୪ ଜୁନ, ବ୍ରାଜିଲ ବନାମ ମରକ୍କୋ ପ୍ରାତଃ ୩.୩୦ ମିନିଟ୍
  • ୧୪ ଜୁନ, ହାଇତୀ ବନାମ ସ୍କଟଲ୍ୟାଣ୍ଡ ପ୍ରାତଃ ୬.୩୦ ମିନିଟ୍
  • ୧୪ ଜୁନ, ଅଷ୍ଟ୍ରେଲିଆ ବନାମ ତୁର୍କିୟେ ପ୍ରାତଃ ୯.୩୦ ମିନିଟ୍
  • ୧୪ ଜୁନ, ଜର୍ମାନୀ ବନାମ କୁରାକାଓ ପୂର୍ବାହ୍ନ ୧୦.୩୦ ମିନିଟ୍
  • ୧୫ ଜୁନ, ନେଦରଲ୍ୟାଣ୍ଡସ ବନାମ ଜାପାନ ଭୋର ୧.୩୦ ମିନିଟ୍
  • ୧୫ ଜୁନ, ଆଇଭରି କୋଷ୍ଟ ବନାମ ଇକ୍ୱାଡର ଭୋର ୪.୩୦ ମିନିଟ୍
  • ୧୫ ଜୁନ, ସ୍ୱିଡନ ବନାମ ଟ୍ୟୁନିସିୟା ପୂର୍ବାହ୍ନ ୭.୩୦ ମିନିଟ୍
  • ୧୫ ଜୁନ, ସ୍ପେନ ବନାମ କେପବର୍ଡେ ପୂର୍ବାହ୍ନ ୯.୩୦ମିନିଟ୍
  • ୧୬ ଜୁନ, ବେଲଜିୟମ ବନାମ ଇଜିପ୍ଟ ପ୍ରାତଃ ୧୨.୩୦ ମିନିଟ୍
  • ୧୬ ଜୁନ, ସାଉଦୀଆରବ ବନାମ ଉରୁଗ୍ୱେ ଭୋର ୩.୩୦ ମିନିଟ୍
  • ୧୬ ଜୁନ, ଇରାନ ବନାମ ନ୍ୟୁଜିଲ୍ୟାଣ୍ଡ ପ୍ରାତଃ ୬.୩୦ ମିନିଟ୍
  • ୧୭ ଜୁନ, ଫ୍ରାନ୍ସ ବନାମ ସେନେଗଲ ପ୍ରାତଃ ୧୨.୩୦ ମିନିଟ୍
  • ୧୭ ଜୁନ, ଇରାକ ବନାମ ନରୱେ ଭୋର ୩.୩୦ମିନିଟ୍
  • ୧୭ ଜୁନ, ଅର୍ଜେଣ୍ଟିନା ବନାମ ଅଲଜିରିୟା ପ୍ରାତଃ ୬.୩୦ ମିନିଟ୍
  • ୧୭ ଜୁନ, ଅଷ୍ଟ୍ରିୟା ବନାମ ଜୋର୍ଡାନ, ପୂର୍ବାହ୍ନ ୯.୩୦ ମିନିଟ୍
  • ୧୭ ଜୁନ, ପର୍ତ୍ତୁଗାଲ ବନାମ ଡିଆର କଙ୍ଗୋ ପୂର୍ବାହ୍ନ ୧୦.୩୦ ମିନିଟ୍
  • ୧୮ ଜୁନ, ଇଂଲଣ୍ଡ ବନାମ କ୍ରୋଏସିୟା ଭୋର ୧.୩୦ ମିନିଟ୍
  • ୧୮ ଜୁନ, ଘାନା ବନାମ ପାନାମା ଭୋର ୪.୩୦ ମିନିଟ୍
  • ୧୮ ଜୁନ, ଉଜବେକିସ୍ତାନ ବନାମ କଲମ୍ବିୟା ପୂର୍ବାହ୍ନ ୭.୩୦ ମିନିଟ୍
  • ୧୮ଜୁନ, ଚେକ୍ ଗଣରାଜ୍ୟ ବନାମ ଦକ୍ଷିଣ ଆଫ୍ରିକା ପୂର୍ବାହ୍ନ ୯.୩୦ ମିନିଟ୍
  • ୧୯ ଜୁନ, ସ୍ୱିଜରଲ୍ୟାଣ୍ଡ ବନାମ ବୋସ୍ନିୟା-ହର୍ଜେଗୋଭିନା ପ୍ରାତଃ ୧୨.୩୦ ମିନିଟ୍
  • ୧୯ ଜୁନ, କାନାଡା ବନାମ କତାର ଭୋର ୩.୩୦ମିନିଟ୍
