ନୂଆଦିଲ୍ଲୀ: କମୁଛି ଏନ୍‌ଜିଓ, ହେଲେ ବଢ଼ୁଛି ବିଦେଶୀ ଅନୁଦାନ। ଦେଶରେ ବିଦେଶୀ ଅନୁଦାନ ଗ୍ରହଣ କରୁଥିବା ଏନ୍‌ଜିଓଗୁଡ଼ିକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ ବା ଏଫ୍‌ସିଆର୍‌ଏ (FCRA) ଅଧୀନରେ ସକ୍ରିୟ ଭାବେ ପଞ୍ଜୀକୃତ ଏନ୍‌ଜିଓଙ୍କ ସଂଖ୍ୟା ଗତ ଏକ ଦଶନ୍ଧିରେ ପ୍ରାୟ ଅଧା ହୋଇ ଯାଇଛି। ଅନ୍ୟପଟେ ଏହି ସଂଗଠନଗୁଡ଼ିକୁ ମିଳୁଥିବା ବିଦେଶୀ ଅନୁଦାନରେ କିନ୍ତୁ ବୃଦ୍ଧି ଦେଖିବାକୁ ମିଳିଛି। ୨୦୨୪-୨୫ ବର୍ଷରେ ମୋଟ ୧୮୪୧ କୋଟି ଟଙ୍କାର ପାଣ୍ଠି ମଧ୍ୟରୁ ପ୍ରାୟ ତିନି-ଚତୁର୍ଥାଂଶ କେବଳ ଖ୍ରୀଷ୍ଟିଆନ ସଂଗଠନଗୁଡ଼ିକ ପାଇଛନ୍ତି।

ସଂସଦର ଯୁଗ୍ମ କମିଟି ବା ଜେପିସିର ପ୍ରଥମ ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଏଫସିଆର୍‌ଏ ସଂଶୋଧନ ବିଲ୍‌ର ଯାଞ୍ଚ ପାଇଁ ଏହି କମିଟି ଗଠନ କରାଯାଇଛି। ବିଜେପି ସାଂସଦ ସଞ୍ଜୟ ଜୟସ୍ୱାଲ ଏହାର ଅଧ୍ୟକ୍ଷତା କରୁଛନ୍ତି। ବୈଠକରେ କେନ୍ଦ୍ରୀୟ ଗୃହ ସଚିବ ଗୋବିନ୍ଦ ମୋହନଙ୍କ ନେତୃତ୍ୱରେ ମନ୍ତ୍ରଣାଳୟର ଅଧିକାରୀମାନେ କମିଟିକୁ ତଥ୍ୟ ଦେଇଥିଲେ।

ଗୃହ ମନ୍ତ୍ରଣାଳୟ ଅନୁସାରେ, ଏବେ ଦେଶର ୧୫ଟି ରାଜ୍ୟରେ ମୋଟ ୧୪,୪୬୬ଟି ସକ୍ରିୟ ଏଫ୍‌ସିଆର୍‌ଏ-ପଞ୍ଜୀକୃତ ଏନ୍‌ଜିଓ ରହିଛନ୍ତି। ୨୦୧୫ରେ ଏହି ସଂଖ୍ୟା ୨୯,୦୨୨ ଥିଲା। ଅର୍ଥାତ୍ ପ୍ରାୟ ଏକ ଦଶନ୍ଧିରେ ସକ୍ରିୟ ଏନଜିଓ ସଂଖ୍ୟା ପ୍ରାୟ ଅଧାକୁ ଖସି ଆସିଛି।

ରାଜ୍ୟ ଅନୁସାରେ ଦେଖିଲେ ତାମିଲନାଡୁରେ ସର୍ବାଧିକ ୨,୧୦୨ଟି ଏଫ୍‌ସିଆର୍‌ଏ-ପଞ୍ଜୀକୃତ ସକ୍ରିୟ ଏନ୍‌ଜିଓ ରହିଥିବା ବେଳେ ଏହା ପଛକୁ ମହାରାଷ୍ଟ୍ରରେ ୧,୫୭୮ଟି, କର୍ଣ୍ଣାଟକରେ ୧,୩୫୫, ଦିଲ୍ଲୀରେ ୧,୨୧୮, ଆନ୍ଧ୍ରପ୍ରଦେଶରେ ୧,୦୨୨ ଓ କେରଳରେ ୧,୦୧୩ଟି ଏନଜିଓ ରହିଛନ୍ତି। ବିଦେଶୀ ଅନୁଦାନ ଗ୍ରହଣ କରୁଥିବା ସମସ୍ତ ସଂଗଠନ ପାଇଁ ଏଫ୍‌ସିଆର୍‌ଏ ଅଧୀନରେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ଏବଂ ଗୃହ ମନ୍ତ୍ରଣାଳୟ ଏହାର ନୋଡାଲ ଅଥରିଟି ରହିଛି।

ବିଦେଶୀ ଅନୁଦାନ ବଢ଼ିଛି

୨୦୧୫-୧୬ରେ ଏନଜିଓଗୁଡ଼ିକୁ ବିଦେଶରୁ ୧୭,୮୩୨ କୋଟି ଟଙ୍କା ମିଳିଥିବା ବେଳେ ୨୦୨୪-୨୫ରେ ଏହା ବଢ଼ି ୨୨,୯୭୪ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୪-୨୫ରେ ବିଦେଶୀ ଅନୁଦାନ ଦେଇଥିବା ଦେଶମାନଙ୍କ ମଧ୍ୟରେ ଆମେରିକା ସର୍ବାଧିକ ୧୨,୧୧୩ କୋଟି ଟଙ୍କା ଦେଇଛି। ଏହା ପରେ ବ୍ରିଟେନ୍ ୨,୪୧୪ କୋଟି, ଜର୍ମାନୀ ୧,୭୮୨ କୋଟି, ସ୍ୱିଜରଲ୍ୟାଣ୍ଡ ୭୩୩ କୋଟି ଏବଂ ସିଙ୍ଗାପୁର ୬୬୯ କୋଟି ଟଙ୍କା ଦେଇଛନ୍ତି।

Also Read- ଭାରତୀୟ ବ୍ୟବସାୟ ପାଇଁ ଗଲ୍ଫର ନୂଆ ଗେଟୱେ ଓମାନର ସୋହାର ବନ୍ଦର, ୩୦ ବିଲିୟନ ଡଲାରରୁ ଅଧିକ ନିବେଶ

ଏହି ବର୍ଷ ଧାର୍ମିକ ସଂଗଠନଗୁଡ଼ିକୁ ମୋଟ ୧,୮୪୧ କୋଟି ଟଙ୍କା ବିଦେଶୀ ଅନୁଦାନ ମିଳିଛି। ସେଥିରୁ ଖ୍ରୀଷ୍ଟିଆନ ସଂଗଠନଗୁଡ଼ିକୁ ସର୍ବାଧିକ ୧,୩୪୫ କୋଟି ଟଙ୍କା, ହିନ୍ଦୁ ଏନଜିଓଗୁଡ଼ିକୁ ୩୨୮ କୋଟି, ଅଣ-ଧାର୍ମିକ ସଂଗଠନକୁ ୬୦ କୋଟି, ବୌଦ୍ଧ ସଂଗଠନକୁ ୫୧ କୋଟି ଏବଂ ମୁସଲିମ୍ ସଂଗଠନକୁ ୧୯ କୋଟି ଟଙ୍କା ମିଳିଥିବା ଗୃହମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ବିଦେଶୀ ଅନୁଦାନ ପାଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଦିଲ୍ଲୀ ସର୍ବାଧିକ ୫,୮୩୪ କୋଟି ଟଙ୍କା ସହ ଆଗରେ ରହିଛି। ତା’ପଛକୁ କର୍ଣ୍ଣାଟକ ୩,୧୬୪ କୋଟି, ମହାରାଷ୍ଟ୍ର ୨,୩୮୫ କୋଟି ଏବଂ ତାମିଲନାଡୁ ୨,୩୧୩ କୋଟି ଟଙ୍କା ପାଇଛନ୍ତି।

କେଉଁ କ୍ଷେତ୍ରକୁ କେତେ ଅନୁଦାନ?

