ବରଗଡ଼: ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା କଲେ ବାପ ପୁଅ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବରଗଡ଼ ଜିଲ୍ଲା ବରପାଲି ଥାନା ଅଇଁଠାପାଲି ଗାଁରେ। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୋଲିସର ସୂଚନା ଅନୁଯାୟୀ, ଗାଁର ମୃତ ସୁବଳ ପ୍ରଧାନ ଓ ଅଭିଯୁକ୍ତ କ୍ଷିତିପତି ପ୍ରଧାନଙ୍କ ମଧ୍ୟରେ ଦୀର୍ଘଦିନରୁ ପାରିବାରିକ କଳହ ଲାଗି ରହିଥିଲା। ରବିବାର ରାତିରେ ବାଟରେ ଧାନ ଶୁଖାଇବାକୁ ନେଇ ପୁଣିଥରେ ଉଭୟ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା  ଏବଂ ଏଥିରେ ଉତକ୍ଷିପ୍ତ ହୋଇ କ୍ଷିତିପତି ବେହେରା ଓ ତାଙ୍କ ପୁଅ ଲିପନ ବେହେରା ଏକ କୋଦାଲ ବେଣ୍ଟରେ ସୁବଳ ପ୍ରଧାନକୁ ଆକ୍ରମଣ କରିଥିଲେ।

ଏଥିରେ ସୁବଳଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ ତଳେ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତକଙ୍କ ପତ୍ନୀଙ୍କ ଅଭିଯୋଗ କ୍ରମେ ବରପାଲି ପୋଲିସ ହତ୍ୟାକାଣ୍ଡ ମାମଲା ରୁଜୁ କରିବା ସହ ଏହାର ଅଧିକ ତଦନ୍ତ ଜାରି ରଖିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବରଗଡ଼ ଏସପି ରବିନ୍ଦ୍ରନାଥ ଶତପଥୀ ।