କାବୁଲ ୧୯।୧: ଆଫଗାନିସ୍ତାନ ରାଜଧାନୀ କାବୁଲ ସହରର କେନ୍ଦ୍ରସ୍ଥଳ ଶହର-ଏ-ନାବରେ ଥିବା ଏକ ହୋଟେଲରେ ସୋମବାର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ଅନେକ ଲୋକ ହତାହତ ହୋଇଥିବା ଆଶଙ୍କା କରାଯାଉଛି। ତେବେ କଣ ପାଇଁ ବିସ୍ଫୋରଣ ହେଲା ତାହା ଏବେ ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ଏହା ଦୁର୍ଘଟଣା ଥିଲା ନା ଆତଙ୍କବାଦୀ ଆକ୍ରମଣ ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି। କାବୁଲ ପୋଲିସ ମୁଖପାତ୍ର ଖାଲିଦ ଜାଦରାନ କହିଛନ୍ତି ଯେ ହୋଟେଲରେ ହୋଇଥିବା ବିସ୍ଫୋରଣରେ ଅନେକ ଲୋକ ହତାହତ ହୋଇଛନ୍ତି।

ତେବେ ଗୃହମନ୍ତ୍ରାଳୟ ମୁଖପାତ୍ର ଅବଦୁଲ ମତିନ କାନି କହିଛନ୍ତି ଯେ ଏହି ବିସ୍ଫୋରଣରେ କିଛି ଲୋକଙ୍କ ମୃତ୍ୟୁ ହୋଇଛି ଓ ଆଉ କିଛି ଲୋକେ ଆହତ ହୋଇଛନ୍ତି। ତେବେ ମୃତାହତଙ୍କ ସଂଖ୍ୟା ନେଇ ଅଧିକାରୀ ସ୍ପଷ୍ଟ ଭାବେ କିଛି କହିନାହାନ୍ତି। ବିସ୍ଫୋରଣ ପରେ ସୁରକ୍ଷା ବଳ ଅଞ୍ଚଳକୁ ସିଲ କରିଦେଇଛନ୍ତି। ଘଟଣାସ୍ଥଳକୁ ଜରୁରୀକାଳୀନ ଟିମ୍ କୁ ପଠାଯାଇଛି। ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ ଟୋଲୋ ନ୍ୟୁଜ୍ ଦ୍ୱାରା ପ୍ରସାରିତ ହେଉଥିବା ଭିଡିଓ ଫୁଟେଜରେ ହୋଟେଲ ନିକଟ ସଡକରେ ଭୀଷଣ ଧୂଆଁ ଓ ଧୂଳି ଉଠୁଥିବା ଦେଖାଯାଇଛି।