ନୂଆଦିଲ୍ଲୀ: ଭାରତରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀକୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରେହମାନଙ୍କୁ ସ୍ୱତନ୍ତ୍ର ଭାବରେ ନିମନ୍ତ୍ରଣ କରାଯାଇ ନଥିବାରୁ ଢାକା ଅସନ୍ତୋଷ ପ୍ରକାଶ କରିଛି। ଏହାରି ମଧ୍ୟରେ ବାଂଲାଦେଶ ସରକାର ଭାରତ ସହିତ ସ୍ୱାକ୍ଷରିତ ହୋଇଥିବା ୧୦୧ଟି ଦ୍ୱିପାକ୍ଷିକ ଚୁକ୍ତି ଏବଂ ସମ୍ମତିପତ୍ରର ପୁନଃ ନିରୀକ୍ଷଣ କରୁଥିବା ଘୋଷଣା କରିଛନ୍ତି।

ଭାରତ ଦ୍ୱାରା ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନଙ୍କୁ ବ୍ରିକ୍ସ ସମ୍ମିଳନୀ ପାଇଁ ସ୍ୱତନ୍ତ୍ର ଦେଶର ପ୍ରଧାନମନ୍ତ୍ରୀ ଭାବରେ ନୁହେଁ, ବରଂ ‘ବିମଷ୍ଟେକ’ର ଅଧ୍ୟକ୍ଷ ଭାବରେ ନିମନ୍ତ୍ରଣ କରାଯାଇଥିଲା। ଏକ ସାର୍ବଭୌମ ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କୁ ଦ୍ୱିପାକ୍ଷିକ କିମ୍ବା ସ୍ୱତନ୍ତ୍ର ନିମନ୍ତ୍ରଣ ନ ମିଳିବାକୁ ନେଇ ବାଂଲାଦେଶ ନିରାଶା ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ତାରିକ ରେହମାନ ଏହି ଗସ୍ତରେ ଯିବେ ନାହିଁ ବୋଲି ସ୍ପଷ୍ଟ କରିଛି।

ବାଂଲାଦେଶର ଶାସକ ଦଳ BNP ର ଚିଫ୍ ୱିପ୍ ନୁରୁଲ ଇସଲାମ ମୋନି ସୂଚନା ଦେଇଛନ୍ତି ଯେ, ପୂର୍ବତନ ଅୱାମୀ ଲିଗ୍ ସରକାର ଅମଳରେ ଭାରତ ସହ ସ୍ୱାକ୍ଷରିତ ହୋଇଥିବା ସମସ୍ତ ୧୦୧ଟି ଚୁକ୍ତିର ସମୀକ୍ଷା ଚାଲିଛି। ଚିଟଗଙ୍ଗ ଏବଂ ମଙ୍ଗଲା ବନ୍ଦର ବ୍ୟବହାର ସମେତ ବିଭିନ୍ନ ବନ୍ଦର ନୀତି ଓ ଦ୍ୱିପାକ୍ଷିକ ଚୁକ୍ତିରେ ପରିବର୍ତ୍ତନ କିମ୍ବା ବାତିଲ କରାଯାଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି।

ପୂର୍ବତନ ସରକାର କରିଥିବା କିଛି ଚୁକ୍ତି ବାଂଲାଦେଶର ସ୍ୱାର୍ଥ ବିରୋଧୀ ଥିଲା ଏବଂ ସେଗୁଡ଼ିକରୁ ସରକାର ଓହରିବାକୁ ଚିନ୍ତା କରୁଛନ୍ତି ବୋଲି ଢାକା ପକ୍ଷରୁ କୁହାଯାଇଛି। ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଆଗାମୀ ଦିନରେ ଭାରତ ସହ ସମ୍ପର୍କ କେବଳ ପରଷ୍ପରର ସାର୍ବଭୌମତ୍ୱ ଏବଂ ନିଜ ଦେଶର ସ୍ୱାର୍ଥକୁ ସୁରକ୍ଷା ଦେବା ଆଧାରରେ ପରିଚାଳିତ ହେବ। ଚଳିତ ବର୍ଷ ଡିସେମ୍ବରରେ ଶେଷ ହେବାକୁ ଥିବା ୩୦ ବର୍ଷିଆ ଗଙ୍ଗା ଜଳ ବଣ୍ଟନ ଚୁକ୍ତି ଉପରେ ମଧ୍ୟ ବାଂଲାଦେଶ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବ ବୋଲି ସ୍ପଷ୍ଟ କରିଛି।