Super El Niño" in 2026: ସୁପର ଏଲ୍ ନିନୋର ବଢ଼ୁଥିବା ବିପଦ, ତୈଳ ଦର ବୃଦ୍ଧି ଝଟକା ଏବଂ ଯୁଦ୍ଧର ପ୍ରଭାବ ଆଦି ଘଟଣା ବିଶ୍ୱକୁ ମାନ୍ଦାବାସ୍ଥା ଆଡ଼କୁ ଟାଣି ନେଉଛି। ଇତିହାସ କହୁଛି, ଯେବେ ଯେବେ ତୈଳ ଦର ବୃଦ୍ଧି ଝଟକା ଲାଗିଛି ସେବେ ସେବେ ଆମେରିକାର ମାନ୍ଦାବସ୍ଥା ଆସିଛି, ଆଉ ଏଥର ଯୁଦ୍ଧ ଯୋଗୁ ସ୍ଥିତି ଆହୁରି ସଂଗୀନ ହେବାକୁ ଯାଉଛି। ଆମେରିକା ମାନ୍ଦାବାସ୍ଥା ପୂରା ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରେ। ଏଥିରୁ ଭାରତ ବି ବାଦ ପଡ଼ିବ ନାହିଁ।ସବୁଠାରୁ ବଡ଼ କଥା ହେଲା ଭାରତକୁ ଦୁଇଟି ଭୟ ବେଶି ଘାରୁଛି, ଗୋଟିଏ ହେଲା ଇନ୍ଧନର ଅଭାବ ଓ  ଅନ୍ୟଟି ସୁପର ଏଲନିନୋ ସଂକଟ। ଏହି ପ୍ରସଙ୍ଗକୁ ନେଇ ପଢନ୍ତୁ ଆଜିର ସ୍ପେଶାଲ ରିପୋର୍ଟ।

ବିଶ୍ୱ ଯେତେବେଳେ ଏକ ବଡ଼ ତୈଳ ସଂକଟର ସାମ୍ନା କରିଛି ସେତେବେଳେ ଆମେରିକାର ଅର୍ଥନୀତି ପ୍ରାୟତଃ ମାନ୍ଦାବସ୍ଥାକୁ ଯାଇଛି। ନିକଟରେ ଏସବିଆଇ ରିସର୍ଚ୍ଚ ରିପୋର୍ଟରେ ଏନେଇ ଚିନ୍ତା ପ୍ରକଟ କରାଯାଇଛି। ବର୍ତ୍ତମାନ ଇରାନ ଯୁଦ୍ଧ ଯୋଗୁ ହର୍ମୁଜ ଜଳପଥ ଖୋଲିବା ସମ୍ଭାବନା କ୍ଷୀଣ ଦେଖାଯାଉଥିବା ବେଳେ ଅବରୋଧ ଯୋଗୁ ସାରା ବିଶ୍ୱରେ ଇନ୍ଧନ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ତୈଳ ସଂକଟ ଦେଖା ଦେଇଛି। ଆଉ ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ବି ହୋଇଛି। ଯାହା ଆମେରିକାକୁ ଆଉ ଏକ ମାନ୍ଦାବାସ୍ଥା ଆଡ଼କୁ ଟାଣି ନେଉଛି ବୋଲି ଏସବିଆଇ କହିଛି।

