ପାରାଦୀପ ୧୩।୬: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଆଲିଗଡ ଗାଁରେ ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ କରାଯାଇଛି । ଏହି କାରଖାନାରୁ ବିପୁଳ ପରିମାଣର ଜର୍ଦ୍ଦା ଜବତ କରାଯିବା ସହିତ କାରଖାନାର ମାଲିକ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜଗତସିଂହପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ମୁଖ୍ୟ ଅଭିଯୁକ୍ତ ତଥା କାରଖାନାର ମାଲିକ ସୁବାସ ସ୍ବାଇଁ ନିଜ ଘର ନିକଟରେ ଏକ ଗୋଦାମ କରିଥିଲେ । ଯେଉଁଥିରେ ନକଲି ଗୁଟଖା ଓ ଗୋପାଳ ଜର୍ଦ୍ଦା ପ୍ରସ୍ତୁତ କରାଯାଇ ବଜାରକୁ ଛଡା ଯାଉଥିଲା । ଏ ସମ୍ପର୍କରେ ପୋଲିସକୁ ସୂଚନା ମିଳିବା ପରେ ତିର୍ତ୍ତୋଲ ଏସଡିପିଓ ଓ କୁଜଙ୍ଗ ଆଇଆଇସିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ୩୬୦ କିଲୋ ନକଲି ଜର୍ଦ୍ଦା ଓ ୬୬୦ କିଲୋ ଜର୍ଦ୍ଦା ତିଆରି ସାମଗ୍ରୀ ଜବତ କରିଥିଲେ । ଏଥିସହିତ ଏହି କାରଖାନାରେ ୬ଟି ଜର୍ଦ୍ଦା ଓ ଗୁଟଖା ତିଆରି ମେସିନ, ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ୍‌ କମ୍ପାନୀର ଖୋଳ ଓ ଷ୍ଟିକର ମଧ୍ୟ ଜବତ କରାଯାଇଛି । ସେହିପରି ସେଠାରେ ଥିବା ନଗଦ ଲକ୍ଷେ ଟଙ୍କା ଓ ଏକ କାର୍‌କୁ ମଧ୍ୟ ପୋଲିସ ଜବତ କରିଛି । ଏହି ଘଟଣାରେ କାରଖାନାର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବିଜୟ ମୁଦୁଲିକୁ ମଧ୍ୟ ଗିରଫ କରାଯାଇଛି ।

Also Read:- ଚନ୍ଦ୍ରିକାଙ୍କ ଭଉଣୀ ଦେଲେ ସାଙ୍ଘାତିକ ବୟାନ, କେବଳ ଭୀମସେନ ନୁହେଁ ତାଙ୍କ ଜୀବନରେ ଥିବା ଯୁବତୀ ବି ଏଥିରେ ସଂପୃକ୍ତ

ଏମାନେ ଏଠାରେ ନକଲି ଗୁଟଖା ଓ ଜର୍ଦ୍ଦା ପ୍ରସ୍ତୁତ କରି ଅସଲି ଖୋଳରେ ପ୍ୟାକିଂ କରି ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଦୋକାନ ଓ ହୋଲସେଲ ଦୋକାନରେ ବିକ୍ରୟ କରିଥାନ୍ତି। ଏହି ଘଟଣାର ତଦନ୍ତ ଏବେବି ଚାଲିଛି ଏବଂ ଏହି ଘଟଣାରେ ଆଉ କେଉଁମାନେ ସାମିଲ ଅଛନ୍ତି ଓ ଏମାନେ ଅନ୍ୟ କେଉଁ ଜିଲ୍ଲାକୁ ସପ୍ଲାଏ କରନ୍ତି ତାହାର ତଦନ୍ତ ଜାରି ରହିଥିବା ଏସପି ପ୍ରକାଶ କରିଛନ୍ତି।