ଚଣ୍ଡିଗଡ଼: ମହିଳା ଅଧିକାରୀଙ୍କ କାରନାମା। ମିଥ୍ୟା ରସିଦ ଦେଇ ଚଳୁ କରିଦେଲେ ୧୦୦ କୋଟିରୁ ଅଧିକ ଟଙ୍କା । ହେଲେ ଶେଷରେ ପୋଲିସ ତାଙ୍କୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାଶ କରିଛି। ଚଣ୍ଡିଗଡ଼ ନଗର ନିଗମ ସହ ଜଡ଼ିତ ଘଟଣାରେ ଅନ୍ୟ କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଜଣାପଡ଼ିଥିବା ବେଳେ, ସେମାନଙ୍କୁ ଗିରଫ କରିବାକୁ ପୋଲିସ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଚଣ୍ଡିଗଡ଼ ନଗର ନିଗମ ସହ ଜଡ଼ିତ ୧୧୬ କୋଟି ଟଙ୍କାର ନକଲି ଫିକ୍ସ ଡିପୋଜିଟ୍ ରସିଦ (FDR) ଦୁର୍ନୀତି ମାମଲାରେ ଅର୍ଥନୈତିକ ଅପରାଧ ଶାଖା (EOW), ଗୁରୁବାର ଚଣ୍ଡିଗଡ଼ ସ୍ମାର୍ଟ ସିଟି ପ୍ରକଳ୍ପର ମୁଖ୍ୟ ଅର୍ଥ ଅଧିକାରୀ (CFO) ନଳିନୀ ମଲିକଙ୍କୁ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ମୋହାଲିସ୍ଥିତ ବାସଭବନରୁ ହେପାଜତକୁ ନେଇଛି। ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ସହ ଜଡ଼ିତ ୧୧୬ କୋଟି ଟଙ୍କାର ନକଲି ଏଫଡିଆର ତିଆରି କରି ସରକାରୀ ପାଣ୍ଠିର ଆତ୍ମସାତ ମାମଲାରେ ତାଙ୍କ ନାଁ ଆସିବା ପରଠାରୁ ସେ ନିଖୋଜ ଥିବା ଅଭିଯୋଗ ହୋଇଥିଲା।

ପୋଲିସ କହିଛି, ତଦନ୍ତ ସମୟରେ ମିଳିଥିବା ପ୍ରମାଣ ଏବଂ ଗିରଫ ସନ୍ଦିଗ୍ଧଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ମାମଲାରେ ଆଗକୁ ଗିରଫଦାରୀ ବଢ଼ିବା ସମ୍ଭାବନା ଥିବା କଥା ମଧ୍ୟ କହିଛନ୍ତି ଜଣେ ଅଧିକାରୀ।

କ’ଣ ଥିଲା ଘଟଣା ?

ଚଣ୍ଡିଗଡ଼ ମ୍ୟୁନିସିପାଲ୍ କର୍ପୋରେସନ୍ ଅଧିକାରୀଙ୍କ ଅଭିଯୋଗ ଆଧାରରେ EOWରେ ମାମଲା ପଞ୍ଜିକୃତ ହୋଇଥିଲା। ତଦନ୍ତକାରୀ ସଂସ୍ଥା ତଦନ୍ତ ପରେ କୋର୍ଟକୁ ଯେଉଁ ସୂଚନା ଦେଇଛନ୍ତି ତାହା ହେଲା- IDFC ଫାଷ୍ଟ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ରିଭବ ରିଷି, CREST (ଚଣ୍ଡିଗଡ଼ ନବୀକରଣୀୟ ଶକ୍ତି ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତି ପ୍ରୋତ୍ସାହନ ସମାଜ)ର ପ୍ରକଳ୍ପ ନିର୍ଦ୍ଦେଶକ ନଳିନୀ ମଲିକ ଏବଂ ସୁଖବିନ୍ଦର ସିଂହଙ୍କ ସହ ମିଶି ସେଲ୍ କମ୍ପାନି ତିଆରି କରିଥିଲେ। ଏହି କମ୍ପାନିଗୁଡ଼ିକ ମାଧ୍ୟମରେ, ନକଲି ନିବେଶ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଥିଲା ।

ରିଷି ୨୦୨୩-୨୫ ପର୍ଯ୍ୟନ୍ତ IDFC ଫାଷ୍ଟ ବ୍ୟାଙ୍କର ସେକ୍ଟର- ୩୨ ଶାଖାରେ ପୋଷ୍ଟିଂ କରିଥିଲେ। ଏହି ସମୟ ମଧ୍ୟରେ ଏହି ଶାଖାରେ ପୌର ଆକାଉଣ୍ଟ ଖୋଲାଯାଇଥିଲା ଏବଂ ୧୧୬ କୋଟି ଟଙ୍କାର ନକଲି FDR ପ୍ରସ୍ତୁତ କରାଯାଇଥିଲା ।

ତେବେ ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଚଣ୍ଡିଗଡ଼ ସ୍ମାର୍ଟ ସିଟି ଅଧିକାରୀମାନେ ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କରେ ଥିବା ୧୧୬ କୋଟି ଟଙ୍କାର ଫିକ୍ସ ଡିପୋଜିଟକୁ ଉଠାଇବାକୁ ଅନୁରୋଧ କରିଥିଲେ। ଏହି ଟଙ୍କା ଚଣ୍ଡିଗଡ଼ ସ୍ମାର୍ଟ ସିଟି ଲିମିଟେଡ ବନ୍ଦ ହେବା ସମୟରେ ହୋଇଥିବା ଅର୍ଥ କାରବାର ସହ ଜଡ଼ିତ। ପୋଲିସ କହିଛି, ଯାଞ୍ଚ ସମୟରେ ବ୍ୟାଙ୍କ ତଥ୍ୟରେ 'ସନ୍ଦେହଜନକ କାରବାର' ସାମ୍ନାକୁ ଆସିଥିଲା ଏବଂ ରେକର୍ଡରେ ଦର୍ଶାଯାଇଥିବା ସ୍ଥାୟୀ ଜମା ରସିଦଗୁଡ଼ିକ ବ୍ୟାଙ୍କର ସରକାରୀ ରେକର୍ଡରେ ନଥିଲା ବୋଲି ପୋଲିସ କହିଛି। ଏହା ପରେ, ନଗର ନିଗମ ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଥିଲା।

ତେବେ ମାମଲାରେ ପୋଲିସ ପୂର୍ବରୁ CRESTର ପ୍ରୋଜେକ୍ଟ ନିର୍ଦ୍ଦେଶକ ସୁଖବିନ୍ଦର ସିଂହ ଏବଂ ଆକାଉଣ୍ଟାଣ୍ଟ ସାହିଲ କୁକ୍କରଙ୍କୁ ଗିରଫ କରିସାରିଛି। ନଳିନୀଙ୍କ ଗିରଫଦାରୀକୁ ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ସେହିଭଳି ଜଣେ ବ୍ୟାଙ୍କ ରିଲେସନସିପ୍ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରରେ ଥିବା ବେଳ, ଜଣେ ପୂର୍ବତନ ବ୍ୟାଙ୍କ ଅଧିକାରୀ ସୀମା ଧିମାନଙ୍କ ନାଁ FIRରେ ଅନ୍ତର୍ଭୁକ୍ତ କରାଯାଇଛି।