ହେଲେ ପୂର୍ବରୁ ଆମେରିକାର ଦେଖା ଦେଇଥିବା ମାନ୍ଦାବସ୍ଥା ଅପେକ୍ଷା ଏଥର ସେତେଟା ପ୍ରଭାବ ପଡ଼ି ନପାରେ। କାରଣ ଆମେରିକା ପୂର୍ବାପେକ୍ଷା ତୈଳ କ୍ଷେତ୍ରରେ ଅନେକ ଆତ୍ମନିର୍ଭର ହୋଇ ପାରିଛି। ତେବେ ବି ଆମେରିକାର ଯଦି ମାନ୍ଦାବସ୍ଥା ଆସେ ଏହା ବିଶ୍ୱ ସମେତ ଭାରତକୁ ପ୍ରଭାବିତ କରିବ। ମାନ୍ଦାବସ୍ଥାରୁ ରକ୍ଷା ପାଇଁ ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଯଦି ସୁଧହାର ବଢାଏ ତେବେ ବିଦେଶ ନିବେଶକମାନେ ଅଧିକ ସୁଧ ଆଶାରେ ଭାରତୀୟ ମାର୍କେଟରୁ ଟଙ୍କା କାଢି ନେଇ ଆମେରିକାର ନିବେଶ କରିବେ। ଫଳରେ ଭାରତୀୟ ଷ୍ଟକ ମାର୍କେଟ ଖସିଯିବ। କେବଳ ସେତିକି ନୁହେଁ ଏଥିରେ ଟଙ୍କାର ମୂଲ୍ୟ ଖସିଯିବ, ଫଳରେ ଭାରତକୁ ଆମାଦନୀ ମହଙ୍ଗା ହୋଇଯିବ। ଭାରତ ଅଧିକ ତୈଳ ଆମଦାନୀ କରୁଥିବାରୁ ଏଥିରେ ପରିବହନ ଖର୍ଚ୍ଚ ସହ ସବୁ ଜିନିଷପତ୍ର ମହଙ୍ଗା ହୋଇଯିବ।

କେବଳ ସେତିକି ନୁହେଁ, ଏହା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ବି ଚାପ ପକାଇବ। ମୁଦ୍ରାସ୍ଥୀତିକୁ ନିୟନ୍ତ୍ରଣ ରଖିବା ପାଇଁ ରିଜର୍ଭ ବ୍ୟାଙ୍କକୁ ବି ସୁଧହାର ବଢ଼ାଇବ। ଫଳରେ ଋଣ ମହଙ୍ଗା ହୋଇଯିବ। କମ୍ପାନୀମାନେ ଲୋନ ନେଇପାରିବେ ନାହିଁ କି କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିପାରିବେ ନାହିଁ। ଏଥିରେ ନିଯୁକ୍ତ ବି ବନ୍ଦ ହୋଇଯିବ। ସେହିପରି ଆମେରିକାର ଯଦି କଟଣା ଲଗାଇଲା ତେବେ ଭାରତର ରପ୍ତାନୀ ମଧ୍ୟ ପ୍ରଭାବିତ ହେବ। ତେବେ ଏକ ବଡ଼ କଥା ହେଲା ଭାରତର ଏକ ବିଶାଳ ମାର୍କେଟ୍ ରହିଛି। ଏହାର ଆଭ୍ୟନ୍ତରୀଣ ଡିମାଣ୍ଡ ଓ ସରକାରୀ ନୀତି ଯୋଗୁ ଭାରତ ଏହି ପରିସ୍ଥିତିକୁ ମୁକାବିଲା କରିପାରେ।

Also Read- War Effect : ଯୁଦ୍ଧ ପାଇଁ ସବୁ ମହଙ୍ଗା, ଏସିଠୁ ସାବୁନ ଯାଏଁ ବଢିଗଲା ଦାମ୍...ଆଗକୁ ଆହୁରି ବଢିବ !

ଭାରତ ଅର୍ଥନୀତି ପାଇଁ ବିପଦ ଏତିକିରେ ସରି ନାହିଁ। ବର୍ତ୍ତମାନ ଆମେରିକା ଇସ୍ରାଏଲ ଓ ଇରାନ ଯୁଦ୍ଧ ଯୋଗୁ ହର୍ମୁଜ ପ୍ରଣାଳୀ ବନ୍ଦ ରହିଛି। ସେପଟେ ଇରାନ ଏହି ଜଳପଥରେ ଯେଉଁ ମାଇନ୍ସ ବିଛାଇଥିଲା, ତାହାକୁ ଖୋଜିପାଉ ନାହିଁ। ଯଦିଓ ଆମେରିକା ଏହାର ସଫେଇ କାମରେ ଲାଗିଛି, ତଥାପି ରିପୋର୍ଟ କହୁଛି ହର୍ମୁଜ ପ୍ରଣାଳୀରୁ ମାଇନ୍ସ ସଫେଇ କରିବାକୁ ୬ ମାସ ଲାଗିଯିବ। ତେଣୁ ତୈଳ ସଂକଟ ଆଗକୁ ମଧ୍ୟ ଜାରି ରହିପାରେ। ତେବେ କେବଳ ତେଲ ନୁହେଁ ଏଲଏନଜି ଓ ଏଲପିଜି ଗ୍ୟାସ ସଂକଟ ବି ଟେନସନ ଦେଇପାରେ

