ନୂଆଦିଲ୍ଲୀ, ୧୦/୦୯ : ଜର୍ମାନୀର ସାକ୍ସୋନି-ଆନହଲ୍ଡ ପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ ଅଲଟରନେଟିଭ ଫର୍ ଜର୍ମାନୀ ପାର୍ଟି (ଏଏଫଡି) ବୃହତ୍ ବିଜୟ ହାସଲ କରିଛି। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପ୍ରଥମ ଥର ପାଇଁ ଜର୍ମାନୀରେ କୌଣସି କଠୋର ଦକ୍ଷିଣପନ୍ଥୀ ଦଳ ପ୍ରଦେଶ ନିର୍ବାଚନ ଜିତି କ୍ଷମତାସୀନ ହେବା ନିକଟତର ହୋଇଛି। ଏହାଦ୍ଵାରା ଭବିଷ୍ୟତରେ ଜର୍ମାନୀରେ ପୁଣି ‘ହିଟ୍ଲର ରାଜ୍' ମୁଣ୍ଡ ଟେକିବା ଆଶଙ୍କା ରହିଛି। ଫଳରେ ୟୁରୋପର ଚିନ୍ତା ବଢ଼ିଯାଇଛି।

ଅନ୍ୟ ଦେଶଗୁଡ଼ିକରୁ ଆସି ଜର୍ମାନୀରେ ବସତି ସ୍ଥାପନ କରିଥିବା ଲୋକ ଏବଂ ସମଲିଙ୍ଗୀ ବିବାହ ବିରୋଧରେ କଠୋର ଆଭିମୁଖ୍ୟ ଆପଣାଇ ଦଳ ଚର୍ଚ୍ଚାରେ ରହିଛି। କିନ୍ତୁ ଏହି ଦଳର କାହାଣୀରେ ଆଉ ଏକ ବଡ଼ ଟିଷ୍ଟ ବି ରହିଛି। ଏହାର ମୁଖ୍ୟ ଖୋଦ ଏଲିସ୍ ୱିଡଲ୍ ଜଣେ ସମଲିଙ୍ଗୀ (ଲେସବିୟାନ)। ତାଙ୍କ ସାଥୀ ଶ୍ରୀଲଙ୍କାରେ ଜନ୍ମିତ ସାରା ବସାର୍ଡ । ସାରା ଜଣେ ଫିଲ୍ମ ନିର୍ମାତା । ଜର୍ମାନୀରେ ଏଏଫଡିର ବର୍ଦ୍ଧିତ ପ୍ରଭାବ ପଛରେ ୱିଡଲଙ୍କର ବଡ଼ ହାତ ରହିଥିବା କୁହାଯାଏ ।

ଜର୍ମାନୀ ସମ୍ବାଦପତ୍ର ‘ଡାଏ ୱେଲଟ’ର ରିପୋର୍ଟ ମୁତାବକ, ୱିଡଲଙ୍କ ପିଲାଦିନ ଏଭଳି ବାତାବରଣରେ ବିତିଛି ଯେଉଁଠାରେ ରାଜନୀତିକୁ ନେଇ ପ୍ରବଳ ଚର୍ଚ୍ଚା ହେଉଥିଲା। ତେବେ ତାଙ୍କ ପିତାମାତା କୌଣସି ରାଜନୈତିକ ଦଳ ସହ ଜଡ଼ିତ ନ ଥିଲେ। ୱିଡଲଙ୍କ ଜେଜେବାପା ହଂସ୍ ୱିଡଲ୍ ହିଟଲରଙ୍କ ନାଜି ପାର୍ଟି ସହ ଜଡ଼ିତ ଥିଲେ । ଏହି ସମୟରେ ତାଙ୍କର ଯଥେଷ୍ଟ ଉନ୍ନତି ହୋଇଥିଲା । ହିଟଲର୍ ତାଙ୍କୁ ୧୯୪୧ରେ ନାଜି କବଜାରେ ଥିବା ୱାରସରେ ସେନା ବିଚାରପତି ବନାଇଥିଲେ।

Also Read :- ନିର୍ବାଚନ ଲଢିବାକୁ ବିଜେପିକୁ ମିଳିଛି ୧୪୦୦ କୋଟି ଟଙ୍କା ଚାନ୍ଦା, କଂଗ୍ରେସକୁ ମାତ୍ର ୨୦୦ କୋଟି !

ଓ୍ୱିଡଲ୍ ପରିବାର ସେତେବେଳେ ସିଲେସିୟାରେ ରହୁଥିଲା। ଏବେ ଏହା ପୋଲାଣ୍ଡର ଅଞ୍ଚଳ। ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଯେତେବେଳେ ହିଟଲର୍ ପରାଜିତ ହେଲେ ୱିଡଲ୍ ପଳାୟନ କରି ପଶ୍ଚିମ ଜର୍ମାନୀରେ ପହଞ୍ଚିଥିଲେ। ଏଠାରେ ୱିଡଲ୍ ପରିବାର ଫର୍ଣ୍ଣିଚର କାମ ଆରମ୍ଭ କରିଥିଲା । ୧୯୭୯ରେ ଏଲିସ୍ ଜନ୍ମ ଲାଭ କରିଥିଲେ । ସେ ୬ ବର୍ଷର ଥିଲାବେଳେ ତାଙ୍କ ଜେଜେବାପାଙ୍କର ମୃତ୍ୟୁ ହୋଇଥିଲା। ସ୍କୁଲ ବେଳେ ସେ ଡାକ୍ତର ହେବାକୁ ଚାହୁଁ ଥିଲେ। କିନ୍ତୁ ପିତାଙ୍କ ପରାମର୍ଶରେ ସେ ଅର୍ଥଶାସ୍ତ୍ର ଓ ବାଣିଜ୍ୟରେ ପାଠ ପଢ଼ିଥିଲେ । ଏହାପରେ ସେ ବ୍ୟାଙ୍କିଙ୍ଗ୍ ଓ ବ୍ୟବସାୟରେ କ୍ୟାରିୟର ଆରମ୍ଭ କରିଥିଲେ। କିଛିଦିନ ଆମେରିକାର ନିବେଶ କମ୍ପାନି ଗୋଲ୍ଡମ୍ୟାନ୍ ସାଚରେ କାମ କରିଥିଲେ। ଏହାପରେ ଚୀନ୍ ଚାଲିଯାଇଥିଲେ।

ଏହା ମଧ୍ୟରେ ଦଳର ୨୦୧୩ରେ ନବଗଠିତ ଏଏଫଡି ପାର୍ଟିରେ ସାମିଲ ହୋଇଥିଲେ ୪୫ ବର୍ଷୀୟ ଏଲିସ। ଜର୍ମାନୀର ନୀତିଗୁଡ଼ିକୁ ସମାଲୋଚନା କରି ସେ ଚର୍ଚ୍ଚାକୁ ଆସି ଆସିଥିଲେ । କିଛିଦିନ ରାଷ୍ଟ୍ରୀୟ ନେତୃତ୍ବ ପର୍ଯ୍ୟନ୍ତ ପହଞ୍ଚିଥିଲେ। ସାକ୍ସୋନି ଓ ଥିରିଙ୍ଗିଆ ଭଳି ପ୍ରଦେଶରେ ଏଏଫଡିର ଦବଦବା ରହିଛି। ସଦ୍ୟ ସାକ୍ସୋନି- ଆନହଲ୍ଡ, ପ୍ରଦେଶ ନିର୍ବାଚନରେ ଦଳକୁ ୪୪% ଭୋଟ ମିଳିଛି । ସରକାର ଗଠନ ପାଇଁ ଏହାକୁ ଅନ୍ୟ ଦଳର ସମର୍ଥନ ମିଳିବା ଜରୁରି। ଯଦି ଏହା ସମ୍ଭବ ହୁଏ, ତେବେ ଆଗାମୀ ଦିନରେ ଏଲିସ୍ ଜର୍ମାନୀର ଚାନସେଲର୍ ହେବା ଅସମ୍ଭବ ହେବନାହିଁ ।