ନୂଆଦିଲ୍ଲୀ: ବ୍ରିଟେନରେ ହୋଇଥିବା ସର୍ଭେରୁ ସେଠାକାର ଲୋକଙ୍କ ଦେଶପ୍ରେମ ସଂପର୍କରେ ଜଣାପଡ଼ିଛି । ଯେଉଁ ଦେଶରେ ରହୁଛନ୍ତି, ଯେଉଁଠି ବଢ଼ିଛନ୍ତି ସେହି ଦେଶ ପାଇଁ ଲଢ଼ିବାକୁ ନାରାଜ ବ୍ରିଟେନର ଲୋକେ । ଭବିଷ୍ୟତରେ ଯଦି କୌଣସି ଦେଶ ବ୍ରିଟେନ ଉପରେ ଆକ୍ରମଣ କରେ, ତେବେ ସେଠାକାର ଲୋକ ଦେଶ ପାଇଁ ଯୁଦ୍ଧ କରିବେ ନାହିଁ ।  'ଦି ଟେଲିଗ୍ରାଫ୍' ଦ୍ୱାରା ପ୍ରକାଶିତ 'ଇପ୍‌ସୋସ୍' ର ଏକ ରିପୋର୍ଟ ଅନୁସାରେ, ପ୍ରାୟ ୪୮ ପ୍ରତିଶତ ବ୍ରିଟିଶ୍ ନାଗରିକ ମତ ଦେଇଛନ୍ତି ଯେ, କୌଣସି ପରିସ୍ଥିତିରେ ବି ସେମାନେ ଦେଶ ପାଇଁ ହତିଆର ଧରିବେ ନାହିଁ। ରୁଷିଆ, ଚୀନ୍ ଏବଂ ଇରାନ ଭଳି ଦେଶଗୁଡ଼ିକ ପକ୍ଷରୁ ସୁରକ୍ଷା ପ୍ରତି ବିପଦ ବୃଦ୍ଧି ପାଉଥିଲେ ମଧ୍ୟ ୨୦୨୫ ମସିହା ଏପ୍ରିଲ୍ ତୁଳନାରେ ଏହି ମନୋଭାବରେ ବିଶେଷ କୌଣସି ପରିବର୍ତ୍ତନ ଆସିନାହିଁ।

ମନୋବଳକୁ ନେଇ ପ୍ରଶ୍ନ
​​​​​​​ଏହି ସର୍ଭେ ଅନୁସାରେ, କେବଳ ୩୬ ପ୍ରତିଶତ ଲୋକ କହିଛନ୍ତି, ଯଦି କିଛି ନିର୍ଦ୍ଦିଷ୍ଟ ପରିସ୍ଥିତି ଉପୁଜେ, ତେବେ ସେମାନେ ଦେଶ ପାଇଁ ଯୁଦ୍ଧକୁ ଯିବେ। ଗତ ବର୍ଷ ଏହା ୩୫ ପ୍ରତିଶତ ଥିଲା। ରୟାଲ୍ ଯୁନାଇଟେଡ୍ ସର୍ଭିସେସ୍ ଇନଷ୍ଟିଚ୍ୟୁଟ୍‌ର ଜଣେ ବିଶେଷଜ୍ଞ ହାମିଶ ମୁଣ୍ଡେଲ୍ କହିଛନ୍ତି ଯେ, ଏହାଦ୍ୱାରା ବ୍ରିଟେନର ଯୁଦ୍ଧ କରିବା ଏବଂ ବଳିଦାନ ଦେବାର ମନୋବଳକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଯୁଦ୍ଧ କରିବାକୁ ନାରାଜ 
ପୁରୁଷମାନଙ୍କ କ୍ଷେତ୍ରରେ ଚିତ୍ରଟି ସାମାନ୍ୟ ଅଲଗା ରହିଛି। ପ୍ରାୟ ୪୮ ପ୍ରତିଶତ ପୁରୁଷ କହିଛନ୍ତି ଯେ, ଆବଶ୍ୟକ ପଡ଼ିଲେ ସେମାନେ ଯୁଦ୍ଧ କରିବେ । କିନ୍ତୁ ୪୦ ପ୍ରତିଶତ ପୁରୁଷ ଯୁଦ୍ଧା କରିବାକୁ ମନା କରିଛନ୍ତି। ମାତ୍ର ଅଧିକାଂଶ ମହିଳା ଏବଂ ୩୫ ରୁ ୫୪ ବର୍ଷ ବୟସ୍କ ବ୍ୟକ୍ତିମାନେ ଯୁଦ୍ଧ କରିବାକୁ ସମ୍ପୂର୍ଣ୍ଣ ମନା କରିଛନ୍ତି। ଅନ୍ୟପକ୍ଷରେ, ପ୍ରତିରକ୍ଷା ବଜେଟ୍ ବୃଦ୍ଧି ନେଇ ଜନସାଧାରଣଙ୍କ ମଧ୍ୟରେ ସମର୍ଥନ ବଢ଼ିବାରେ ଲାଗିଛି। ସର୍ଭେ ଅନୁସାରେ, ୫୧ ପ୍ରତିଶତ ଲୋକ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରାଯିବାକୁ ସମର୍ଥନ କରିଛନ୍ତି । ୨୦୨୨ ଜୁନ୍ ମାସରେ ଏହି ସଂଖ୍ୟା ମାତ୍ର ୨୮ ପ୍ରତିଶତ ଥିଲା।

ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧିକୁ ସମର୍ଥନ
 ପ୍ରାୟ ୩୭ ପ୍ରତିଶତ ଲୋକ ମତ ଦେଇଛନ୍ତି ଯେ, ସରକାର ଅନ୍ୟାନ୍ୟ କ୍ଷେତ୍ରରେ ଖର୍ଚ୍ଚ କାଟ  କରି ପ୍ରତିରକ୍ଷା କ୍ଷେତ୍ରକୁ ଦିଅନ୍ତୁ । ୩୬ ପ୍ରତିଶତ ଲୋକ ଅଧିକ କର ଦେବାକୁ ରାଜି ଅଛନ୍ତି। ବାର୍ଷିକ ୧,୨୫,୦୦୦ ପାଉଣ୍ଡରୁ ଅଧିକ ଆୟ କରୁଥିବା ଲୋକଙ୍କ ଉପରେ ଆୟକର ବୃଦ୍ଧି କରିବାକୁ ୪୬ ପ୍ରତିଶତ ଲୋକ ସମର୍ଥନ ଜଣାଇଛନ୍ତି। ବ୍ରିଟେନର ଲୋକେ ସେନାକୁ ମଜଭୁତ କରିବାକୁ ରାଜି ଅଛନ୍ତି, କିନ୍ତୁ ଦେଶର ସୁରକ୍ଷା ପାଇଁ ଅସ୍ତ୍ର ଉଠାଇବାକୁ ରାଜି ନାହାନ୍ତି ।