ଧାର୍ମିକ ସଂଗଠନ ବ୍ୟତୀତ ସାମାଜିକ କ୍ଷେତ୍ରରେ କାମ କରୁଥିବା ଏନଜିଓଗୁଡ଼ିକୁ ୧୩,୦୭୧ କୋଟି ଟଙ୍କା ବିଦେଶୀ ଅନୁଦାନ ମିଳିଛି। ଶିକ୍ଷା କ୍ଷେତ୍ରକୁ ୬,୯୩୩ କୋଟି ଏବଂ ସାଂସ୍କୃତିକ କ୍ଷେତ୍ରକୁ ୭୦୭ କୋଟି ଟଙ୍କା ମିଳିଛି।

୨୦୨୪-୨୫ରେ ମୋଟ ୩୫,୯୬୮ କୋଟି ଟଙ୍କାର ଅବ୍ୟବହୃତ ବିଦେଶୀ ଅନୁଦାନ ଥିଲା। ସେଥିରୁ ୨୧,୧୪୦ କୋଟି ଟଙ୍କା ଫିକ୍ସଡ୍ ଡିପୋଜିଟ୍‌ରେ, ୮,୩୯୪ କୋଟି ଟଙ୍କା ଏନଜିଓଗୁଡ଼ିକର ୟୁଟିଲାଇଜେସନ୍ ଆକାଉଣ୍ଟରେ ଏବଂ ୬,୩୭୭ କୋଟି ଟଙ୍କା ଡେଜିଗ୍ନେଟେଡ୍ ଆକାଉଣ୍ଟରେ ଥିବା ଗୃହମନ୍ତ୍ରଣାଲୟ ସୂଚନା ଦେଇଛି।

୨୦୨୨ରୁ ୨୦୨୪ ମଧ୍ୟରେ ଗୋଟିଏ ଏନଜିଓ ୫୦୦ କୋଟିରୁ ଅଧିକ ଟଙ୍କା ପାଇଥିଲା। ୧୪ଟି ଏନଜିଓ ୧୦୦ରୁ ୫୦୦ କୋଟି ମଧ୍ୟରେ ଏବଂ ୨୯୪ଟି ଏନଜିଓ ୧୦ରୁ ୫୦ କୋଟି ଟଙ୍କା ମଧ୍ୟରେ ବିଦେଶୀ ଅନୁଦାନ ପାଇଥିଲେ। ଆଉ ୪,୫୦୮ ଟି ଏନଜିଓ ୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ମଧ୍ୟରେ ଅନୁଦାନ ପାଇଥିଲେ।

୨୧,୯୮୩ NGOର FCRA ପଞ୍ଜୀକରଣ ବାତିଲ

ଗୃହ ମନ୍ତ୍ରଣାଳୟ ଅନୁସାରେ, ଏପର୍ଯ୍ୟନ୍ତ ୨୧,୯୮୩ଟି ଏନଜିଓର ଏଫ୍‌ସିଆର୍ଏ ପଞ୍ଜୀକରଣ ବାତିଲ କରାଯାଇଛି। ଏଥିରୁ ୯୧.୩ ପ୍ରତିଶତ ଏନଜିଓ ବାର୍ଷିକ ରିଟର୍ଣ୍ଣ ଦାଖଲ ନକରିବା କାରଣରୁ ସେମାନଙ୍କ ଲାଇସେନ୍ସ ବାତିଲ କରାଯାଇଛି। ସେହିପରି ୭.୯ ପ୍ରତିଶତ ନିଷ୍କ୍ରିୟ ଥିବାରୁ ଏବଂ ୦.୪ ପ୍ରତିଶତ ଆଇନ ଉଲ୍ଲଂଘନ କାରଣରୁ ପଞ୍ଜୀକରଣ ହରାଇଛନ୍ତି।