ମୁମ୍ବାଇ: ଦେଶରେ ନଗଦ କାରବାର ବୃଦ୍ଧି ପାଉଥିବା ବେଳେ ଜାଲ୍ ନୋଟ୍ କାରବାର ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ବଢିବାରେ ଲାଗିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟ (୨୦୨୫-୨୬) ଅନୁଯାୟୀ, ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଚିହ୍ନଟ ହୋଇଥିବା ଜାଲ୍ ନୋଟ୍ ସଂଖ୍ୟାରେ ୫.୭ ପ୍ରତିଶତ ବୃଦ୍ଧି ଘଟିଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ବଜାରରେ ସବୁଠାରୁ ଅଧିକ ପ୍ରଚଳିତ ଥିବା ୫୦୦ ଟଙ୍କିଆ ନୋଟକୁ ଜାଲ୍ କାରବାରୀମାନେ ସବୁଠାରୁ ଅଧିକ ଟାର୍ଗେଟ୍ କରିଛନ୍ତି। ୫୦୦ ଟଙ୍କିଆ ଜାଲି ନୋଟରେ ୨୦.୫% ର ବୃଦ୍ଧି ରେକର୍ଡ କରାଯାଇଛି।

କେଉଁ ନୋଟର ସାରକୁଲେସନ କେତେ ?

ଭାରତୀୟ ବ୍ୟାଙ୍କିଙ୍ଗ ପ୍ରଣାଳୀରେ ଚିହ୍ନଟ ହୋଇଥିବା ନକଲି ନୋଟ୍ ସମ୍ପର୍କରେ ଆରବିଆଇ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ସେଗୁଡିକ ହେଲା- 

ସମୁଦାୟ ଜାଲ୍ ନୋଟ୍: ଆର୍ଥିକ ବର୍ଷ ୨୦୨୫-୨୬ (FY26) ରେ ସମୁଦାୟ ୨,୨୯,୭୪୬ ଟି ଜାଲ୍ ନୋଟ୍ ଧରାପଡିଛି, ଯାହା ଗତ ବର୍ଷ (୨,୧୭,୩୯୬ ଟି) ତୁଳନାରେ ୫.୭% ଅଧିକ।
୫୦୦ ଟଙ୍କିଆ ଜାଲ୍ ନୋଟର ଦବଦବା : କେବଳ ୫୦୦ ଟଙ୍କିଆ ଜାଲ୍ ନୋଟ୍ ସଂଖ୍ୟା ୨୦.୫% ବଢି ୧,୪୧,୯୦୭ ଖଣ୍ଡରେ ପହଞ୍ଚିଛି। ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ମିଳିଥିବା ସମସ୍ତ ଜାଲ୍ ନୋଟ୍ ମଧ୍ୟରୁ ୬୧.୮% କେବଳ ୫୦୦ ଟଙ୍କିଆ ନୋଟ୍। ଗତ ତିନି ବର୍ଷ ମଧ୍ୟରେ ଏହି ହାର କ୍ରମାଗତ ଭାବେ ବୃଦ୍ଧି ପାଇଛି (ଆର୍ଥିକ ବର୍ଷ ୨୦୨୪ ରେ ୩୮.୫% ଏବଂ ୨୦୨୫ରେ ୫୪.୨%)।
୨୦ ଟଙ୍କିଆ ନୋଟରେ ବୃଦ୍ଧି: ପ୍ରତିଶତ ହିସାବରେ ୨୦ ଟଙ୍କିଆ ଜାଲ୍ ନୋଟରେ ୪୭.୪% ର ବଡ଼ ଜାଲି ନୋଟ କାରବାର ଦେଖିବାକୁ ମିଳିଛି (ସମୁଦାୟ ୩୭୩ ଖଣ୍ଡ)।
୨,୦୦୦ ଟଙ୍କିଆ ନୋଟ୍ ହ୍ରାସ: ଆରବିଆଇ ଦ୍ୱାରା ୨,୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯାଇଥିବାରୁ ଏହାର ନକଲି ନୋଟ୍ ସଂଖ୍ୟା ୭୬.୫% ହ୍ରାସ ପାଇ ମାତ୍ର ୮୨୪ ଖଣ୍ଡକୁ ଖସି ଆସିଛି।
ଅନ୍ୟାନ୍ୟ ନୋଟରେ ହ୍ରାସ: ବଜାରରେ ୧୦, ୫୦, ୧୦୦ ଏବଂ ୨୦୦ ଟଙ୍କିଆ ମୂଲ୍ୟର ଜାଲ୍ ନୋଟ୍ ଚିହ୍ନଟ ପ୍ରକ୍ରିୟାରେ ହ୍ରାସ ଘଟିଛି।

ଆରବିଆଇର ପରବର୍ତ୍ତୀ ପଦକ୍ଷେପ

ଜାଲ୍ ମୁଦ୍ରାର ପ୍ରସାରକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର 'ଉତ୍କର୍ଷ ୨୦୨୯' (Utkarsh 2029) କାର୍ଯ୍ୟକ୍ରମ ଅଧୀନରେ ଭାରତୀୟ ବ୍ୟାଙ୍କ ନୋଟ୍ଗୁଡ଼ିକର ସୁରକ୍ଷା ବୈଶିଷ୍ଟ୍ୟ (Security Features) କୁ ଅଧିକ ଆଧୁନିକ ଓ ମଜବୁତ କରିବାକୁ ଯୋଜନା କରୁଛି। ଏହା ସହିତ ନୋଟର ସ୍ଥାୟୀତ୍ୱ ବୃଦ୍ଧି ଏବଂ ଜାଲିଆତି ରୋକିବା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯିବ।