ନୂଆଦିଲ୍ଲୀ: ଫ୍ରାନ୍ସରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ ଗଣ ଆନ୍ଦୋଳନର ରୂପ ନେଇଛି । ଆନ୍ଦୋଳନରେ ବର୍ବରତା ଏବଂ ହିଂସାକାଣ୍ଡ ଘଟଣା ଘଟୁଛି । ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ଏକ ନାରା ବା ସ୍ଲୋଗାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆନ୍ଦୋଳନକାରୀ ନାରା ଦେଉଛନ୍ତି, ‘Bismillah c’est les ténèbres’(ବିସ୍‌ମିଲ୍ଲା ସେ ଲେ ତେନେବ୍ରେ) ।  ଫ୍ରାନ୍ସରେ ଶିକ୍ଷା ବଜେଟ୍‌ ହ୍ରାସ, ସ୍କୁଲଗୁଡ଼ିକର ଶୋଚନୀୟ ଅବସ୍ଥା ଏବଂ ମହଙ୍ଗା ମାଡ଼କୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ ତୀବ୍ର ହୋଇଛି । ଉତ୍ତ୍ୟକ୍ତ ଆନ୍ଦୋଳନକାରୀ  ଅଜବ ସ୍ଲୋଗାନ୍ ଦେଇ ସରକାରଙ୍କୁ ବିରୋଧ କରୁଛନ୍ତି ।

‘Bismillah c’est les ténèbres’ ନାରା ଅର୍ଥ କ’ଣ ଆପଣମାନେ ଜାଣନ୍ତି କି ?  ଏହା ହେଉଛି ଫ୍ରେଞ୍ଚ ବା ଫରାସୀ ଏବଂ ଆରବୀ ଭାଷାର ଏକ ମିଶ୍ରିତ ପଦ । ବିସ୍‌ମିଲ୍ଲା ଏକ ଆରବୀ ଶବ୍ଦ ହୋଇଥିବା ଏହାର ଅର୍ଥ ଇଶ୍ୱର ବା ଆଲ୍ଲାଙ୍କ ନାମରେ । ସେହିଭଳି ‘c’est les ténèbres’ ଏକ ଫରାସୀ ବାକ୍ୟାଂଶ, ଏହାର ଅର୍ଥ ‘ଏହା ଅନ୍ଧକାର’ । ସାଧାରଣ ଭାବରେ ଏହି ଦୁଇଟିକୁ ମିଶାଇଲେ ଏହାର ଅର୍ଥ ହେଉଛି, ‘ଇଶ୍ୱରଙ୍କ ନାମରେ, ଏହା ଅନ୍ଧକାର’। ତେବେ ଏହି ନାରାର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥ ନାହିଁ। କିଏ କେଉଁ ପରିପ୍ରେକ୍ଷୀରେ ଏହାକୁ ବ୍ୟବହାର କରୁଛି, ତାହା ଉପରେ ଏହାର ଅର୍ଥ ନିର୍ଭର କରୁଛି। କେବଳ ଏହି ନାରା ଦ୍ୱାରା ପ୍ରଦର୍ଶନକାରୀଙ୍କ କୌଣସି ରାଜନୈତିକ କିମ୍ବା ଧାର୍ମିକ ସଂଗଠନ ସହ ସମ୍ପୃକ୍ତି ଥିବା ପ୍ରମାଣିତ ହୁଏନାହିଁ। ଏହା ଯୁବପିଢ଼ିଙ୍କ ଆକ୍ରୋଶ ଓ ସରକାରୀ ବ୍ୟବସ୍ଥା ପ୍ରତି ସେମାନଙ୍କର ବିଦ୍ରୋହକୁ ଦର୍ଶାଉଛି।