ବିଶ୍ୱର ୨୦ ପ୍ରତିଶତ ତୈଳ ପରିବହନ ହର୍ମୁଜ ଜଳପଥ ଦେଇ ହୋଇଥାଏ। ଭାରତ ନିଜ ଆବଶ୍ୟକତାର ୬୦%ରୁ ଅଧିକ ଇନ୍ଧନ ଏହି ଜଳପଥ ଦେଇ ମଗାଇଥାଏ। ସାଉଦି ଆରବ, ଇରାକ, ଇରାନ, କୁଏତ ଏବଂ ୟୁଏଇ (UAE) ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ସେମାନଙ୍କର ଅଧିକାଂଶ ରପ୍ତାନି ଏହି ମାର୍ଗ ଦେଇ କରିଥାନ୍ତି। ସେଥିପାଇଁ ଏହାକୁ ବିଶ୍ୱ ଅର୍ଥନୀତିର "Lifeblood" ବୋଲି କୁହାଯାଏ।

ହେଲେ ଯୁଦ୍ଧ ଯୋଗୁ ଇରାନ ଏହାକୁ ବନ୍ଦ କରି ରଖିଛି। ଆମେରିକା- ଇରାନ ମଧ୍ୟରେ ଶାନ୍ତି ପାଇଁ ପାକିସ୍ତାନ ଉଦ୍ୟମ କରିଥିଲେ ବି ଏହା ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ। ତେଣୁ ଆଗକୁ ହର୍ମଜୁ ଜଳପଥ ଖୋଲିବା ଆଶା ଆଶଙ୍କାରେ ରହିଛି। ସବୁଠାରୁ ବଡ଼ କଥା ହେଲା ଇରାନ ଏହି ଜଳପଥରେ ଯେଉଁ ମାଇନ୍ସ ବିଛାଇଥିଲା, ତାହା ଏବେ ମିଳୁ ନାହିଁ। ହର୍ମୁଜ ପ୍ରଣାଳୀରୁ ଏହାକୁ ସଫେଇ କରିବାକୁ ୬ ମାସ ସମୟ ଲାଗିବ ବୋଲି ୱାଶିଂଟନ ପୋଷ୍ଟ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯଦିଓ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ରିପୋର୍ଟକୁ ଖଣ୍ଡନ କରିଛି, ତଥାପି ସ୍ଥିତ ଜଟିଳ ରହିଛି।

ହର୍ମୁଜ ଜଳପଥରେ ଅବରୋଧ ଲାଗି ରହିଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ବ୍ୟାରେଲ ପ୍ରତି ୮୦ରୁ ୯୦ ଡଲାର ଥିବା ବେଳେ ଏବେ ଏହା ପୁଣି ବଢ଼ି ୧୦୫ ଡଲାର ହୋଇ ଯାଇଛି। ଯୁଦ୍ଧ ପୂର୍ବରୁ ଏହା ପ୍ରାୟ ୬୦-୬୫ ଡଲାର ମଧ୍ୟରେ ରହିଥିଲା।

ଭାରତ ଏହାର ତୈଳ ଆବଶ୍ୟକତାର ୮୦% ରୁ ଅଧିକ ଆମଦାନୀ କରିଥାଏ। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବଢ଼ୁଥିବାରୁ ଭାରତୀୟ ତୈଳ କମ୍ପାନୀଗୁଡ଼ିକ ଉପରେ ଏହାର ଚାପ ପଡ଼ୁଛି। ତେଣୁ ଦେଶରେ ଖୁବ୍‌ଶୀଘ୍ର ତୈଳ ଦର ବୃଦ୍ଧି ପାଇବ ବୋଲି କୁହାଯାଉଛି। କିଛି ମିଡିଆ ରିପୋର୍ଟ ଏହା ମଧ୍ୟ ଦାବି କରୁଛନ୍ତି ଯେ ୫ ରାଜ୍ୟର ନିର୍ବାଚନ ସରିବା ପରେ ପେଟ୍ରୋଲ ୧୮ ରୁ ୨୦ ଟଙ୍କା ଓ ଡିଜେଲ୍ ୩୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଯଦିଓ ସରକାର ଏହାକୁ ଖଣ୍ଡନ କରୁଛନ୍ତି, ତେବେ ଦେଶରେ ବିଭିନ୍ନ ସ୍ଥାନରେ ତୈଳ ଆବଣ୍ଟନ ନେଇ ଲାଗିଥିବା କଟକଣା ଜଟିଳ ସ୍ଥିତି ସ୍ପଷ୍ଟ କରୁଛି। ଦୀର୍ଘଦିନ ସ୍ଥିତି ଏମିତି ଜଟିଳ ହେଲେ କମ୍ପାନୀମାନେ ତୈଳ ଦର ବୃଦ୍ଧି କରିବାକୁ ବାଧ୍ୟ ହେବେ। ଆଉ ଯଦି ତୈଳ ଦର ବଢ଼ିଲା ତେବେ ସବୁ ଜିନିଷର ଦରଦାମ ଆକାଶ ଛୁଆଁ ହୋଇପାରେ। ଯାହା ଭାରତର ଉଦୀୟମାନ ଅର୍ଥନୀତିକୁ ଏକ ଶକ୍ତ ଝଟ୍‌କା ଦେଇପାରେ। ତେବେ ଆଶ୍ୱସ୍ତିକର କଥା ହେଉଛି, ଭାରତ ଋଷ ଠାରୁ ଶସ୍ତା ତୈଳ ଆମଦାନୀ କରି ସ୍ଥିତି ସମ୍ଭାଳିବାକୁ ଚେଷ୍ଟା ଜାରି ରଖିଛି। ତେବେ ଋଷ ପୂର୍ବରୁ ଯେତେ ଶସ୍ତା ତେଲ ଦେଉଥିଲା ତାହା ଏବେ ଦେଉ ନାହିଁ। ଡିମାଣ୍ଡକୁ ଦେଖି ଋଷ ମଧ୍ୟ ତୈଳ ଦର ବୃଦ୍ଧି କରିଛି। ତଥାପି ଭାରତ ଋଷ ଠାରୁ ନିଜ ତୈଳ ଡିମାଣ୍ଡର ପୂରା କରିବାକୁ ଚେଷ୍ଟା କରୁଛି।

Also Read- ବ୍ୟାଙ୍କଗୁଡ଼ିକ ଉପରେ ଯେକୌଣସି ମୁହୂର୍ତ୍ତରେ ହୋଇପାରେ ସାଇବର ଆଟାକ: ଅର୍ଥମନ୍ତ୍ରୀଙ୍କ ଜରୁରୀ ବୈଠକ

ସେପଟେ କିଭଳି ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସରକାର ପେଟ୍ରୋଲ ଓ ଡିଜେଲରେ ଇଥାନଲ ମିଶ୍ରଣକୁ ବି ଗୁରୁତ୍ୱ ଦେଇଛନ୍ତି। ତା’ ଛଡ଼ା ଏହି ଅସ୍ଥିର ପରିସ୍ଥିତିରେ ଭାରତରେ ଇଭି ମାର୍କେଟ୍ ମଧ୍ୟ ବୃଦ୍ଧି ପାଇଛି। ତେଣୁ ଏସବୁ ଉପଯୋଗୀ ନିଷ୍ପତ୍ତି ତୈଳ ନିର୍ଭରଶୀଳତାକୁ ସାମାନ୍ୟ ହ୍ରାସ କରିପାରେ।

