ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଦିନକୁ ଦିନକୁ ଆହୁରି ଘାତକ ହେବାରେ ଲାଗିଛି । ରୁଷ ଉପରେ ୟୁକ୍ରେନ ସବୁଠାରୁ ବଡ଼ ଆକ୍ରମଣ କରିଛି ।  ରୁଷର ପ୍ରସିଦ୍ଧ ସହର ସେଣ୍ଟ ପିଟର୍ସବର୍ଗ ରେ ଥିବା ପ୍ରମୁଖ ତୈଳ ସଂସ୍ଥାନଗୁଡ଼ିକ ଉପରେ ୟୁକ୍ରେନ୍ ଶତାଧିକ ଡ୍ରୋନ୍‌ ମାଡ଼ କରିଛି। ଏହି ଆକ୍ରମଣ ପରେ ସେଣ୍ଟ ପିଟର୍ସବର୍ଗର ଅନେକ ତୈଳ ଡିପୋରେ ଭୟଙ୍କର ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଆକାଶ ଗାଢ଼ କଳା ଧୂଆଁରେ ଆଚ୍ଛାଦିତ ହୋଇପଡ଼ିଛି। ସେଣ୍ଟ ପିଟର୍ସବର୍ଗର ଗଭର୍ଣ୍ଣର ଆଲେକ୍ସଜାଣ୍ଡର୍ ବେଗ୍‌ଲୋଭ୍ କହିଛନ୍ତି, ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। 

ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିଛି ଯେ, ପିଟର୍ସବର୍ଗ ଅଏଲ୍ ଟର୍ମିନାଲ୍ ଏବଂ ରୁଚି ଅଏଲ୍ ଡିପୋରେ ଭୟାଙ୍କ ଅଗ୍ନିକାଣ୍ଡ ଘଟିଛି। ତୈଳ ଡିପୋ ବ୍ୟତୀତ ୟୁକ୍ରେନ୍‌, ରୁଷର ଏକ ବିଶାଳ ଲଜିଷ୍ଟିକ୍ସ ସେଣ୍ଟର ଏବଂ ପ୍ରସିଦ୍ଧ ଟେକ୍ନୋଲୋଜି କମ୍ପାନୀ 'VK' ର ଡାଟା ସେଣ୍ଟର ଉପ​‌ରେ ଡ୍ରୋନ୍‌ ମାଡ଼ କରିଛି । ଅନ୍ୟପଟେ ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ଦେଶର ପ୍ରତିରକ୍ଷା ପ୍ରଣାଳୀ ୧୫ଟି ଭିନ୍ନ ଭିନ୍ନ ଅଞ୍ଚଳରେ ୟୁକ୍ରେନ୍‌ର ପ୍ରାୟ ୧,୦୧୫ଟି ଡ୍ରୋନ୍‌କୁ ନଷ୍ଟ କରିଦେଇଛି।

ୟୁକ୍ରେନ ଉପରେ ରୁଷ ଲଗାତାର ଆକ୍ରମଣ କରୁଥିବା ବେଳେ ଏହାର ପ୍ରତିଜବାବ ଦେଇଛି କିଭ୍‌ ।  ରୁଷର ଆକ୍ରମଣରେ ଦକ୍ଷିଣ ୟୁକ୍ରେନର ଜାପୋରିଜିଆ ସହରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଅଭିଯୋଗ କରିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ 'ଏନର୍ଜି ସିଜଫାୟାର୍' ଘୋଷଣା ସତ୍ତ୍ୱେ ରୁଷ ଜାଣିଶୁଣି ୟୁକ୍ରେନର ଶକ୍ତି ଓ ଗ୍ୟାସ୍ ପ୍ରକଳ୍ପଗୁଡ଼ିକୁ ଟାର୍ଗେଟ କରୁଛି। ଟ୍ରମ୍ପଙ୍କ ଘୋଷଣା ପରଠାରୁ ରୁଷିଆ ୟୁକ୍ରେନର ତୈଳ ଓ ଗ୍ୟାସ୍ ସେକ୍ଟର ଉପରେ ୭୬ରୁ ଅଧିକ ଆକ୍ରମଣ କରିସାରିଛି। ଜେଲେନ୍‌ସ୍କି ଆମେରିକାକୁ ଚେତାବନୀ ଦେଇଛନ୍ତି । ଆମମେରିକା ରୁଷକୁ କୌଣସି ପ୍ରକାର ରିହାତି ଦେଲେ,  ଶାନ୍ତି ଫେରିଆସିବନି ବରଂ ଯୁଦ୍ଧ ଆହୁରି ବଢ଼ିବ ।

ଟ୍ରମ୍ପଙ୍କ 'ସିଜଫାୟାର୍' କୁ ଅମାନ୍ୟ
ଅକ୍ଟୋବର ୧୧ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଓ ୟୁକ୍ରେନ ମଧ୍ୟରେ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ ପାଇଁ ଏକ 'ଏନର୍ଜି ସିଜଫାୟାର୍'ର ଘୋଷଣା କରିଥିଲେ। କିନ୍ତୁ ଏହି ଘୋଷଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ରୁଷ ୟୁକ୍ରେନର ୬ଟି ଶକ୍ତି ପ୍ରକଳ୍ପ ଉପରେ ଆକ୍ରମଣ କରିଥିଲା। ଏହା ପରେ ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ୍ ଆଉ ଟ୍ରମ୍ପଙ୍କ ଏହି ଯୁଦ୍ଧବିରତି ନିୟମକୁ ମାନିବ ନାହିଁ। ଏହା ସହ ସେ ରୁଷ ସହ ଟ୍ରମ୍ପଙ୍କ ଡିଜେଲ୍‌ ଡିଲକୁ ଜେଲେନସ୍କି ସମାଲୋଚନା ମଧ୍ୟ କରିଛନ୍ତି ।