ଭୁବନେଶ୍ୱର ୩୧।୦୩ : ହାତୀ-ମଣିଷ ଲଢେଇରେ ଗଡ଼ୁଛି ମଣିଷ ମୁଣ୍ଡ । ତିନି ବର୍ଷରେ ହାତୀ ଆକ୍ରମଣରେ ଗଲାଣି ୪୪୩ ଜଣଙ୍କ ଜୀବନ । ୫୧ଟି ବନଖଣ୍ଡରୁ ଏହି ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ସେହିପରି ୫୫୮୭ଟି ଘର ଆଂଶିକ ଭାଙ୍ଗିଥିବା ବେଳେ ୧୦୫୦ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ୪୭ ହଜାର ୪୯୯.୧୨ ଏକର ଫସଲ ନଷ୍ଟ ହୋଇଛି । ହାତୀ ଉପଦ୍ରବରେ ସର୍ବାଧିକ ଢେଙ୍କାନାଳ ବନଖଣ୍ଡରେ ୯୧ ଜଣଙ୍କ ଜୀବନ ଯାଇଛି । ବାରିପଦା ବନଖଣ୍ଡ ଅଞ୍ଚଳରେ ସର୍ବାଧିକ ୧୩୨୬ ଟି ଘର ଆଂଶିକ ନଷ୍ଟ ହୋଇଥିବା ବେଳେ କେନ୍ଦୁଝରରେ ୧୫୪ ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ।ଗତ ତିନି ବର୍ଷରେ ରାଜ୍ୟରେ ୨୬୪ଟି ହାତୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୨ଟି ପ୍ରାକୃତିକ କାରଣ ଏବଂ ୧୩୨ ଅପ୍ରାକୃତିକ କାରଣରୁ ପ୍ରାଣ ହରାଇଛନ୍ତି ।

Also Read:-Biju Row in assembly: ମହାପୁରୁଷଙ୍କୁ ସମ୍ମାନ ଦେବା ଜଣାନାହିଁ, ଓଡ଼ିଆ ଅସ୍ମିତା କଥା କହିବ କି ବିଜେପି ?

ସେହି ସମୟ ମଧ୍ୟରେ ୪ ଟି ମହାବଳ ବାଘ , ୨୫ ଟି କଲରା ପତରିଆ ବାଘ, ୧୪୨୬ ଟି ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ସେଥିରୁ କେବଳ ଶିକାରୀଙ୍କ ଦ୍ୱାରା ୪୪୭ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି । ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଦ୍ଵାରା ୫୨୩ ଜଣଙ୍କ ଜୀବନ ଯାଇଥିବା ବେଳେ ୧୩୯୧ ଜଣ ଆହତ ହୋଇଛନ୍ତି । ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୩୦୭୪ ଜଣ ଶିକାରୀ ଗିରଫ ହୋଇଛନ୍ତି । ତେବେ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ବନଖଣ୍ଡରେ ୧୪୨୦ ଗୋଟି ପ୍ରାକ୍ ସତର୍କତା ବ୍ୟବସ୍ଥା ଲାଗୁ କରାଯାଇଛି ।