କେବଳ ତେଲ ନୁହେଁ, ଭାରତ ଆମଦାନୀ କରୁଥିବା ପ୍ରାକୃତିକ ଗ୍ୟାସ୍ (LNG) ର ଏକ ବଡ଼ ଅଂଶ (ବିଶେଷ କରି କାତାରରୁ) ମଧ୍ୟ ଏହି ହର୍ମଜୁ ପଥ ଦେଇ ଆସେ। ଗ୍ୟାସ ଅଭାବ ଯୋଗୁ ଭାରତରେ ସାର ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ମାର୍ଚ୍ଚରେ ସାର ଉତ୍ପାଦନ ୨୪.୬% କମି ଯାଇଛି। ସେପଟେ ବିଶେଷଜ୍ଞ କହିବା କଥା ହେଲା ଯଦି ସ୍ଥିତି ଶୀଘ୍ର ସମାଧାନ ନ ହୁଏ ତେବେ ଆଗକୁ ଦେଶରେ ଖାଦ୍ୟ ସଂକଟ ଦେଖା ଦେଇପାରେ।

ଭାରତ ନିଜ ଆବଶ୍ୟକତାର ୬୦% ଏଲଏନଜି ଏବଂ ୪୦% ୟୁରିଆ ପାଇଁ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକ ଉପରେ ନିର୍ଭର କରିଥାଏ। ସେହିପରି ମୋଟ ସାର ଆବଶ୍ୟକତାର ପ୍ରାୟ ୩୦-୩୫% ଆମଦାନୀ କରିଥାଏ। ୟୁରିଆ ବାଦ ଡାଏ- ଆମୋନିୟମ ଫସଫେଟ (DAP) ଏବଂ ପଟାଶ ଭଳି ଉର୍ବରକ ୮୦-୯୦% ପର୍ଯ୍ୟନ୍ତ ଆମଦାନୀ କରୁଛି ଭାରତ। ହେଲେ ବର୍ତ୍ତମାନ ପରିବହନ ବନ୍ଦ ଯୋଗୁ ସାର ସଂକଟ ବଢ଼ୁଥିବାର ଦେଖାଯାଉଛି। ସେହିପରି ଏଲପିଜି ଗ୍ୟାସର ଅଭାବ ଯୋଗୁ ହୋଟେଲ, ରେସ୍ତୋରାଁ ଭଳି ଖାଦ୍ୟ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛି। ଆଗକୁ ସ୍ଥିତି ଆହୁରି ସାଂଘାତିକ ହୋଇପାରେ।

ଇରାନ ଯୁଦ୍ଧ ଯୋଗୁ ଭାରତ ପୂର୍ବରୁ ଏତେ ସବୁ ସମସ୍ୟାରେ ଘେରି ରହିଥିବା ବେଳେ ଏବେ ଡରାଇଲାଣି ଏଲନିନୋ ଭୟ। ପାଣିପାଗର ଏକ ସାଂଘାତିକ ପରିବର୍ତ୍ତନ। ୧୯୫୦ ପରେ ୨୦୨୬ରେ ଏକ ସୁପର ଏଲନିନୋ ଆସିବାକୁ ଯାଉଛି। ଯାହା ଅପାଳକ ପରିସ୍ଥିତି ସୃଷ୍ଟି କରିପାରେ।ଯେହେତୁ ଭାରତ ଏକ କୃଷି ପ୍ରଧାନ ଦେଶ ତେଣୁ ପାଣିପାଗରେ ଏଭଳି ସାଂଘାତିକ ପରିବର୍ତ୍ତନ ଦେଶର ଅର୍ଥନୀତିକୁ ଦୋହଲାଇ ଦେଇପାରେ।

