ନୂଆଦିଲ୍ଲୀ: ୟୁଏଇ ରାଜପରିବାରର ଜଣେ ସଦସ୍ୟା ଲଣ୍ଡନର ଏକ ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିଥିଲେ । ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । ସେ ନିଶା ଖାଇ ନିସ୍ତେଜ ହୋଇ ପଡ଼ିରହିଥିବା ବେଳେ ତାଙ୍କର ଜଣେ ୩ ବର୍ଷର ଝିଅ ଖାଲି ପାଦରେ ଏପଟ ସେପଟ ହେଉଥିବା ଦେଖିବାକୁ ମିଳିଥିଲା । ତାଙ୍କ ନିକଟରେ ଆଉ ଜଣେ ବ୍ୟକ୍ତି ମଧ୍ୟ ଅଚେତ ଅବସ୍ଥାରେ ପଡ଼ିଥିଲେ।

ଗତ ଜୁନ୍ ୧୩ ତାରିଖରେ ୩୨ ବର୍ଷୀୟା ମହାର ଅଲ୍ ନାହ୍ୟାନ୍ ନାମକ ଏହି ମହିଳାଜଣଙ୍କୁ ରାସ୍ତାକଡ଼ରେ ବେହୋସ ଅବସ୍ଥାରେ ସାଧାରଣ ଲୋକମାନେ ଦେଖିବାକୁ ପାଇଥିଲେ। ପୁଲିସ ପହଞ୍ଚିବା ପର୍ଯ୍ୟନ୍ତ ସେଠାକାର ସ୍ଥାନୀୟ ଲୋକମାନେ ଛୋଟ ପିଲାଟିର ଯତ୍ନ ନେଇଥିଲେ। ନିଶା ସେବନ ଯୋଗୁଁ ସେ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଚେତ ରହିଥିଲେ। ହୋସକୁ ଆସିବା ପରେ ସେ ଅତି ଅଜବ ବ୍ୟବହାର କରିଥିଲେ । ସେ କହିଥିଲେ, ‘ଏହା କୌଣସି କଂସେଇଖାନା ନୁହେଁ, ଆପଣମାନେ ଏତେ ଚିନ୍ତା କରୁଛନ୍ତି କାହିଁକି ?’

ତଦନ୍ତ ସମୟରେ କର୍ତ୍ତୃପକ୍ଷ ତାଙ୍କ ନିକଟରୁ ନିଶାଦ୍ରବ୍ୟ ଜବତ କରିଥିଲେ । କିନ୍ତୁ କୌଣସି ବେଆଇନ ନିଶାଦ୍ରବ୍ୟ ମିଳି ନଥିଲା। ଏହି ଘଟଣା ପରେ ତାଙ୍କୁ ସୁରେ, ୱୋକିଂ ସ୍ଥିତ ପ୍ରିଓରୀ କ୍ଲିନିକର ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗତ ମଙ୍ଗଳବାର ଦିନ ଦକ୍ଷିଣ ସାଉଥୱାର୍କ କ୍ରାଉନ୍ କୋର୍ଟରେ ଅଲ୍ ନାହ୍ୟାନ୍ ଶିଶୁ ଅବହେଳା ଅଭିଯୋଗକୁ ସ୍ୱୀକାର କରିଛନ୍ତି। ସୂଚନାଯୋଗ୍ୟ ଯେ, ସେ ବାହାଘର ସୂତ୍ରରୁ ରାଜପରିବାର ସହ ଜଡ଼ିତ ଏବଂ ପ୍ରତି ମାସରେ ୮,୦୦୦ ପାଉଣ୍ଡ ଭତ୍ତା ପାଆନ୍ତି।

ମାମଲାର ସରକାରୀ ଓକିଲ ରିଓ ପାହଲଭାନପୁର କହିଛନ୍ତି ଯେ, ଲୋକମାନେ ଦେଖିଥିଲେ ପିଲାଟି ପାଖରେ କେହି ନଥିଲେ । ଅନ୍ୟପକ୍ଷରେ, ତାଙ୍କର ଓକିଲ ଷ୍ଟିଫେନ୍ ଭୁଲୋ କହିଛନ୍ତି ଯେ, ସେହି ଦିନ ସେ ଏକ ବଡ଼ ଭୁଲ୍ କରିଥିବା କଥା ମାନିଛନ୍ତି। କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ ଯେଉଁଦିନ ସେ ଅଚେତ ଅବସ୍ଥାରେ ମିଳିଥିଲେ, ସେଦିନ ସେ କୌଣସି ନିଶା ଖାଇ ନଥିଲେ । ପୂର୍ବ କିଛି ଦିନରୁ ନିଶା ସେବନ ଯୋଗୁଁ ସେ ଅତ୍ୟନ୍ତ କ୍ଳାନ୍ତ ଥିଲେ।

ଓକିଲ ଆହୁରି ମଧ୍ୟ କହିଛନ୍ତି ଯେ, ସେ ନିଜର ଏହି ଭୁଲ୍ ପାଇଁ ଅନୁତପ୍ତ । ନିଶାମୁକ୍ତ ହେବା ପାଇଁ ଦୃଢ଼ ସଂକଳ୍ପ ଅଛନ୍ତି। ସେ ତିନି ମାସର ଏକ ପୁନର୍ବାସ କାର୍ଯ୍ୟକ୍ରମ ଶେଷ କରିବାକୁ ଯାଉଛନ୍ତି। ଭବିଷ୍ୟତରେ ଗିଲ୍‌ଫୋର୍ଡ ଅଞ୍ଚଳରେ ଏକ ଘର ଭଡ଼ାରେ ନେଇ ସେଠାରେ ଦିନସାରା ଚିକିତ୍ସାଧୀନ ରହିବାକୁ ତାଙ୍କର ଯୋଜନା ରହିଛି। ବିଚାରପତି ଅଲ୍ ନାହ୍ୟାନ୍‌ଙ୍କୁ ଦୁଇ ବର୍ଷର ସାମାଜିକ ପୁନର୍ବାସ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିବାକୁ କହିଛନ୍ତି । ଏହାସହ ୬,୧୧୪ ପାଉଣ୍ଡ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୟୁଏଇ ରାଜପରିବାର ସଦସ୍ୟାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ଉଦ୍ଧାର କରାଯିବ ଘଟଣା, ଦେଶର କଠୋର ଆଇନ ବ୍ୟବସ୍ଥାକ ଉପରେ ପ୍ରଶ୍ନ ଉଠିଛି ।