ମୁମ୍ବାଇ: ବଲିଉଡର ଲୋକପ୍ରିୟ ଫିଲ୍ମ ‘ମେଁ ହୁଁ ନା’ର ସିକ୍ୱେଲ୍କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଶାହରୁଖ ଖାନ୍ ଓ ସୁସ୍ମିତା ସେନଙ୍କ ଅଭିନୀତ ଏହି ଫିଲ୍ମର ଦ୍ୱିତୀୟ ଭାଗ ଆସିବ କି ନାହିଁ, ଏହାକୁ ନେଇ ଦୀର୍ଘଦିନ ଧରି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସୁକତା ରହିଛି। ଏବେ ଅଭିନେତା ଅର୍ଜୁନ କପୁରଙ୍କ ଅନୁରୋଧ ପରେ ନିର୍ଦ୍ଦେଶିକା ଫରାହ ଖାନଙ୍କ ଏକ ପ୍ରତିକ୍ରିୟା ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି।

ସୂଚାନୁଯାଇ, ଫରାହ ଖାନଙ୍କ ନିର୍ଦ୍ଦେଶନାରେ ୨୦୦୪ରେ ମୁକ୍ତିଲାଭ କରିଥିଲା ଫିଲ୍ମ ‘ମେଁ ହୁଁ ନା’। ଶାହରୁଖ ଖାନ୍, ସୁସ୍ମିତା ସେନ୍, ଜାୟେଦ ଖାନ୍ ଓ ଅମୃତା ରାଓଙ୍କ ଅଭିନୟରେ ଏହି ଫିଲ୍ମ ଦର୍ଶକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇଥିଲା। ଫିଲ୍ମର କାହାଣୀ, ଆକ୍ସନ୍, କମେଡି ଓ ରୋମାନ୍ସ ଆଜି ମଧ୍ୟ ଦର୍ଶକଙ୍କ ମନରେ ରହିଛି। ନିକଟରେ ଅର୍ଜୁନ କପୁର ‘ମେଁ ହୁଁ ନା’ର ଦ୍ୱିତୀୟ ଭାଗ ନିର୍ମାଣ କରିବା ପାଇଁ ଫରାହ ଖାନଙ୍କୁ ଅନୁରୋଧ କରିଥିବା ଚର୍ଚ୍ଚା ହୋଇଛି। ଅର୍ଜୁନଙ୍କ ଏହି ଅନୁରୋଧକୁ ଫରାହ ଖାନ୍ ଅଣଦେଖା ନକରି ଅର୍ଜୁନଙ୍କ ଷ୍ଟୋରିକୁ ରିପୋଷ୍ଟ କରି ଲେଖିଥିଲେଯେ “ହା ହା ହା… ଅଗର କିସି ଚିଜ କୋ ଦିଲ ସେ ମାଙ୍ଗୋ... @ଅର୍ଜୁନ କପୁର ଲଭ ୟୁ ..” ଫରାହଙ୍କ ଏହି ଉତ୍ତର ପରେ ‘ମେଁ ହୁଁ ନା ୨’କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢ଼ିଛି। ଫରାହଙ୍କ ପ୍ରତିକ୍ରିୟାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଆଶା ବଢ଼ିଛି।

ତେବେ ‘ମେଁ ହୁଁ ନା ’ର ସିକ୍ୱେଲକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ। ଫରାହ ଖାନଙ୍କ ଉତ୍ତରକୁ ଫ୍ୟାନ୍ସ ଏକ ହିଣ୍ଟ ଭାବେ ନେଉଥିଲେ ମଧ୍ୟ, ଫିଲ୍ମ ସିକ୍ୱେଲ୍ ନିର୍ମାଣ ନିଶ୍ଚିତ ହୋଇଛି ବୋଲି କୁହାଯାଇପାରିବ ନାହିଁ। ଅର୍ଜୁନ କପୁରଙ୍କ ଅନୁରୋଧ ଓ ଫରାହ ଖାନଙ୍କ ପ୍ରତିକ୍ରିୟା ପରେ ଏବେ ପ୍ରଶ୍ନ ଉଠୁଛି କ'ଣ ପୁଣିଥରେ ବଡ଼ ପରଦାରେ ଫେରିବ କି ‘ମେଁ ହୁଁ ନା’ ? ଫିଲ୍ମର ଅଫିସିଆଲ୍ ଘୋଷଣା ଉପରେ ଏବେ ଫ୍ୟାନ୍ସଙ୍କ ନଜର ରହିଛି।