  • ୧୯ ଜୁନ, ମେକ୍ସିକୋ ବନାମ ଦକ୍ଷିଣ କୋରିଆ ସକାଳ ୬.୩୦ ମିନିଟ୍
  • ୨୦ ଜୁନ, ଆମେରିକା ବନାମ ଅଷ୍ଟ୍ରେଲିୟା ପ୍ରାତଃ ୧୨.୩୦ ମିନିଟ୍
  • ୨୦ଜୁନ, ସ୍କଟଲ୍ୟାଣ୍ଡ ବନାମ ମରକ୍କୋ ଭୋର ୩.୩୦ମିନିଟ୍
  • ୨୦ ଜୁନ, ବ୍ରାଜିଲ ବନାମ ହାଇତୀ ଭୋର ୬.୦୦ ମିନିଟ୍
  • ୨୦ ଜୁନ, ତୁର୍କିୟେ ବନାମ ପାରାଗ୍ୱେ ପୂର୍ବାହ୍ନ ୮.୩୦ ମିନିଟ୍
  • ୨୦ ଜୁନ, ନେଦର ଲ୍ୟାଣ୍ଡ ବନାମ ସ୍ୱିଡେନ ପୂର୍ବାହ୍ନ ୧୦.୩୦ ମିନିଟ୍
  • ୨୧ ଜୁନ, ଜର୍ମାନୀ ବନାମ ଆଇଭରି କଷ୍ଟ ଭୋର ୧.୩୦ ମିନିଟ୍
  • ୨୧ ଜୁନ, ଇକ୍ୱେଡର ବନାମ କୁରାକାଓ ଭୋର ୫.୩୦ ମିନିଟ୍
  • ୨୧ ଜୁନ, ଟ୍ୟୁନିସିୟା ବନାମ ଜାପାନ ପୂର୍ବାହ୍ନ ୯.୩୦ ମିନିଟ୍
  • ୨୧ ଜୁନ, ସ୍ପେନ ବନାମ ସାଉଦୀ ଆରବ ପୂର୍ବାହ୍ନ ୯.୩୦ ମିନିଟ୍
  • ୨୨ ଜୁନ, ବେଲଜିୟମ ବନାମ ଇରାନ ପ୍ରାତଃ ୧୨.୩୦ ମିନିଟ୍
  • ୨୨ ଜୁନ, ଉରଗ୍ୱେ ବନାମ କେପୱର୍ଡେ ଭୋର ୩.୩୦ ମିନିଟ୍
  • ୨୨ ଜୁନ, ନ୍ୟୁଜିଲ୍ୟାଣ୍ଡ ବନାମ ଇଜିପ୍ଟ ସକାଳ ୬.୩୦ ମିନିଟ୍
  • ୨୨ ଜୁନ, ଆର୍ଜେଣ୍ଟିନା ବନାମ ଅଷ୍ଟ୍ରିୟା ରାତି ୧୦.୩୦ମିନିଟ୍
  • ୨୩ ଜୁନ, ଫ୍ରାନ୍ସ ବନାମ ଇରାକ୍ ଭୋର ୨.୩୦ମିନିଟ୍
  • ୨୩ ଜୁନ, ନରୱେ ବନାମ ସେନେଗଲ ଭୋର ୫.୩୦ ମିନିଟ୍
  • ୨୩ ଜୁନ, ଜୋର୍ଡାନ ବନାମ ଅଲଜିରିୟା ସକାଳ ୮.୩୦ ମିନିଟ୍
  • ୨୩ ଜୁନ, ପର୍ତ୍ତୁଗାଲ ବନାମ ଉଜବେକିସ୍ତାନ ରାତି ୧୦.୩୦ ମିନିଟ୍
  • ୨୪ ଜୁନ, ଇଂଲଣ୍ଡ ବନାମ ଘାନା ଭୋର ୧.୩୦ ମିନିଟ୍
  • ୨୪ ଜୁନ, ପାନାମା ବନାମ କ୍ରୋଏସିୟା ଭୋର ୪.୩୦ ମିନିଟ୍
  • ୨୪ ଜୁନ, କଲମ୍ବିୟା ବନାମ ଡିଆର କଙ୍ଗୋ ପୁର୍ବାହ୍ନ ୭.୩୦ ମିନିଟ୍
  • ୨୫ ଜୁନ, ସ୍ୱିଜରଲ୍ୟାଣ୍ଡ ବନାମ କାନାଡ୍ ପ୍ରାତଃ ୧୨.୩୦ ମିନିଟ୍
  • ୨୫ ଜୁନ, ବୋସ୍ନିୟା-ହର୍ଜେଗୋଭିନା ବନାମ କତାର ପ୍ରାତଃ ୧୨.୩୦ ମିନିଟ୍
  • ୨୫ ଜୁନ, ମରକ୍କୋ ବନାମ ହାଇତି ଭୋର ୩.୩୦ ମିନିଟ୍
  • ୨୫ ଜୁନ, ସ୍କଟଲ୍ୟାଣ୍ଡ ବନାମ ବ୍ରାଜିଲ ଭୋର ୩.୩୦ ମିନିଟ୍
  • ୨୫ ଜୁନ, ଦକ୍ଷିଣ ଆଫ୍ରିକା ବନାମ ଦକ୍ଷିଣ କୋରିଆ ସକାଳ ୬.୩୦ ମିନିଟ୍
  • ୨୫ ଜୁନ, ଚେକ୍ ଗଣରାଜ୍ୟ ବନାମ ମେକ୍ସିକୋ ସକାଳ ୬.୩୦ ମିନିଟ୍
  • ୨୬ ଜୁନ, କୁରକାଓ ବନାମ ଆଇଭରି କଷ୍ଟ ଭୋର ୧.୩୦ ମିନିଟ୍
  • ୨୬ ଜୁନ, ଇକ୍ୱାଡୋର ବନାମ ଜର୍ମାନୀ ଭୋର ୧.୩୦ ମିନିଟ୍
  • ୨୬ ଜୁନ, ଟ୍ୟୁନିସିୟା ବନାମ ନିଦରଲ୍ୟାଣ୍ଡସ ଭୋର ୪.୩୦ ମିନିଟ୍
  • ୨୬ ଜୁନ, ଜାପାନ ବନାମ ସ୍ୱିଡେନ ଭୋର ୪.୩୦ ମିନିଟ୍
  • ୨୬ ଜୁନ, ତୁର୍କିୟେ ବନାମ ଆମେରିକା ସକାଳ ୭.୩୦ମିନିଟ୍
  • ୨୬ ଜୁନ, ପାରଗ୍ୱେ ବନାନ ଅଷ୍ଟ୍ରେଲିୟା ସକାଳ ୭.୩୦ ମିନିଟ୍
  • ୨୭ ଜୁନ, ନରୱେ ବନାମ ଫ୍ରାନ୍ସ ପ୍ରାତଃ ୧୨.୩୦ ମିନିଟ୍
  • ୨୭ ଜୁନ, ସେନେଗଲ ବନାମ ଇରାକ୍ ପ୍ରାତଃ ୧୨.୩୦ ମିନିଟ୍
  • ୨୭ ଜୁନ, କେପୱର୍ଡେ ବନାମ ସାଉଦୀ ଆରବ ଭୋର ୫.୩୦ ମିନିଟ୍
  • ୨୭ ଜୁନ, ଉରଗ୍ୱେ ବନାମ ସ୍ପେନ୍ ଭୋର ୫.୩୦ ମିନିଟ୍
  • ୨୭ ଜୁନ, ନ୍ୟୁଜିଲ୍ୟାଣ୍ଡ ବନାମ ବେଲଜିୟମ ସକାଳ ୮.୩୦ ମିନିଟ୍
  • ୨୭ ଜୁନ, ଇଜିପ୍ଟ ବନାମ ଇରାନ ସକାଳ ୮.୩୦ ମିନିଟ୍
  • ୨୮ ଜୁନ, ପାନାମା ବନାମ ଇଂଲଣ୍ଡ ଭୋର ୨.୩୦ ମିନିଟ୍
  • ୨୮ ଜୁନ, କ୍ରୋଏସିୟା ବନାମ ଘାନା ଭୋର ୨.୩୦ମିନିଟ୍
  • ୨୮ ଜୁନ, କଲମ୍ବିୟା ବନାମ ପର୍ତ୍ତୁଗାଲ ଭୋର ୫.୦୦ ମିନିଟ୍
  • ୨୮ ଜୁନ, ଡିଆର କଙ୍ଗୋ ବନାମ ଉଜବେକିସ୍ତାନ ଭୋର ୫.୦୦ ମିନିଟ୍
  • ୨୮ ଜୁନ, ଅଲଜିରିୟା ବନାମ ଅଷ୍ଟ୍ରିୟା ସକାଳ ୭.୩୦ ମିନିଟ୍
  • ୨୮ ଜୁନ, ଜୋର୍ଡାନ ବନାମ ଆର୍ଜେଣ୍ଟିନା ସକାଳ ୭.୩୦ମିନିଟ୍

(ନୋଟ୍: ସମସ୍ତ ମ୍ୟାଚ୍ ଭାରତୀୟ ସମୟାନୁସାରେ)