ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ନିସ୍ତାର ନାହିଁ । ଏବେ ଯେମିତି ଜଳୁଛି ଓଡ଼ିଶା, ଆହୁରି ୧୫ ଦିନ ଜାଳିବ ତାତି ପ୍ରକୋପ। ମଝିରେ ସାମୟିକ ଭାବେ ପାରଦ ସାମାନ୍ୟ ତଳକୁ ଖସିବ। କିନ୍ତୁ, ବଡ଼ ଆଶ୍ୱସ୍ତି ମିଳିବନି। ଜାରି ରହିବ ନିଷ୍ଠୁର ଗ୍ରୀଷ୍ମର ନିର୍ମମ ପ୍ରହାର। ପ୍ରଚଣ୍ଡ ଗ୍ରୀଷ୍ମ ସ୍ଥିତି ଦେଖି ରାଜ୍ୟ ସରକାର ଏଥିର ଆଗୁଆ ସ୍କୁଲ ଛୁଟି କରିଛନ୍ତି।

ସ୍ଥିତି ଅସମ୍ଭାଳ ହେଲାଣି। ଗୁରୁବାର ଝାରସୁଗୁଡ଼ା ୪୪ ଡିଗ୍ରୀ ସେଲସିୟସ୍ ତାଉରେ ଟକଟକ ହୋଇ ଫୁଟୁଥିଲା। କୋଇଲା ନଗରୀ ତାଳଚେର ବି ୪୪ ଡିଗ୍ରୀ ତାତିରେ ଦାଉଦାଉ ହୋଇ ଜଳୁଥିଲା। ଏ ଦୁଇ ସହର ପାଲଟିଥିଲେ ଦେଶର ଚତୁର୍ଥ ତତଲା ସହର। ରାଜ୍ୟର ୨୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଟିଟିଲାଗଡ଼ ତାପମାତ୍ରା ୪୩.୮, ଢେଙ୍କାନାଳ ୪୩.୫, ଅନୁଗୁଳ ୪୩.୫, ହୀରାକୁଦ ୪୩.୪, ପାରଳାଖେମୁଣ୍ଡି ୪୩, ସମ୍ବଲପୁର ୪୩ ଡିଗ୍ରୀ ଛୁଇଁଥିଲା। ରାଉରକେଲା, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ଭବାନୀପାଟଣା, ସୋନପୁର, ରଗଡ଼ ଓ ଭୁବନେଶ୍ବରରେ ପାରଦ ୪୨ ଡେଇଁଲା । କିନ୍ତୁ ଶୁକ୍ରବାର ତାତିରେ ସାମାନ୍ୟ ଆଶ୍ୱସ୍ତି ମିଳିଛି।

ଗୁରୁବାର ଦୁଇ ସପ୍ତାହ ପାଇଁ ଭାରତୀୟ ପାଣିପାଗ ବିଭାଗ ବିସ୍ତାରିତ ପୂର୍ବାନୁମାନ ଦେଖାଇଛି। ଏହି ଆକଳନ କହୁଛି, ଏପ୍ରିଲ ୨୪ରୁ ୩୦ ତାରିଖ ଭିତରେ ଉପକୂଳ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡ଼ିକର ତାପମାତ୍ରା ୩୬ରୁ ୪୨ ୪୨ ଡିଗ୍ରୀ ଭିତରେ ରହିବା ସମ୍ଭାବନା ଅଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉତ୍ତର ପଶ୍ଚିମ ଓଡ଼ିଶାର ଅନେକ ଜାଗାରେ ତାପମାତ୍ରା ୪୦-୪୪ ଡିଗ୍ରୀ ରହିପରେ। ସେହିପରି ପରବର୍ତ୍ତୀ ସପ୍ତାହରେ (ମେ’୧ରୁ ୭) ଉପକୂଳ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ ପାରଦ ୩୮-୪୦ ଡିଗ୍ରୀ ଦକ୍ଷିଣ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦-୪୨ ଡିଗ୍ରୀ ରହିବା ଆଶଙ୍କା ଅଛି।

ପାଣିପାଗ ବିଭାଗର ତାଜା ଆକଳନ ହେଲା, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ତା'ପରେ ୨-୩ ଦିନ ଡିଗ୍ରୀ କମିପାରେ। ଶୁକ୍ରବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ, ଗଜପତି, ରାୟଗଡ଼ାରେ ହିଟ୍ ୱେଭ ସ୍ଥିତି ରହିବ। ବଲାଙ୍ଗୀର, ସମ୍ବଲପୁର, କନ୍ଧମାଳରେ ରାତିରେ ବି ଗରମ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିପାରେ। ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ କାଳବୈଶାଖୀ ସମ୍ଭାବନା ଅଛି । ୨୫ରୁ ନିୟମିତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇପାରେ। ମାତ୍ର ବିସ୍ତୃତ ଅଞ୍ଚଳରେ ବଡ଼ ବର୍ଷା ସମ୍ଭାବନା କମ୍ । ୨୪ ତାରିଖ ପଶ୍ଚିମରେ ପାରଦ ୪୫ ଡିଗ୍ରୀ ଛୁଇଁବା ସହ ଭୁବନେଶ୍ଵର ୪୩ ଡିଗ୍ରୀରେ ପହଞ୍ଚିପାରେ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟ ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର (ସି (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଆସନ୍ତା ମେ' ୩ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମରୁ ବଡ଼ ଧରଣର ଆଶ୍ଵସ୍ତି ମିଳିନପାରେ। ଆସନ୍ତା ୩ ଦିନ ପ୍ରଚଣ୍ଡ ତାତି ରହିବ। ବିଶେଷ କରି ଶନିବାର ଭୀଷଣ ଗରମ ଅନୁଭୂତ ହୋଇପାରେ। ୨୯/୩୦ ତାରିଖରେ କାଳବୈଶାଖୀ ବର୍ଷା କିଛି ଆଶ୍ବସ୍ତି ଦେଇପାରେ। ବର୍ତ୍ତମାନ ବାୟୁମଣ୍ଡ ମଣ୍ଡଳର ଉପରିଭାଗରେ ବିଭିନ୍ନ ଦିଗରୁ ବାୟୁ ଆସି ଜମାଟ ବାନ୍ଧୁଛି। ଏହି ବାୟୁ ତଳକୁ ଆସିବାରୁ ଉତ୍ତପ୍ତ ହେବା ସହ ବାଷ୍ପୀକରଣ କରୁଛି। ଏହା ବର୍ଷା ହେବାରେ ବାଧକ ହେଉଛି।

ବିଶିଷ୍ଟ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଆସନ୍ତା ୨୬ରୁ ପାଗରେ ପରିବର୍ତ୍ତନ ଆସିପାରେ। ବଙ୍ଗୋପସାଗରରୁ ପବନ ଅଧିକ ଆସିବା ସମ୍ଭାବନା ଥିବାରୁ ୨୬-୨୭ରେ ଉପକୂଳରେ କାଳବୈଶାଖୀ ବର୍ଷା କରିପାରେ। ଏଥିରେ ତାତି ୩ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ।