ଆମେରିକା ସରକାରଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇ ଭାରତ ପଳାଇ ଆସିଥିବା ଜଣେ ଅନ୍ତର୍ଜାତୀୟ ଠକକୁ ଗିରଫ କରିଛି ପଞ୍ଜାବ ପୋଲିସ। ଆମେରିକାର ଗୋଇନ୍ଦା ସଂସ୍ଥା FBI (Federal Bureau of Investigation) ର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ୬୫ ବର୍ଷୀୟ ମଞ୍ଜିତ୍ ସିଂହ ବେଦୀଙ୍କୁ ଜାଲନ୍ଧରର ପରାଗପୁର ଅଞ୍ଚଳରୁ ପଞ୍ଜାବ ପୋଲିସ ଗିରଫ କରିଛି। ତାଙ୍କ ନାଁରେ ଆମେରିକା ସରକାରଙ୍କ ଖାଦ୍ୟ ସହାୟତା କାର୍ଯ୍ୟକ୍ରମରୁ ପ୍ରାୟ ୬ ଲକ୍ଷ ଆମେରିକୀୟ ଡଲାର ଠକେଇ କରିବାର ଗୁରୁତର ଅଭିଯୋଗ ରହିଛି।ଗିରଫ ମଞ୍ଜିତ୍ ସିଂହ ବେଦୀ ଭାରତରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଆମେରିକାର ନାଗରିକତା ଗ୍ରହଣ କରିଥିଲେ। ସେ ଆମେରିକାର ୱାଶିଂଟନ୍ ସ୍ଥିତ ଟାକୋମା ଠାରେ 'ଏସିଆନ୍ ଗ୍ରୋସରୀ ଷ୍ଟୋର୍' ନାମକ ଏକ ଦୋକାନ ଚଲାଉଥିଲେ। ସେଠାରେ ସରକାରଙ୍କ 'ସପ୍ଲିମେଣ୍ଟାଲ୍ ନ୍ୟୁଟ୍ରିସନ୍ ଆସିଷ୍ଟାନ୍ସ ପ୍ରୋଗ୍ରାମ୍' (SNAP) ର ହିତାଧିକାରୀଙ୍କ EBT କାର୍ଡ ପ୍ରୋସେସ୍ କରିବା ପାଇଁ ତାଙ୍କୁ ଅନୁମତି ମିଳିଥିଲା।

ମାତ୍ର ଅଭିଯୋଗ ଅନୁଯାୟୀ, ଗ୍ରାହକଙ୍କୁ ରାସନ ବା ଖାଦ୍ୟ ସାମଗ୍ରୀ ନଦେଇ, ସେ କାର୍ଡ ସ୍ୱାଇପ୍ କରି ସେମାନଙ୍କୁ ନଗଦ ଟଙ୍କା ଦେଉଥିଲେ ଏବଂ ମୋଟ ଅର୍ଥର ଅଧା ନିଜ ପାଖରେ ରଖି ନେଉଥିଲେ। ମାର୍ଚ୍ଚ ୨୦୨୪ ରୁ ଜୁନ୍ ୨୦୨୫ ମଧ୍ୟରେ ଏହି ହେରଫେର୍ କରି ସେ ଆମେରିକା ସରକାରଙ୍କର ପ୍ରାୟ ୬ ଲକ୍ଷ ଡଲାର କ୍ଷତି ପହଞ୍ଚାଇଥିଲେ।କିପରି ଫେରାର ହୋଇଥିଲେ ବେଦୀ?ଆମେରିକା କୋର୍ଟରେ ହାଜର ହେବା ପରେ ତାଙ୍କୁ ଜାମିନ୍ ମିଳିଥିଲା, କିନ୍ତୁ ପାସପୋର୍ଟ ଜମା କରିବା ଓ ୱାଶିଂଟନ୍ ନଛାଡ଼ିବାକୁ ନିର୍ଦ୍ଦେଶ ଥିଲା। କୋର୍ଟ ନିୟମ ଭଙ୍ଗ କରି ସେ ରୋଡ୍ ସ୍ପଷ୍ଟ କରି କାନାଡ଼ା ଦେଇ ଏପ୍ରିଲ୍ ୨୦୨୬ରେ ଭାରତ ପଳାଇ ଆସିଥିଲେ।୨୧ ମେ’ ୨୦୨୬ରେ ତାଙ୍କ ବିରୋଧରେ ଆମେରିକା ଜିଲ୍ଲା କୋର୍ଟ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ।FBI ର ପୁରସ୍କାର ଘୋଷଣା:ବେଦୀଙ୍କୁ ଧରାଇଦେବା ପାଇଁ FBI ୧,୫୦,୦୦୦ ଡଲାର ର ପୁରସ୍କାର ଘୋଷଣା କରିଥିଲା। ପଞ୍ଜାବ ଡିଜିପି ଗୌରବ ଯାଦବଙ୍କ ସୂଚନା ଅନୁଯାୟୀ, ଜାଲନ୍ଧର କମିଶନରେଟ୍ ପୋଲିସ ଏକ ସୂଚନା ଆଧାରରେ ପରାଗପୁର ଅଞ୍ଚଳରୁ ବେଦୀଙ୍କୁ ଗିରଫ କରିଛି।ଜାଲନ୍ଧର ପୋଲିସ କମିଶନର ସତୀନ୍ଦର ସିଂହ କହିଛନ୍ତି ଯେ ରାମା ମଣ୍ଡି ଥାନାରେ ରୁଜୁ ହୋଇଥିବା ଏକ ମାମଲା ଅଧୀନରେ ତାଙ୍କୁ ବନ୍ଧାଯାଇଛି।

ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା ର ଠକେଇ, ବିଶ୍ୱାସଘାତକତା ଏବଂ 'ପଞ୍ଜାବ ଟ୍ରାଭେଲ ପ୍ରଫେସନାଲ୍ସ ରେଗୁଲେସନ ଆକ୍ଟ' ଅଧୀନରେ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଆମେରିକା ଏଜେନ୍ସି (FBI) ସହ ଯୋଗାଯୋଗରେ ଅଛନ୍ତି ଏବଂ ତାଙ୍କୁ ଆମେରିକା ପ୍ରତ୍ୟର୍ପଣ କରାଯିବାର ସମ୍ଭାବନା ରହିଛି।ସୀମା ପାର୍ କରି ଅପରାଧୀମାନେ ଲୁଚିବାକୁ ଚେଷ୍ଟା କଲେ ବି ଆଇନର ହାତରୁ ବଞ୍ଚିବା ଯେ ଅସମ୍ଭବ, ତାହା ଏହି ଘଟଣାରୁ ପୁଣି ଥରେ ପ୍ରମାଣିତ ହୋଇଛି।