ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସର ନାଁ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଜାରି ଲଢେଇ ମଧ୍ୟରେ ନିର୍ବାଚନ ଆୟୋଗ ଅନ୍ତରୀଣ ଆଦେଶ ଜାରି କରିଛନ୍ତି । ନିର୍ବାଚନ ଆୟୋଗ ମମତା ବାନାର୍ଜୀ ଏବଂ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଉଭୟ ଗୋଷ୍ଠୀକୁ ଆଗାମୀ ବିଧାନସଭା ଉପନିର୍ବାଚନରେ ଟିଏମସି ନାଁ ଓ ପାର୍ଟିର ଚିହ୍ନ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି ।

ନିର୍ବାଚନ ଆୟୋଗ ଉଭୟ ଗୋଷ୍ଠୀକୁ ଶୁକ୍ରବାର ସେପ୍ଟେମ୍ୱର ୧୮ ଯାଏ ନିଜ ପାଇଁ ତିନି-ତିନି ନାଁ ଏବଂ ନିର୍ବାଚନ ଚିହ୍ନର ବିପଳ୍ପ ଦେବାକୁ କହିଛନ୍ତି । ଏହି ବ୍ୟବସ୍ଥା ବର୍ତ୍ତମାନ ହେବାକୁ ଥିବା ଉପନିର୍ବାଚନ ପାଇଁ ଲାଗୁ ହେବ ।

ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନ ପାଇଁ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଉଭୟ ଆସନରେ ଟିଏମସିର ଉଭୟ ଗୋଷ୍ଠୀ ନିଜ ନିଜ ପ୍ରାର୍ଥୀ ଓହ୍ଲାଇଛନ୍ତି ଓ ପାର୍ଟିର ନାଁ ଏବଂ ନିର୍ବାଚନ ଚିହ୍ନ ଉପରେ ଦାବି କରିଥିଲେ ।

ଗୁରୁବାର ନିର୍ବାଚନ ଆୟୋଗ ଉଭୟ ଗୋଷ୍ଠୀର ଅଲଗା ଅଲଗା ଶୁଣାଣି କରିଥିଲେ । ପ୍ରଥମେ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱଧୀନ ଗୋଷ୍ଠୀ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ପ୍ରତିନିଧିମଣ୍ଡଳରେ ରିତବ୍ରତଙ୍କ ସହ ଚନ୍ଦ୍ରିମା ଭାଟ୍ଟାଚାର୍ଯ୍ୟ, ଅକରୁଳ ଜମାନ, ଅରୁପ ରୟ ଏବଂ ଜଣେ ଓକିଲ ଥିଲେ । ସେପଟେ ମମତା ବାନାର୍ଜୀଙ୍କ ଗୋଷ୍ଠୀରେ ଡେରେକ ଓ’ ବ୍ରାୟନ, କଲ୍ୟାଣ ବାନାର୍ଜୀ, ମହୁଆ ମୋଇତ୍ରା ଏବଂ ସାଗରିକା ଘୋଷ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । କଲ୍ୟାଣ ବାନାର୍ଜୀ ଅନ୍ତରୀଣ ଆଦେଶର ବିରୋଧ କରିଛନ୍ତି । ତାଙ୍କ କହିବା କଥା, ଏପରି ଆଦେଶ ଜାରି କରିବାର କୌଣସି ଆଧାର ନାହିଁ ।

ମମତାଙ୍କ ଗୋଷ୍ଠୀ ସମ୍ୱିଧାନ କଥା ଉଲ୍ଲେଖ କରି କହିଥିଲେ ଯେ ସଂଗଠନାତ୍ମକ ନିର୍ବାଚନ ପାଞ୍ଚ ବର୍ଷ ଭିତରେ ହୋଇଥାଏ । ଆଗାମୀ ସଂଗଠନାତ୍ମକ ନିର୍ବାଚନ ୨୦୨୭ ଜାନୁଆରୀ ୩୧ରେ ପୂରଣ ହେବ । ରିତବ୍ରତ ଗୋଷ୍ଠୀ ଦାବି କରିଥିଲା ଯେ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମିତିର ଗଠନ ପ୍ରତି ତିନି ବର୍ଷରେ ହେବା କଥା ଏବଂ ଗତ କାର୍ଯ୍ୟସମିତିର କାର୍ଯ୍ୟକାଳ ଫେବ୍ରୁଆରୀ ୨୦୨୫ରୁ ଶେଷ ହୋଇସାରିଛି ।