ଫ୍ରାନ୍ସ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଶବ୍ଦାବଳୀ ପ୍ରଥମେ ସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କର ଏକ ସ୍ନାପ୍‌ଚାଟ୍‌ ଗ୍ରୁପ୍‌ ଚାଟ୍‌ରୁ ସାମ୍ନାକୁ ଆସିଥିଲା । ସେମାନେ ସ୍କୁଲ୍ ଆନ୍ଦୋଳନ ପାଇଁ ଯୋଜନା କରୁଥିଲେ। ଚାଟ୍‌ର ସ୍କ୍ରିନ୍‌ସଟ୍‌ ଭାଇରାଲ୍‌ ହେବା ପରେ ଏଥିରେ ଥିବା ଅଜବ ଭାଷା ଚର୍ଚ୍ଚାକୁ ଆସିଛି। ପୋଲିସ ଛାତ୍ର ସାଜି ଏହି ଗ୍ରୁପ୍‌ରେ ପଶି ଏପରି ଭାଷା ବ୍ୟବହାର କରୁଛନ୍ତି ବୋଲି ଛାତ୍ରଛାତ୍ରୀ ଭାବିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀମାନେ ଏହି ନାରାକୁ ପ୍ଲାକାର୍ଡରେ ପ୍ରଦର୍ଶିତ କରି ରାଜରାସ୍ତାକୁ ଓହ୍ଲାଇଥିଲେ ।

ବିଶିଷ୍ଟ ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ଏହି ଶବ୍ଦାବଳୀକୁ ବ୍ୟବହାର କରିବା ପରେ ଏହା ଅଧିକ ଚର୍ଚ୍ଚାକୁ ଆସିଛି । ଫ୍ରାନ୍ସର ସେନ୍-ସେଣ୍ଟ-ଡେନିସ୍‌ଠାରେ ଏକ ସ୍କୁଲ ସାମ୍ନାରେ ଭାଷଣ ଦେବା ସମୟରେ ଏହି ନାରା ଦେଇଥିଲେ ଗ୍ରେଟା। ସେ ପୋଲିସର ନିର୍ଦ୍ଦୟ ବ୍ୟବହାରକୁ ସମାଲୋଚନା କରି ନିଜ ଭାଷଣ ଶେଷରେ "Bismillah, c'est les ténèbres" ବୋଲି କହିଥିଲେ। ଗ୍ରେଟାଙ୍କ ଏହି ଭିଡିଓ ଭାଇରାଲ୍ ହେବା ପରେ ବିବାଦ ତୀବ୍ର ହୋଇଥିଲା। 

ଫ୍ରାନ୍ସର ପରିସ୍ଥିତି ଏବେ ଅତ୍ୟନ୍ତ ସମ୍ବେଦନଶୀଳ। ପ୍ରଧାନମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ନୁ ଦେଇଥିବା ସୂଚନା ଅନୁଯାୟୀ, କେବଳ ଶନିବାର ଦିନ ୧,୨୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି । ଆନ୍ଦୋଳନକାରୀଙ୍କ ଆକ୍ରମଣରେ ପ୍ରାୟ ୧୫୦ ଜଣ ପୋଲିସ କର୍ମଚାରୀ ଆହାତ ହୋଇଛନ୍ତି। କେବଳ ପ୍ୟାରିସ୍‌ରୁ ୮୫୫ ଜଣଙ୍କୁ ହିଁ ଗିରଫ କରାଯାଇଛି । ସାରା ଦେଶରେ ୫ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ରାସ୍ତାକୁ ଓହ୍ଲାଇଥିବା ବେଳେ ଲିମୋଗେସ୍‌ ସହରର ୧୪୩ ବର୍ଷର ପୁରୁଣା ଟାଉନ୍ ହଲ୍‌ରେ ନିଆଁ ଲଗାଇ ଦିଆଯାଇଥିଲା।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ ଏହି ହିଂସାତ୍ମକ ଘଟଣାକୁ କଠୋର ଭାଷାରେ ନିନ୍ଦା କରିଛନ୍ତି। ସୋସିଆଲ୍ ମିଡିଆ 'X'ରେ ସେ ଲେଖିଛନ୍ତି, ‘ଆମ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଯେଉଁମାନେ ସରକାରୀ ସମ୍ପତ୍ତି, ବ୍ୟବସାୟିକ ପ୍ରତିଷ୍ଠାନ ଓ ଟାଉନ୍‌ ହଲ୍‌ ଭଙ୍ଗାରୁଜାକରିଛନ୍ତି, ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଆମେ ଦେଶର ଅରାଜକତା ସୃଷ୍ଟିକାରୀଙ୍କ ବିରୋଧରେ ଏକାଠି ଛିଡ଼ା ହେବୁ।’ ଶିକ୍ଷା ବଜେଟ୍‌କୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଫ୍ରାନ୍ସକୁ ବିଚଳିତ କରିପକାଇଛି ।