ନୂଆଦିଲ୍ଲୀ: ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀଙ୍କ ଚେହେରା, କେଶ ସଜ୍ଜା ଏବଂ ମେକଅପ୍‌ ବାବଦରେ ପ୍ରଚୁର ସରକାରୀ ଅର୍ଥ ଖର୍ଚ୍ଚ ହେଉଛି ।
 ୨୦୧୯ ମସିହାରୁ ୨୦୨୬ ଅଗଷ୍ଟ ମଧ୍ୟରେ ସରକାରୀ ତହବିଲରୁ ପ୍ରାୟ ୪,୭୦,୦୦୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୪.୪୫ କୋଟି ଟଙ୍କା) ଖର୍ଚ୍ଚ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଏହି ରିପୋର୍ଟ ସୋସିଆଲ ମିଡିଆ ଏବଂ ବିଶ୍ୱ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ସୃଷ୍ଟି କରିଛି।

‘ମୁଭମେଣ୍ଟ ଫର୍ ଫ୍ରିଡମ୍ ଅଫ୍ ଇନଫର୍ମେସନ୍’ନାମକ ସଂସ୍ଥାର ଆବେଦନ ଆଧାରରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଦ୍ୱାରା ଏହି ସରକାରୀ ଖର୍ଚ୍ଚର ହିସାବ ଜାରି କରାଯାଇଛି। ରିପୋର୍ଟ ଅନୁଯାୟୀ, ମୋଟ୍ ଖର୍ଚ୍ଚ ହୋଇଥିବା ରାଶିର ପ୍ରାୟ ୯୦ ପ୍ରତିଶତ ଭାଗ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ସୌନ୍ଦର୍ଯ୍ୟ ବାବଦରେ ଖର୍ଚ୍ଚ ହୋଇଛି।

୨୦୨୩ ମସିହା ସେପ୍ଟେମ୍ବରରୁ ନଭେମ୍ବର ମାସ (ଯୁଦ୍ଧ ସମୟ) ମଧ୍ୟରେ କେବଳ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା ପାଇଁ ପ୍ରାୟ ୨,୬୦୦ ଡଲାର (ପ୍ରାୟ ୨ ଲକ୍ଷ ଟଙ୍କା) ଏବଂ ମେକଅପ୍ ପାଇଁ ୧,୫୮୦ ଡଲାର ସରକାରୀ ପାଣ୍ଠିରୁ ବ୍ୟୟ କରାଯାଇଥିଲା। ୨୦୨୫ ଫେବୃଆରୀ ମାସରେ ନେତାନ୍ୟାହୁଙ୍କ ୱାଶିଂଟନ୍ ଗସ୍ତ ସମୟରେ କେବଳ ମେକଅପ୍ ଓ ହେୟାର ଷ୍ଟାଇଲିଂ ପାଇଁ ୧୩,୫୦୦ ଡଲାର (ପ୍ରାୟ ୧୧.୨ ଲକ୍ଷ ଟଙ୍କା) ଖର୍ଚ୍ଚ ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ଦସ୍ତାବିଜ୍‌ରେ ମେକଅପ୍ ଆର୍ଟିଷ୍ଟ ଏବଂ ହେୟାର ଷ୍ଟାଇଲିଷ୍ଟମାନଙ୍କ ନାମ ଗୁପ୍ତ ରଖାଯାଇଛି। ଏହା ପଛରେ "ରାଷ୍ଟ୍ରୀୟ ସୁରକ୍ଷା" କାରଣ ଦର୍ଶାଯାଇଛି। ୨୦୨୨ ମସିହାରେ ନାଫ୍ତାଲି ବେନେଟ୍ ଏବଂ ୟାଏର ଲାପିଡ୍ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି ବାର୍ଷିକ ଖର୍ଚ୍ଚ ମାତ୍ର ୨୭,୬୦୦ ଡଲାର ଥିଲା, ଯାହା ନେତାନ୍ୟାହୁଙ୍କ ତୁଳନାରେ ଯଥେଷ୍ଟ କମ୍। ସାଧାରଣ ନାଗରିକଙ୍କ ଟ୍ୟାକ୍ସରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାରର ସୌନ୍ଦର୍ଯ୍ୟ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ଘଟଣାକୁ ନେଇ ଇସ୍ରାଏଲରେ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି।