ମୁମ୍ଵାଇ ୦୯।୦୯; ଗ୍ଲାମର ଦୁନିଆର ଚମକ ପଛରେ ଲୁଚିଥିଲା ଡାର୍କ ଚାପ୍ଟର। ଜେଲର ଚାରି କାନ୍ଥ ଭିତରେ କଟିଲା ସାଢ଼େ ଚାରି ମାସ। ଏବେ ସେହି ଭୟଙ୍କର ଅନୁଭୂତିର କାହାଣୀ କହିଛନ୍ତି ପଞ୍ଜାବୀ ଅଭିନେତ୍ରୀ ସନ୍ଦୀପା ଭିର୍କ। ୬ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ ପରେ ତାଙ୍କୁ ତିହାର ଜେଲ ପଠାଯାଇଥିଲା। ଏକ ପଡକାଷ୍ଟରେ ନିଜ ଜେଲ୍ ଯାତ୍ରାର କଥା କହିବା ବେଳେ ସନ୍ଦୀପା କାନ୍ଦି ପକାଇଥିଲେ । କହିଥିଲେ ଗିରଫ ହେବା ଠାରୁ ଜେଲ୍ ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତ ତାଙ୍କ ପାଇଁ ଥିଲା ଯନ୍ତ୍ରଣାଦାୟକ।

ତାଙ୍କ କହିବା ଅନୁସାରେ, ପ୍ରଥମେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାର ପରିବେଶ ଏବଂ ଅସ୍ୱଚ୍ଛ ଶୌଚାଳୟର ଅବସ୍ଥା ତାଙ୍କୁ ଅସୁବିଧାରେ ପକାଇଥିଲା। ପରେ କୋର୍ଟରେ ହାଜର କରାଯାଇ ୬ ଦିନ ପାଇଁ ED ହେପାଜତକୁ ପଠାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ଆରମ୍ଭ ହୋଇଥିଲା ତିହାର ଅଧ୍ୟାୟ।

ସନ୍ଦୀପା କହିଛନ୍ତି ଯେ, ରିମାଣ୍ଡର ପ୍ରଥମ ଦିନରେ ହିଁ ଚାପ ଯୋଗୁଁ ତାଙ୍କର ପ୍ରବଳ ପେଟ ଯନ୍ତ୍ରଣା ହୋଇଥିଲା। ଗ୍ୟାସ ଅଧିକ ହେବାରୁ ଚିକିତ୍ସା ପାଇଁ ଅନୁରୋଧ ସତ୍ତ୍ୱେ ସହାୟତା ମିଳିନଥିଲା ବୋଲି ସେ କହିଛନ୍ତି। କହିଥିଲେ କି "ପ୍ରଥମେ, ସେମାନେ ମୋତେ ଡାକ୍ତରଖାନାକୁ ନେଇଗଲେ। ସେଠାରେ ଏକ ନିୟମ ଅଛି ଯେ ମହିଳାମାନଙ୍କୁ ପ୍ରେଗନେନ୍ସି ଟେଷ୍ଟ କରିବାକୁ ପଡିବ। ମୁଁ ଏକ ମଇଳା ଅପରିଷ୍କାର ଶୌଚାଳୟକୁ ଗଲି। ମୋତେ ଏକ କିଟ୍ ଦିଆଯାଇଥିଲା।"

ହେଲେ ସବୁଠାରୁ ଅଧିକ ଯନ୍ତ୍ରଣାଦାୟକ ଥିଲା ଜେଲରେ ଯାଞ୍ଚ ସମୟର ଅନୁଭୂତି। ସନ୍ଦୀପାଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ଏକାଧିକ ଥର ସମ୍ପୂର୍ଣ୍ଣ ପୋଷାକ ଖୋଲି ତଲାସୀ ଦେବାକୁ ବାଧ୍ୟ କରାଯାଇଥିଲା। ସେ ଏହାକୁ ମାନସିକ ନିର୍ଯାତନା ବୋଲି ବର୍ଣ୍ଣନା କରିଛନ୍ତି। ତିହାରରେ ଗରିବ କଏଦୀଙ୍କ ଅବସ୍ଥା ନେଇ ମଧ୍ୟ ସେ ନିଜ ଅନୁଭୂତି ବାଣ୍ଟିଛନ୍ତି। ଜେଲର ପରିବେଶ ଓ ଶୌଚାଳୟ ସଫା କରିବାର ଦାୟିତ୍ୱ ଏବଂ କଏଦୀଙ୍କ ଜୀବନକୁ ନେଇ ସେ ଅନେକ କଥା କହିଛନ୍ତି।

ତେବେ ସନ୍ଦୀପାଙ୍କ ଦାବି ଏବଂ ଅଭିଯୋଗକୁ ନିଜ ବିରୋଧରେ ଥିବା ମାମଲାକୁ ମଧ୍ୟ ସେ ମିଥ୍ୟା ବୋଲି ଦାବି କରିଛନ୍ତି। ଜେଲରୁ ବାହାରିବା ପରେ ବି ତିହାରର ସେହି ଦିନଗୁଡ଼ିକ ଭୁଲି ପାରୁନାହାନ୍ତି। ଅତୀତକୁ ମନେ ପକାଇ ଆଜି ବି ଭାବପ୍ରବଣ ହୋଇପଡ଼ୁଛନ୍ତି ସନ୍ଦୀପା। ଗ୍ଲାମର ଦୁନିଆର ଏହି ଚେହେରା ପଛରେ ଲୁଚିଥିବା ଯନ୍ତ୍ରଣାର କାହାଣୀ ଏବେ ଚର୍ଚ୍ଚାରେ ରହିଛି।