ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଇଥାନଲ ମିଶ୍ରଣ ପ୍ରୋଗ୍ରାମ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ସରକାର ଆଜି କୋର୍ଟରେ ଏହାର ଜବାବ ରଖିଛନ୍ତି। ଇ-୨୦(ପେଟ୍ରୋଲରେ ୨୦% ଇଥାନଲ) ଏକ ପରୀକ୍ଷଣ, ଆସନ୍ତା ବର୍ଷ ଏହାର ରେଜଲ୍ଟ କ୍ଲିୟର ହେବ ବୋଲି ସରକାର କୋର୍ଟଙ୍କୁ କହିଛନ୍ତି।

ଇଥାନଲ ମିଶ୍ରଣ ବଢ଼ାଇବା ନେଇ ସାରା ଦେଶରେ ଚିନ୍ତା ପ୍ରକାଶ ପାଇଛି। ଏହା ଗାଡ଼ିର ମାଇଲେଜ କମାଇବା ସହ ଗାଡ଼ି ଖରାପ କରୁଛି ବୋଲି ବିଭିନ୍ନଆଡ଼ୁ ଅଭିଯୋଗ ଆସିବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ତେବେ ସରକାର ଇ-୨୦ ମେକାନିକାଲ ଡ୍ୟାମେଜ ନେଇ ପ୍ରମାଣ ସହ ତଥ୍ୟ କୋର୍ଟରେ ଦର୍ଶାଇଛନ୍ତି। ଏଭଳି କୌଣସି ସମସ୍ୟା ନାହିଁ ବୋଲି ସରକାର କହିଥିବା ବେଳେ ବରଂ ଏହା ଦେଶରେ ଶକ୍ତି ସୁରକ୍ଷା, କୃଷି ସହଯୋଗ ଓ ପରିବେଶ ଅନୁକୁଳ ବୋଲି ଯୁକ୍ତି ଦର୍ଶାଇଛନ୍ତି।

ଏନେଇ ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍) ସୁପ୍ରିମକୋର୍ଟରେ ଏକ ମାମଲା ଦାୟର କରିଥିଲା। ୨୦୨୫-୨୬ ଯୋଗାଣ ବର୍ଷ ପାଇଁ ଇଥାନଲ୍ ଆବଣ୍ଟନ ସମ୍ପର୍କରେ କର୍ଣ୍ଣାଟକ ହାଇକୋର୍ଟର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ରାଷ୍ଟ୍ରାୟତ୍ତ କମ୍ପାନୀ ଏହି ଆବେଦନ କରିଥିଲା। ଜୁନ୍ ୨୩ ତାରିଖରେ ହାଇକୋର୍ଟ ତାଙ୍କ ଆଦେଶରେ ତୈଳ ବିପଣନ କମ୍ପାନୀ (OMCs) - BPCL, ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ଏବଂ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ -କୁ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବା ପୂର୍ବରୁ ଏକ ଡିଷ୍ଟିଲେରୀର ଇଥାନଲ୍ ଆବଣ୍ଟନରେ ବୃଦ୍ଧି ପାଇଁ କରାଯାଇଥିବା ଅନୁରୋଧ ଉପରେ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।

BPCL କୋର୍ଟଙ୍କୁ କହିଥିଲା ଯେ, ଏହି ନିର୍ଦ୍ଦେଶ ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ ହାସଲ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ଉପରେ ବ୍ୟାପକ ପ୍ରଭାବ ପକାଇପାରେ। ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇ ଆଟର୍ଣ୍ଣି ଜେନେରାଲ୍ ଆର. ଭେଙ୍କଟରମଣି କହିଥିଲେ ଯେ ଇଥାନଲ ଆବଣ୍ଟନ ପ୍ରକ୍ରିୟା ଅକ୍ଟୋବର ୨୦୨୫ରେ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଯୋଗାଣ ଚୁକ୍ତିନାମା ଚୂଡ଼ାନ୍ତ ହୋଇସାରିଛି। ତେବେ ବ୍ୟକ୍ତିଗତ ଆବଣ୍ଟନକୁ ପୁନଃ ଖୋଲିବା ଦ୍ୱାରା ଜାତୀୟ କାର୍ଯ୍ୟକ୍ରମ ବ୍ୟାହତ ହୋଇପାରେ ବୋଲି ଚେତାବନୀ ଦେଇଥିଲେ।

