କଳାହାଣ୍ଡି ୧୯।୧୦: ଭକ୍ତିରେ ଭିଜିଲା ଭବାନୀପାଟଣା l ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ପାଇଁ ସହରରେ ଉତ୍ସବର ମାହୋଲ l ପରମ୍ପରା ଅନୁଯାୟୀ ମହାଷ୍ଟମୀ ମଧ୍ୟରାତ୍ରିରୁ ଗୁପ୍ତ ପୂଜାପରେ ମହାନବମୀ ପ୍ରତ୍ୟୁଷରେ ଜେନାଖାଲରେ ହୋଇଥିଲା ସ୍ୱତନ୍ତ୍ର ଗୁପ୍ତପୂଜା l ପରେ ଭୋର ୪ଟା ୩୦ରେ ଜେନାଖାଳ ଠାରୁ ପୂଜକ, ବହୁକ, ମୁଣ୍ଡଛୀନା ସେବକ ମା’ଙ୍କ ଛତର ନେଇ ବାହାରିଥିଲେ l ଘୁମୁରା, ନିଶାନ ଓ ଘଣ୍ଟବାଦ୍ୟରେ ପ୍ରକମ୍ପିତ ହୋଇଥିଲା ପରିବେଶ। ମା’ଙ୍କ ଛତରକୁ ଦର୍ଶନ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା l ବିଜୟ ଯାତ୍ରାରେ ସାମିଲ ହୋଇଥିଲେ ୩୫ଟି ସାଂସ୍କୃତିକ ଦଳ l

ଜେନାଖାଲ ଠାରୁ ମା’ଙ୍କ ମନ୍ଦିର ୩ କିଲୋମିଟର ମା’ଙ୍କ ଛତରା ଯିବା ସମୟରେ ମାନସିକ ଧାରୀ ମାନେ କୁକୁଡ଼ା ବୋଦା ବଳି ଦେଇଥିବା ବେଳେ କିଛି ଶ୍ରଦ୍ଧାଳୁ ଶାନ୍ତିର ପ୍ରତୀକ ଭାବେ ପାରାକୁ ମା’ଙ୍କ ଛତର ଉପରେ ଛାଡି ଦେଇଥିଲେ l ତେବେ ପ୍ରଶାସନ ପକ୍ଷରୁ ଏବଂ କଳାହାଣ୍ଡି ରାଜ ଦରବାର ପକ୍ଷରୁ ଛତର ୧୧ଟାରେ ମନ୍ଦିରକୁ ପିହଞ୍ଚିବା ପାଇଁ ଲଗ୍ନ ନିର୍ଦ୍ଧାରଣ କରିଥିବା ବେଳେ କୌଣସି କାରଣ ପାଇଁ ଚଳିତ ବର୍ଷ ସକାଳ ୮ରେ ମା’ଙ୍କ ମନ୍ଦିରକୁ ପହଞ୍ଚିଥିଲା l ତେବେ ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ଛତରକୁ କାନ୍ଧରେ ବୋହି ଗର୍ଭଗୃହକୁ ନେଇଥାନ୍ତି କିନ୍ତୁ ଚଳିତ ବର୍ଷ ତାଙ୍କ ଦେହ ଅସୁସ୍ଥ ଥିବା ଯୋଗୁ ତାଙ୍କ ପୁଅ କଳାହାଣ୍ଡି ରାଜ କୁମର ଛତରକୁ ଧରି ଗର୍ଭ ଗୃହକୁ ନେଇ କି ଯାଇଥିଲେ l

ତେବେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଛତରଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ହୋଇଥିଲା ବ୍ୟାପକ ବ୍ୟବସ୍ଥା l କଳାହାଣ୍ଡି ଏସ୍ପି ନାଗରାଜ ଦେବରକୋଣ୍ଡାଙ୍କ ତତ୍ତ୍ୱାବଧାନରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୯୬ ଜଣ ଅଧିକାରୀ ମୁତୟନ ହୋଇଥିଲେ l ଟ୍ରାଫିକ୍ ନିୟନ୍ତ୍ରଣ, ପ୍ରବେଶ ପଥରେ ଯାଞ୍ଚ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସହରରେ ଲଗାଯାଇଥିଲା ସର୍ଭେଲାନ୍ସ କ୍ୟାମେରା ଡ୍ରୋନ୍ରେ ମଧ୍ୟ ରଖାଯାଇଥିଲା ନଜର l

Also Read:- ସମୁଦ୍ରରେ ସୃଷ୍ଟି ହେବ ଶକ୍ତିଶାଳୀ ସିଷ୍ଟମ୍ ! ବାତ୍ୟା ଆଶଙ୍କା ନା କେବଳ ଘୂର୍ଣ୍ଣିବଳୟ ?

ତେବେ ସୁପ୍ରିମକୋର୍ଟଙ୍କ ନିୟମାବଳୀ ଓ ପ୍ରଶାସନର କଟକଣା ସତ୍ତ୍ୱେ ମାନସିକଧାରୀମାନେ କୁକୁଡ଼ା ଓ ବୋଦା ବଳି ଦେଇଥିଲେ ଫଳରେ ରକ୍ତରଞ୍ଜିତ ହୋଇଛି ଭବାନୀପାଟଣା l ଗୋଟିଏ ପଟେ ଆସ୍ଥା ଓ ବିଶ୍ୱାସ, ଅନ୍ୟପଟେ ଆଇନ ଓ ପ୍ରଶାସନିକ କଟକଣା l ଏହି ଦୁଇଟି ମଧ୍ୟରେ ସମନ୍ୱୟ ରକ୍ଷା କରିବା ପ୍ରଶାସନ ପାଇଁ ରହିଛି ବଡ଼ ଆହ୍ୱାନ l