ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀ ଲାଗି ୭ ବର୍ଷ ପରେ ଭାରତ ଆସିଛନ୍ତି ଚୀନ ରାଷ୍ଟ୍ରପତି । ସେ ଭାରତ କିମ୍ବା ଅନ୍ୟ ଦେଶକୁ ଗସ୍ତ କଲେ ତାଙ୍କର ଖାଦ୍ୟ ମେନୁ କଣ, ଆପଣ ଜାଣନ୍ତି କି ? ରୁଷ ରାଷ୍ଟ୍ରପତିଙ୍କ ଖାଦ୍ୟକୁ ନେଇ ସେତେଟା ତଥ୍ୟ ମିଳେ ନାହିଁ । କିନ୍ତୁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସରକାରୀ ଗସ୍ତ ସମୟରେ ଖାଦ୍ୟପେୟ ଚୟନ ଖୁବ ସାଧାରଣ। ସେ କୌଣସି ଆଡ଼ମ୍ବରପୂର୍ଣ୍ଣ କିମ୍ବା ବ୍ୟୟବହୁଳ ଖାଦ୍ୟ ପରିବର୍ତ୍ତେ ସାଧାରଣ ଲୋକଙ୍କ ଆହାରକୁ ପସନ୍ଦ କରନ୍ତି । ଅଫିସିଆଲ୍ ଟୁର୍‌ ସମୟରେ ଜିନପିଙ୍ଗ୍ ସାଧାରଣ ଘରୋଇ ଶୈଳୀର ଖାଦ୍ୟ ପସନ୍ଦ କରନ୍ତି। ତାଙ୍କ ପାତ୍ରରେ ସାଧାରଣତଃ ମସଲାଯୁକ୍ତ କୁକୁଡ଼ା ମାଂସ , ଘୁଷୁରି ମାଂସ ସହ ରସୁଣ ଛୁଇଁ ଭାଜି ଏବଂ ସାଧାରଣ ତରକାରୀ ରହିଥାଏ।

ନିଜ ଅଫିସିଆଲ୍ ଗସ୍ତ ସମୟରେ ସେ ମଦ୍ୟପାନ କରନ୍ତି ନାହିଁ । ସେ ନିଜ ସହଯୋଗୀମାନଙ୍କୁ ଏହାକୁ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥାନ୍ତି। ଆଡ଼ମ୍ବରପୂର୍ଣ୍ଣ ଭୋଜି ବଦଳରେ ସରଳ ଖାଦ୍ୟ ମାଧ୍ୟମରେ ସେ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କ ସହ ଯୋଡ଼ିହେବାକୁ ଚେଷ୍ଟା କରନ୍ତି।

୨୦୧୩ ମସିହାରେ ବେଜିଂର ଏକ ସାଧାରଣ ରେଷ୍ଟୁରାଣ୍ଟ ('ସିଂଫେଙ୍ଗ୍ ବାଓଜି') କୁ ଯାଇ ସେ ନିଜେ ଲାଇନ୍‌ରେ ଛିଡ଼ା ହୋଇ ପର୍କ ବାଓଜି, ସୁପ୍‌ କିଣି ଖାଇଥିଲେ। ଏହି ଘଟଣା ପରେ "ବାଓଜି" ତାଙ୍କର ସରଳ ଆହାରର ପ୍ରତୀକ ସାଜିଥିଲା। ଯୁବକାଳରୁ ଶାନ୍‌କ୍ସି (Shaanxi) ପ୍ରଦେଶରେ ରହୁଥିବା ସମୟରୁ ସେ ସ୍ଥାନୀୟ ଖଟା ଆଚାର, ଛେଳି ମାଂସ ସୁପ୍‌ ଏବଂ ନୁଡୁଲ୍ସ ପସନ୍ଦ କରନ୍ତି, ଯାହାକୁ ସେ ‘ଘରର ସ୍ୱାଦ’ ବୋଲି କହିଥାନ୍ତି।

 ବୈଦେଶିକ ଗସ୍ତ ଓ ପ୍ରୋଟୋକଲ୍
ସେ ଯେତେବେଳେ ଅନ୍ୟ ଦେଶକୁ ଗସ୍ତ କରନ୍ତି (ଯେପରି ଭାରତ କିମ୍ବା ଅନ୍ୟ ବ୍ରିକ୍ସ ଦେଶ), ସେତେବେଳେ ଆୟୋଜକ ଦେଶ ତାଙ୍କ ସ୍ୱାସ୍ଥ୍ୟ, ପସନ୍ଦ ଏବଂ ଖାଦ୍ୟ ପ୍ରୋଟୋକଲକୁ ଧ୍ୟାନରେ ରଖି ମେନୁ ପ୍ରସ୍ତୁତ କରନ୍ତି। ତାଙ୍କ ଗସ୍ତ ସମୟରେ ଖାଦ୍ୟ କେବଳ ଆହାର ନୁହେଁ, ବରଂ ଉଭୟ ଦେଶ ମଧ୍ୟରେ ଥିବା ସାଂସ୍କୃତିକ ସମ୍ପର୍କ ଏବଂ କୂଟନୈତିକ ବାର୍ତ୍ତା ପ୍ରଦାନର ଏକ ମାଧ୍ୟମ ପାଲଟିଥାଏ।