ଭେଙ୍କଟରମଣୀ ଆହୁରି କହିଥିଲେ, “ଇଥାନଲ ଯୋଗାଣ ଚୁକ୍ତିନାମା ଅକ୍ଟୋବର ୨୦୨୫ରେ ଚୂଡ଼ାନ୍ତ ହୋଇସାରିଛି। ଏଭଳି ଆବେଦନ ଅନେକ ହାଇକୋର୍ଟରେ ବିଚାରାଧୀନ ରହିଛି। ଏହା ଜାତୀୟ ନୀତିକୁ ପ୍ରଭାବିତ କରିବ।। ସରକାର ୨୦% ଇଥାନଲ ମିଶ୍ରଣ ସହିତ ଏକ ପରୀକ୍ଷଣ କରୁଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ଆମେ ଏହାର ଫଳାଫଳ ପାଇବୁ ବୋଲି ସରକାରୀ ଓକିଲ କହିଥିଲେ।

ଭେଙ୍କଟରମଣି ଆହୁରି ଯୁକ୍ତି ବାଢ଼ିଥିଲେ ଯେ ଜଣେ ଯୋଗାଣକାରୀଙ୍କ ଆବଣ୍ଟନରେ ପରିବର୍ତ୍ତନ କରିବା ଦ୍ୱାରା ଅନ୍ୟମାନେ ମଧ୍ୟ ସମାନ ଦାବି କରିପାରନ୍ତି, ଯାହାକି ଏକାଧିକ ମକଦ୍ଦମାର ସୂତ୍ରପାତ କରିବ ଏବଂ ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ କରିବ। BPCL, ଯାହା ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମର ସମନ୍ୱୟ ରକ୍ଷା କରୁଛି, ଟେଣ୍ଡର ପ୍ରକ୍ରିୟା ପରେ ପ୍ରାୟ ୧,୭୫୯ କୋଟି ଲିଟରର ସମୁଦାୟ ଯୋଗାଣ ପ୍ରସ୍ତାବ ଗ୍ରହଣ କରିଛି ବୋଲି ସେ କହିଥିଲେ।

ଭେଙ୍କଟରମଣି ଏକ ଟ୍ରାନ୍ସଫର ପିଟିସନ ଦାଖଲ କରିବାକୁ ଅନୁମତି ମାଗିଥିଲେ। ସେ ଯୁକ୍ତି ଦର୍ଶାଇଥିଲେ ଯେ ଅକ୍ଟୋବର ମାସରେ ଯେତେବେଳେ ଇଥାନଲ ଯୋଗାଣ ଚୁକ୍ତିନାମା ନବୀକରଣ ପାଇଁ ଆସିବ, ସେତେବେଳେ ଏହି ପ୍ରସଙ୍ଗର ସମାଧାନ ହେବା ଆବଶ୍ୟକ। ସେ କହିଥିଲେ ଯେ ଯଦି ମୁଁ ଡିଭିଜନ ବେଞ୍ଚ ଏବଂ ପରେ ଅନ୍ୟ ହାଇକୋର୍ଟଗୁଡ଼ିକକୁ ଯାଏ, ତେବେ ଏହା ବିଳମ୍ବିତ ହେବ।”

ତେବେ ମିଡିଆକୁ ପ୍ରତିକ୍ରିୟା ଦେଇ ଆଟର୍ଣ୍ଣି ଜେନେରାଲ୍ ମିଡିଆକୁ ପ୍ରତିକ୍ରିୟା ଦେଇ ସ୍ପଷ୍ଟ କରିଛନ୍ତି ଯେ ୨୦% ଇଥାନଲ ମିଶ୍ରଣ ଏକ ନୀତିଗତ ନିଷ୍ପତ୍ତି, ଯାହା ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଚାହିଦା ଏବଂ ଅନ୍ୟାନ୍ୟ କାରଣ ଉପରେ ନିର୍ଭର କରି କମ୍ପାନୀଗୁଡ଼ିକୁ କେତେ ପରିମାଣର ଇଥାନଲ ଉପଲବ୍ଧ କରାଯିବ, ତାହା କମିପାରେ କିମ୍ବା ବଢ଼ିପାରେ ବୋଲି ସେ କହିଥିଲେ।

ଭାରତର ଇଥାନଲ ପ୍ରୋଗ୍ରାମ

ଭାରତ ୨୦୨୫ ମସିହାରେ ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ କରିବାର ନିଜର ଲକ୍ଷ୍ୟ ହାସଲ କରିଛି। ୨୦୩୦ ସୁଦ୍ଧା ଏହି ଟାର୍ଗେଟ୍ ହାସଲ କରିବାକୁ ସରକାର ଆଶା ରଖିଥିଲେ। ହେଲେ ନିର୍ଦ୍ଧାରିତ ସମୟଠାରୁ ପାଞ୍ଚ ବର୍ଷ ଆଗୁଆ ଟାର୍ଗେଟ୍ ହାସଲ ହୋଇଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ଏପ୍ରିଲ ୧ ଠାରୁ ସାରା ଦେଶରେ ଇଥାନଲ-ମିଶ୍ରିତ ପେଟ୍ରୋଲ ଯୋଗାଣ ଆରମ୍ଭ କରିଛନ୍ତି। ସରକାର ବର୍ତ୍ତମାନ ୨୦୩୦ ସୁଦ୍ଧା ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ୩୦% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଇଥାନଲ ମିଶ୍ରଣକୁ ନେଇ କଣ କହୁଛନ୍ତି ସରକାର ?

ଇଥାନଲ ପ୍ରୋଗ୍ରାମକୁ ନେଇ କେନ୍ଦ୍ର ସରକାରଙ୍କର ଆଭିମୁଖ୍ୟ ସକ୍ରିୟ ରହିଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଥିଲା ଯେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ “ସୁରକ୍ଷିତ, ଗ୍ରାହକ-ଅନୁକୂଳ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଲାଭଜନକ” । ଏଥିସହ E20 ଇନ୍ଧନ ବ୍ୟବହାର ଯୋଗୁ ଯାନବାହନ ବୀମା କଭରେଜ୍ ପ୍ରଭାବିତ ହୋଇପାରେ ବୋଲି ହେଉଥିବା ଆଶଙ୍କାକୁ ମନ୍ତ୍ରଣାଳୟ ଖଣ୍ଡନ କରିଥିଲା। ଜୁନ୍ ୨୪ରେ ଏକ ବିବୃତ୍ତିରେ, ମନ୍ତ୍ରଣାଳୟ କହିଥିଲା ଯେ E-20 ଇନ୍ଧନ ବୀମା ପଲିସିକୁ ଅବୈଧ କରିପାରେ ବୋଲି ଯେଉଁ ଦାବି କରାଯାଉଥିଲା, ତାହା ଅଂଶୀଦାରମାନଙ୍କ ସହିତ ଯାଞ୍ଚ କରାଯାଇଛି ଏବଂ ତାହା ଭୁଲ ବୋଲି ପ୍ରମାଣିତ ହୋଇଛି।

ମନ୍ତ୍ରଣାଳୟ କହିଛି ଯେ ଇଥାନଲ ମିଶ୍ରଣ ଏକ ବିଶ୍ୱସ୍ତରୀୟ ସ୍ୱୀକୃତ ପ୍ରଥା ଏବଂ ଏହା ଆମେରିକା, ବ୍ରାଜିଲ ଏବଂ ଜାପାନ ସମେତ ଅନେକ ଦେଶରେ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଭାରତକୁ ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବାରେ ଏବଂ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିଛି ବୋଲି ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି। ତା ଛଡ଼ା ଏହା ପରିବେଶ ଅନୁକୁଳ ବୋଲି ସରକାର କହିଛନ୍ତି।