ଏସ୍‌ବିଆଇ ରିସର୍ଚ୍ଚ ରିପୋର୍ଟରେ ତୈଳ ସଂକଟ ପରେ ଏଲନିନୋକୁ ଭାରତ ପାଇଁ ଏକ ବଡ଼ ବିପଦ ବୋଲି କୁହାଯାଇଛି। ପାଣିପାଗ ବିଶେଷଜ୍ଞ ଅନୁମାନ କରୁଛନ୍ତି ଯେ ଆଗାମୀ ମାସଗୁଡ଼ିକରେ ଏକ ବିରଳ ଏବଂ ଶକ୍ତିଶାଳୀ ଏଲ୍ ନିନୋ ସୃଷ୍ଟି ହୋଇପାରେ, ଯାହାକୁ ପ୍ରାୟତଃ ସୁପର ଏଲ୍ ନିନୋ କୁହାଯାଏ। ରିପୋର୍ଟ ଅନୁଯାୟୀ, ୧୯୫୦ ପରଠାରୁ ଏପରି ଶକ୍ତିଶାଳୀ ଏଲ୍ ନିନୋ କେବଳ ପାଞ୍ଚ ଥର ଘଟିଛି, ଏବଂ ଶେଷ ଥର ୨୦୧୫ ରୁ ୨୦୧୬ ମଧ୍ୟରେ ଦେଖାଯାଇଥିଲା। ତେବେ ଏଲନିନୋ ସୃଷ୍ଟି ହେବାର ଯଦିଓ ସ୍ପଷ୍ଟତା ନାହିଁ ତେବେ ଆଶଙ୍କା ରହିଛି। ଆମେରିକାର ଏଜେନ୍ସି NOAA ଏପ୍ରିଲ ୯ ତାରିଖରେ ଏଲ ନିନୋ ସୃଷ୍ଟି ହେବାର ସମ୍ଭାବନା ୬୧ ପ୍ରତିଶତ ବୋଲି ପୂର୍ବାନୁମାନ କରିଥିଲା, ଏହା ମଜଭୁତ ହେବ ବୋଲି ୨୫ ପ୍ରତିଶତ ସମ୍ଭାବନା ରହିଥିଲା।

ଏଲନିନୋ ହେଉଛି ଏକ ପ୍ରାକୃତିକ ଘଟଣା ଯେଉଁଥିରେ ପ୍ରଶାନ୍ତ ମହାସାଗରର ଜଳରାଶି ଅସ୍ୱାଭାବିକ ଭାବେ ଗରମ ହୋଇଯାଏ। ଏହା ଫଳରେ ସାରା ବିଶ୍ୱର ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦିଏ।

ରିସର୍ଚ୍ଚ ରିପୋର୍ଟ କହୁଛି ଏହି ଏଲନିନୋର ପ୍ରଭାବ ସବୁସ୍ଥାନରେ ସମାନ ପଡ଼େ ନାହିଁ। ଆଟଲାଣ୍ଟିକ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ସମସ୍ୟା ଅପେକ୍ଷାକୃତ ଶାନ୍ତ ରହିପାରେ, କିନ୍ତୁ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଅଧିକ ଘୂର୍ଣ୍ଣିବାତ୍ୟା ଦେଖାଦେଇପାରେ। ଦକ୍ଷିଣ ଏସିଆରେ ଗ୍ରୀଷ୍ମ ମୌସୁମୀ ଦୁର୍ବଳ ହୋଇପାରେ। ବର୍ଷର ଶେଷ ଭାଗରେ ଆମାଜନ ଏବଂ ଅଷ୍ଟ୍ରେଲିଆର କିଛି ଅଂଶରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ।

ଏସ୍‌ବିଆଇ ରିପୋର୍ଟରେ କୁହାଯାଇଛି ଯେ ଯଦି ଭାରତରେ ବସନ୍ତ ଏଲ ନିନୋ (ଫେବୃଆରୀରୁ ମେ) ସମୟରେ ଆସେ, ତେବେ ଦେଶର ପ୍ରାୟ ୩୦ ପ୍ରତିଶତ ଭାଗରେ ସାମାନ୍ୟ ଅପେକ୍ଷା ହାରାହାରି ୨୬ ପ୍ରତିଶତ କମ୍ ବର୍ଷା ହେଇପାରେ। ଏହି ସମୟରେ, ଯଦି ଜୁନ୍ ଏବଂ ସେପ୍ଟେମ୍ବର ମଧ୍ୟରେ ଗ୍ରୀଷ୍ମକାଳୀନ ଏଲ ନିନୋ ହୁଏ, ତେବେ ଦେଶର ପ୍ରାୟ ୧୫ ପ୍ରତିଶତ ଭାଗେ ହାରାହାରି ୨୨ ପ୍ରତିଶତ କମ୍ ବର୍ଷା ହୋଇପାରେ। ଏଲ୍ ନିନୋ ପ୍ରଭାବରେ ମୌସୁମୀ ବାୟୁ ଦୁର୍ବଳ ହୋଇପାରେ, ଯାହାଫଳରେ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ସେହିପରି ଜଳକଷ୍ଟ ମଧ୍ୟ ବଢ଼ି ଯାଇପାରେ।

