ନୂଆଦିଲ୍ଲୀ : ଫୁଟବଲ ୱାର୍ଲଡ କପ୍ ୨୦୨୬ ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହାର ଫାଇନାଲ ମ୍ୟାଚ୍ ଜୁଲାଇ ୧୯ରେ ଖେଳାଯିବ। ଚଳିତବର୍ଷ ଫୁଟବଲର ମହାକୁମ୍ଭ ଆମେରିକା, ମେକ୍ସିକୋ ଓ କାନାଡାର ୧୬ ଟି ସହରରେ ଖେଳାଯିବ। ତେବେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଜାଣିବା ଏହାର ଟ୍ରଫି ସମ୍ପର୍କରେ, ଯାହାକୁ ଜିତିବା ପାଇଁ ଏ ବର୍ଷ ୪୮ଟି ଟିମ୍ ମୁହାଁମୁହିଁ ହେବେ। ଫୁଟବଲ ୱାର୍ଲଡ କପ୍ ଟ୍ରଫିର ମୂଲ୍ୟ ପ୍ରାୟ ୨୦ ନିୟୁତ ଡଲାର ବା ୧୯୦ କୋଟି ଟଙ୍କା, ଟ୍ରଫିର ଉଚ୍ଚତା ୧୪.୫ ଇଞ୍ଚ ହୋଇଥିବା ବେଳେ ଏହାର ଓଜନ ୬.୧ କେଜି।

ଏହି ଟ୍ରଫିଟି ୧୮ କ୍ୟାରେଟ୍ ସୁନା ଓ ମେଲାକାଇଟ୍ ପଥରରେ ତିଆରି ହୋଇଛି। ଫୁଟବଲ ୱାର୍ଲଡ କପ୍ ଟ୍ରଫିଟି ଫମ୍ପା। କାରଣ ଯଦି ଏହା କେବଳ ସୁନା ଓ ପଥରରେ ତିଆରି ହୋଇଥାନ୍ତା ଏହାର ଓଜନ ୭୦ରୁ ୮୦ କେଜି ହୋଇଥାନ୍ତା, ଯାହାକୁ ତଳୁ ଉଠାଇବା ଖେଳାଳିଙ୍କ ଲାଗି କଷ୍ଟକର ହୋଇଥାନ୍ତା। ଏହି ଟ୍ରଫି ୧୯୭୪ ମସିହାରୁ ବ୍ୟବହାର ହୋଇ ଆସୁଛି। ଏହାକୁ ଇଟାଲୀୟ କମ୍ପାନୀ ଜିଡିଇ ବେର୍ଟୋନୀ ତିଆରି କରିଥିଲା। ଫୁଟବଲ ୱାର୍ଲଡ କପ୍ ବିଜେତା ଟିମ୍ କୁ କେବେ ଅସଲି ଟ୍ରଫି ଦିଆଯାଏନି। ଏହା ବଦଳେ ଟିମ୍ ଟ୍ରଫିର ରିପ୍ଲିକା ନେଇଥାନ୍ତି।

ଅସଲି ଟ୍ରଫି ବର୍ଷ ତମାମ ଜ୍ୟୁରିକ୍ ସ୍ଥିତ ଫିଫା ୱାର୍ଲଡ କପ୍ ମ୍ୟୁଜିୟମରେ ରହିଥାଏ। ଏହି ଫୁଟବଲ ୱାର୍ଲଡ କପ୍ ଟ୍ରଫିକୁ ଛୁଇଁବା ବି ଏତେ ସହଜ କଥା ନୁହେଁ। ଏହାକୁ ଛୁଇଁବାର ଅଧିକାର ମାତ୍ର କିଛି ବିଶେଷ ଲୋକଙ୍କର ରହିଛି। ଏହି ଫୁଟବଲ ଟ୍ରଫିକୁ କେବଳ ଖେଳାଳି ଓ ଜାତୀୟ ନେତାମାନେ ଛୁଇଁ ପାରିବେ। ଏହାକୁ ବିଶ୍ୱ କ୍ରିଡ଼ା ଜଗତର ସବୁଠୁ ଆଇକନିକ୍ ଟ୍ରଫି ମନେ କରାଯାଏ। ତେବେ ଜୁନ ୧୧ରେ ଆରମ୍ଭ ହେବାକୁ ଯାଉଥିବା ଫୁଟବଲ ମହାକୁମ୍ଭକୁ ଆସନ୍ତୁ ଏବେ ଆମେ ଅପେକ୍ଷା କରିବା।