କୋଲକାତା: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ଅଧିକାରୀ ବୋଲି ପରିଚୟ ଦେଇ ମନ୍ତ୍ରୀଙ୍କୁ ଚକମା ଦେଇଥିଲେ ମହିଳା । ପଶ୍ଚିମବଙ୍ଗ ସଚିବାଳନ ନବାନ୍ନରେ ପଶି ପୂର୍ତ୍ତ (PWD) ମନ୍ତ୍ରୀ ଅଜୟ ପୋଦ୍ଦାରଙ୍କ ସହ ସାକ୍ଷାତ କରିଥିଲେ ଏବଂ ଫଟୋ ବି ଉଠାଇଥିଲେ । କିନ୍ତୁ ଏହି ସମୟରେ ତାଙ୍କ କଥାବାର୍ତ୍ତାକୁ ନେଇ ମନ୍ତ୍ରୀ ସନ୍ଦେହ କରିଥିଲେ । ଯାଞ୍ଚ ହେବା ପରେ ମନ୍ତ୍ରୀଙ୍କ ସନ୍ଦେହ ସତ ହେଲା ଏବଂ କୋଲକାତା ପୁଲିସ ମହିଳାଙ୍କୁ ଦିଲ୍ଲୀରୁ ଗିରଫ କରିଛି ।

ମହିଳା ଜଣକ ନବାନ୍ନରେ ମନ୍ତ୍ରୀ ଅଜୟ ପୋଦ୍ଦାରଙ୍କ ସହ ସାକ୍ଷାତ କରିଥିଲେ ଏବଂ ତାଙ୍କ ସହ ଏକ ଫଟୋ ମଧ୍ୟ ଉଠାଇଥିଲେ। କିନ୍ତୁ କଥାବାର୍ତ୍ତା ସମୟରେ ମହିଳାଙ୍କର କିଛି ସନ୍ଦେହଜନକ ମନ୍ତବ୍ୟ ଯୋଗୁଁ ମନ୍ତ୍ରୀଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଏହା ପରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମହିଳାଙ୍କ ପରିଚୟ ଯାଞ୍ଚ କରାଯିବାରୁ ସେ PMO ସହ ଜଡ଼ିତ ନଥିବା ଜଣାପଡ଼ିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ହାଓ୍ବଡ଼ାର ଶିବପୁର ଥାନାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରାଯାଇଥିଲା।

ଦିଲ୍ଲୀରୁ ଗିରଫ କଲା ହାଓ୍ବଡ଼ା ପୁଲିସ

ଅଭିଯୋଗ ହେବା ବେଳକୁ ଅଭିଯୁକ୍ତ ଆକାଂକ୍ଷା ବିଦ୍ୟାର୍ଥୀ ବିମାନ ଯୋଗେ କୋଲକାତାରୁ ଦିଲ୍ଲୀ ପଳାଇଥିଲେ। ହାଓ୍ବଡ଼ା ପୁଲିସର ଏକ ଟିମ୍‌ ଦିଲ୍ଲୀରେ ପହଞ୍ଚି ମଧ୍ୟ-ଦିଲ୍ଲୀସ୍ଥିତ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରିଥିଲା । ପରେ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କୋଲକାତା ଅଣାଯାଇଛି। ସଚିବାଳୟ ଭଳି ଏକ ଉଚ୍ଚ ନିରାପତ୍ତା ବଳୟ ମଧ୍ୟକୁ ସେ କିପରି ପ୍ରବେଶ କଲେ ଏବଂ ପୂର୍ବରୁ ଅନ୍ୟ କୌଣସି ଅଧିକାରୀଙ୍କୁ ଏପରି ନକଲି ପରିଚୟ ଦେଇ ଠକିଛନ୍ତି କି ନାହିଁ, ସେ ନେଇ ପୁଲିସ ଅଧିକ ତଦନ୍ତ କରୁଛି ।