ନୂଆଦିଲ୍ଲୀ: ଇରାନରୁ ତୈଳ କ୍ରୟ କରୁଥିବା ଚୀନ୍ର ଏକ ବଡ଼ ରିଫାଇନାରୀ ଏବଂ ୪୦ରୁ ଅଧିକ ଜାହାଜ ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା । ଆମେରିକାର ଅର୍ଥ ମନ୍ତ୍ରଣାଳୟ ଚୀନର ତୈଳ ରିଫାଇନାରୀ ହେଙ୍ଗଲୀ ପେଟ୍ରୋକେମିକାଲ୍ସ ଏବଂ ପ୍ରାୟ ୪୦ଟି ଜାହାଜ ଉପରେ ବ୍ୟାନ ଲଗାଇ ଦେଇଥିବା ଜଣାପଡ଼ିଛି । ତେବେ ଏହାକୁ ଇରାନ ସହିତ ବ୍ୟବସାୟ କରୁଥିବା କମ୍ପାନୀ ଏବଂ ଦେଶଗୁଡ଼ିକ ଉପରେ ଚାପ ପକାଇବା ପାଇଁ ‘ଦ୍ୱିତୀୟ ପ୍ରତିବନ୍ଧକ’ର ଏକ ଅଂଶ ଭାବରେ ବର୍ଣ୍ଣନା କରିଛି ଆମେରିକା ।

hengli petrochemical ଚୀନର ସର୍ବବୃହତ୍ତ ତୈଳ ରିଫାଇନାରୀ ମଧ୍ୟରୁ ଗୋଟିଏ, ଏହାର ଦୈନିକ ପ୍ରକ୍ରିୟାକରଣ କ୍ଷମତା ପ୍ରାୟ ୪ ଲକ୍ଷ ବ୍ୟାରେଲ । ଆମେରିକାର ଟ୍ରେଜେରୀ ବିଭାଗ ଅଭିଯୋଗ କରିଛି ଯେ, ଏହି ରିଫାଇନାରୀ ୨୦୨୩ ମସିହାରୁ ଇରାନର ଅଶୋଧିତ ତୈଳ ଆମଦାନୀ କରୁଛି । ଏହା ଦ୍ବାରା ଇରାନ ସେନା ଶହ ଶହ ନିୟୁତ ଡଲାର ରାଜସ୍ୱ ସୃଷ୍ଟି କରିଛି।

ଟ୍ରମ୍ପଙ୍କ ବଡ଼ ପଦକ୍ଷେପ

ଇରାନ ଉପରେ ଚାପ ବୃଦ୍ଧି କରିବା ନେଇ ଆମେରିକାର ଯୋଜନାର ଏକ ଅଂଶ ଏହି କାର୍ଯ୍ୟାନୁଷ୍ଠାନ । ଆମେରିକା ବର୍ତ୍ତମାନ ବିଶ୍ୱ ଶକ୍ତି ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀ ଉପରେ ଏକ ଅବରୋଧ ଲାଗୁ କରିଛି। ପ୍ରତିବନ୍ଧିତ ଜାହାଜ କମ୍ପାନୀ ଏବଂ ଟ୍ୟାଙ୍କରଗୁଡ଼ିକୁ ଇରାନର ନୌବାହିନୀର ଅଂଶ ବୋଲି ବିଶ୍ୱାସ କରୁଛି ଆମେରିକା । ପ୍ରତିବନ୍ଧକକୁ ଏଡାଇ ଏହି ସବୁ ଜାହାଜ ତେଲ ପରିବହନ କରନ୍ତି।

ବୈଠକ ପୂର୍ବରୁ କାର୍ଯ୍ୟାନୁଷ୍ଠାନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନରେ ସାକ୍ଷାତ କରିବାକୁ ଯାଉଛନ୍ତି। ଏହି ବୈଠକ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଚୀନର ତୈଳ ବାଣିଜ୍ୟ ଉପରେ ଆକ୍ରମଣ କରିଛନ୍ତି । ବିଶେଷଜ୍ଞଙ୍କ ମତରେ, ଆମେରିକାର ଏହି ପଦକ୍ଷେପ ଚୀନ-ଇରାନ ତୈଳ ବାଣିଜ୍ୟ ଉପରେ ଏକ ସିଧାସଳଖ ଆକ୍ରମଣ। ଚୀନ ଇରାନ ତୈଳର ଏକ ପ୍ରମୁଖ ଅଂଶ କ୍ରୟ କରେ । ଏହା ସହ ଇରାନରୁ ଶାସ୍ତା ତେଲ କିଛି, ପ୍ରଚୁର ଲାଭ କମାଏ ଚୀନ୍ । କିନ୍ତୁ ଏବେ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ, ପରିସ୍ଥିତି ବିଗିଡ଼ିଯାଇପାରେ ।