ଭୋପାଳ: ନିଜ ଜାଲରେ ନିଜେ ଛନ୍ଦି ହୋଇଗଲେ ନକଲି ମହିଳା ଆଇଏଏସ୍‌ ଅଧିକାରୀ ।  ନିଜକୁ ଭାରତୀୟ ପ୍ରଶାସନିକ ସେବା (IAS)ର ବରିଷ୍ଠ ଅଫିସର କହି ସାଧାରଣ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ଜଣେ ମହିଳା ଶେଷରେ ନିଜ ଭିଡିଓ ବ୍ଲଗ୍‌ ଯୋଗୁଁ ପୋଲିସ ହାତରେ ଧରାପଡ଼ିଛନ୍ତି   । ମଧ୍ୟପ୍ରଦେଶର ଭୋପାଳରୁ ସାମ୍ନାକୁ ଆସିଥିବା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ତୃପ୍ତି ସିଂହ ରାଜପୁତ। ସେ ନିଜକୁ ମଧ୍ୟପ୍ରଦେଶ ପର୍ଯ୍ୟଟନ ବିଭାଗର ‘ଅତିରିକ୍ତ ନିର୍ଦ୍ଦେଶକ’ଭାବରେ ପରିଚୟ ଦେଉଥିଲେ। ଲୋକଙ୍କ ବିଶ୍ୱାସ ଜିତିବା ପାଇଁ ସେ, Government of India ଲେଖାଥିବା ଏକ ଦାମୀ ଟୋୟୋଟା ଇନୋଭା ଗାଡ଼ି ବ୍ୟବହାର କରୁଥିଲେ। 

। ସରକାରୀ ଚାକିରି କରାଇଦେବା, ପର୍ଯ୍ୟଟନ ବିଭାଗର ପ୍ରପର୍ଟି ଲିଜ୍‌ରେ ଦେବା ଏବଂ ସରକାରୀ ଟେଣ୍ଡର ଦେବା ବାହାନାରେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରୁଥିଲେ।ଜଣେ ବ୍ୟବସାୟୀଙ୍କୁ ପର୍ଯ୍ୟଟନ ବିଭାଗର ହୋଟେଲ୍‌ ଲିଜ୍‌ରେ ଦେବାକୁ କହି ସେ ପ୍ରାୟ ୪୯ ଲକ୍ଷ ଟଙ୍କା ଠକି ନେଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଛି। 

ସବୁକିଛି ଠିକ୍‌ଠାକ୍‌ ଚାଲିଥିବା ବେଳେ ତୃପ୍ତିଙ୍କର ଗୋଟିଏ ସୋସିଆଲ୍‌ ମିଡିଆ ଭିଡିଓ ହିଁ ତାଙ୍କୁ ଧରାପକାଇଥିଲା । ଇନ୍‌ଷ୍ଟାଗ୍ରାମରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ତୃପ୍ତିଙ୍କ ସହ ଅନ୍ୟ ଦୁଇଜଣ ମହିଳା ଦେଖାଯାଉଥିଲେ। ଭିଡିଓରେ ସେମାନେ ଦାବି କରିଥିଲେ ଯେ, ସେମାନେ ମଧ୍ୟପ୍ରଦେଶ ବିଧାନସଭାକୁ ଆସିଛନ୍ତି ଏବଂ ଭିତରେ କ୍ୟାମେରା ମନା ଥିବାରୁ ବାହାରେ ଭିଡିଓ ବନାଉଛନ୍ତି। ଏହାସହ ‘ଆମ ଚାଲିଚଳନରୁ କେହି କହିପାରିବେ ନାହିଁ ଯେ, ଆମେ IAS ଅଫିସର’ ବୋଲି ହସିହସି କହୁଥିବାର ଦେଖାଯାଇଥିଲା।

ପୋଲିସ ତଦନ୍ତରୁ ଖୋଲିଲା ଗୁମର
ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପୋଲିସର ନଜରକୁ ଆସିଥିଲା। ପୋଲିସ ଯେତେବେଳେ ଘଟଣାର ଛାନ୍‌ଭିନ୍‌ କଲା, ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା । ଭିଡିଓଟି ବିଧାନସଭା ବାହାରେ ନୁହେଁ, ବରଂ ଭୋପାଳର ଏକ ' ସଂଗ୍ରହାଳୟ' ଭିତରେ ଶୁଟିଂ କରାଯାଇଥିଲା।  ଭିଡିଓରେ ଥିବା ଅନ୍ୟ ଦୁଇଜଣ ମହିଳାଙ୍କୁ ପୋଲିସ ପଚରାଉଚୁରା କରିବାରୁ ସେମାନେ କହିଥିଲେ ଯେ, ତୃପ୍ତି ସେମାନଙ୍କୁ IAS ଅଫିସର ହେବାର ନାଟକ କରିବାକୁ କହିଥିଲେ। ଏପରିକି ସେମାନଙ୍କୁ IAS କରାଇଦେବା ନାଁରେ ତୃପ୍ତି ୩-୩ ଲକ୍ଷ ଟଙ୍କା ନେଇଥିଲେ। 

ପୋଲିସ କାର୍ଯ୍ୟାନୁଷ୍ଠାନ
ଘଟଣାର ସତ୍ୟତା ଜାଣିବା ପରେ ଭୋପାଳ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୃପ୍ତି ସିଂହ ରାଜପୁତ ଏବଂ ତାଙ୍କ ଭାଇଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନକଲି ଆଇଏଏସ୍‌ ଏବଂ ସିବିଆଇ ଆଇଡି କାର୍ଡ,ଭାରତ ସରକାର ଲେଖାଥିବା ନକଲି ଗାଡ଼ି ଏବଂ ବହୁ ନକଲି ସରକାରୀ କାଗଜପତ୍ର ଜବତ କରାଯାଇଛି। ପୋଲିସ ବର୍ତ୍ତମାନ ତୃପ୍ତି ଆଉ କେଉଁ କେଉଁ ଲୋକଙ୍କୁ ଠକିଛନ୍ତି, ସେ ନେଇ ଅଧିକ ତଦନ୍ତ ଚଳାଇଛି।