Also Read- Tech Layoffs: ବଢ଼ୁଛି ଏଆଇ କମୁଛି କାମ; ମେଟା, ଓରାକେଲ ଓ ମାଇକ୍ରୋସଫ୍ଟ ମାସକ ଭିତରେ କଲେଣି ୪୬,୭୫୦ ଛଟେଇ

​​​​​​​

ଏସବିଆଇ ରିପୋର୍ଟରେ ୧୧ ଡିସେମ୍ବର ୨୦୨୪ରେ ଲୋକସଭାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତରକୁ କୋଟ କରାଯାଇଛି। ଏଥିରେ ମନ୍ତ୍ରୀ କହିଛନ୍ତି ଏଲ୍ ନିନୋ ସମୟରେ ଭାରତର ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ ସ୍ୱାଭାବିକ ଅପେକ୍ଷା ଦୁର୍ବଳ ଥାଏ ଏବଂ ଏହାର ପ୍ରଭାବ ଏଲ୍ ନିନୋର ତୀବ୍ରତା ଉପରେ ନିର୍ଭର କରେ। ୧୯୫୦ ମସିହାରୁ, ୧୬ଟି ଏଲ୍ ନିନୋ ବର୍ଷ ରେକର୍ଡ କରାଯାଇଛି, ଯେଉଁଥିରୁ ୭ଟି ବର୍ଷ ଭାରତରେ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ହୋଇଥିଲା। ଏଲ୍ ନିନୋର ପ୍ରତିକୂଳ ପ୍ରଭାବ ମୌସୁମୀ ଋତୁର ଶେଷ ଭାଗରେ, ବିଶେଷକରି ସେପ୍ଟେମ୍ବର ବର୍ଷାରେ ଅଧିକ ଶକ୍ତିଶାଳୀ ମନେହୁଏ। ଏହାର ଅର୍ଥ ହେଉଛି ବିପଦ କେବଳ ଆରମ୍ଭରେ ନୁହେଁ ବରଂ ମୌସୁମୀ ଋତୁର ଶେଷ ଭାଗରେ ମଧ୍ୟ ରହିପାରେ।

ଏସବିଆଇ ରିପୋର୍ଟ ଅନୁଯାୟୀ, ଏଲ୍ ନିନୋ ଏବଂ ମରୁଡ଼ିର ମିଳିତ ପ୍ରଭାବ ଜିଡିପି ଅଭିବୃଦ୍ଧି ଉପରେ ହାରାହାରି ପ୍ରାୟ ୨୦ ବେସିସ୍ ପଏଣ୍ଟ ହୋଇପାରେ। ଯଦି ପରିସ୍ଥିତି ଆହୁରି ଖରାପ ହୁଏ, ତେବେ ପ୍ରଭାବ ପ୍ରାୟ ୬୫ ବେସିସ୍ ପଏଣ୍ଟର ଚରମ ସ୍ଥିତିରେ ପହଞ୍ଚିପାରେ। ଏହାର ଅର୍ଥ ହେଉଛି ଯେ ପାଗର ପ୍ରଭାବ ସୀମିତ ହୋଇପାରେ, କିନ୍ତୁ ଚରମ ପରିସ୍ଥିତିରେ ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ଯଥେଷ୍ଟ ହ୍ରାସ କରିପାରେ।