ୱାଶିଂଟନ: ଟ୍ରମ୍ପ ସରକାର ଦ୍ୱିତୀୟ ପାଳୀ ସବୁବେଳେ ବିବାଦରେ ରହିଛି। କେତେବେଳେ ଅଜବ ନିଷ୍ପତ୍ତି ପାଇଁ ତ ଆଉ କେତେବେଳେ ଟ୍ରମ୍ପଙ୍କ ଆଚରଣ ପାଇଁ। ଟ୍ରମ୍ପ ସରକାରରେ ବଡ଼ ବଡ଼ ପଦବୀରେ ଥିବା ଏକାଧିକ ଅଧିକାରୀ ବି ବିବାଦରେ ଛନ୍ଦି ହୋଇଛନ୍ତି। ଆଉ ଏମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ବିବାଦୀୟ ଚେହେରା ହେଲେ ଏଫ୍‌ବିଆଇ ନିର୍ଦ୍ଦେଶକ କାଶ ପଟେଲ। କେତେବେଳେ ମଦ ପିଇ ଡାନ୍ସ କରିବାର ଭିଡିଓ ଭାଇରାଲ ହେବା ତ ଆଉ କେତେବେଳେ ବିବାଦୀୟ ବୟାନକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଏଥର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏମିତି ଏକ ତଥ୍ୟର ଖୁଲାସା ହୋଇଛି, ଯାହା ଯେତିକି ହାସ୍ୟାସ୍ପଦ ସେତିକି ଆଶ୍ଚର୍ଯ୍ୟକର।

କାଶ ପଟେଲ ତାଙ୍କ ଯୁବା ବସ୍ଥାରେ ସେ ଦୁଇଥର ଗିରଫ ହୋଇଛନ୍ତି। ଥରେ ଭର୍ଜିନିଆ ସହରରେ ନିଶାଶକ୍ତ ଅବସ୍ଥାରେ ଗିରଫ ହୋଇଥିଲେ, ଆଉ ଥରେ ନ୍ୟୁୟର୍କରେ ଏକ ବାର୍ରୁ ବାହାରକୁ ବାହାରୁଥିବା ବେଳେ ସର୍ବସାଧାରଣ ସ୍ଥାନରେ ପରିସ୍ରା କରି ଗରିଫ ହୋଇଥିଲେ। ଆଉ ସବୁଠାରୁ ବଡ଼ କଥା ହେଲା ଏହି ସମୟରେ ଆଇନର ଛାତ୍ର ଥିଲେ। ଆଇନର ଛାତ୍ର ହୋଇ ବେଆଇନ କାମ କରି ଗିରଫ ହେବା ହାସ୍ୟାସ୍ପଦ ମନେ ହେଉଥିଲେ ବି ଟ୍ରମ୍ପ ପ୍ରଶାସନରେ ଏକ ସାଧାରଣ କଥା ପରି ମନେ ହେଉଛି। କାରଣ ଟ୍ରମ୍ପ ସରକାର ଦ୍ୱିତୀୟ ପାଳିରେ ଏକାଧିକ ଏଭଳି ଆଚରଣ କରି ସାରା ବିଶ୍ୱରେ ଅଟ୍ଟହାସ୍ୟ ପାତ୍ର ହୋଇଛନ୍ତି। ତେଣୁ ଅଧିକାରୀ ବା, ନ ହେବେ କେମିତି।

ଦ ଇଣ୍ଟରସେପ୍ଟ ନାମକ ଏକ ଖବର କାଗଜ କାଶ ପଟେଲଙ୍କ ଏହି ଭିତିର କଥାକୁ ସାମ୍ନାକୁ ଆଣିଛି। ପଟେଲ ମିଆମି-ଡେଡ୍ ପବ୍ଲିକ୍ ଡିଫେଣ୍ଡରଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ନିଜର ବ୍ୟକ୍ତିଗତ ସୂଚନା ଆଧାର ହିସାବରେ ଏ ବିଷୟରେ ଖୁଲାସା କରିଥିଲେ। ଅଫିସ୍କୁ ୨୦୦୫ରେ କାଶ ପଟେଲ ଲେଖିଥିବା ଚିଠିରେ ଏ ବିଷୟରେ ଉଲ୍ଲେଖ କରିଥିଲେ। ଯାହାକୁ ଖୋଜି ରିପୋର୍ଟ କରିଛି ଦ ଇଣ୍ଟରସେପ୍ଟ।

କାଶ ପଟେଲ ଲେଖିଥିବା ଚିଠିରେ ଲେଖା ଯାଇଛି “ଆମେ କିଛି ସ୍ଥାନୀୟ ବାରକୁ ଯାଇଥିଲୁ ଏବଂ କିଛି ମଦ୍ୟପାନ କରିଥିଲୁ।” ସେହି ରାତିରେ ସାଙ୍ଗମାନଙ୍କ ସହ ଖୁବ୍ ଏନଜୟ କରିଥିଲେ ପଟେଲ। ଏନେଇ ଚିଠିରେ ଆହୁରି ଲେଖା ଯାଇଛି “ଘରକୁ ଯିବା ସମୟରେ ଆମେ ବ୍ଲାଡର ହାଲୁକା କରିବାକୁ ଚେଷ୍ଟା କରିଥିଲୁ।” ପଟେଲ ଆହୁରି କହିଛନ୍ତି ଯେ ସେମାନେ ପରିସ୍ରା କରିବା ସମୟରେ ଏକ ପୋଲିସ କ୍ରୁଜର ସେମାନଙ୍କୁ ଅଟକାଇଥିଲା, ଏହାପରେ ସାର୍ବଜନୀନ ସ୍ଥାନରେ ପରିସ୍ରା କରିବା ପାଇଁ ତାଙ୍କୁ ଗିରଫ କରାଯାଇଥିଲା।

ଖବରକୁ କାଶ ପଟେଲଙ୍କ ମୁଖପାତ୍ରଙ୍କ ଅସ୍ୱୀକାର

ଦ ଇଣ୍ଟରସେପ୍ଟର ଖବରକୁ ଖଣ୍ଡନ କରିଛନ୍ତି ପଟେଲଙ୍କ ମୁଖପାତ୍ର ଏରିକା ନାଇଟ୍। ସେ କହିଛନ୍ତି ଯେ ଏହି ଅଭିଯୋଗ କେବଳ ତାଙ୍କ ଭାବମୂର୍ତ୍ତୀକୁ ମଳିନ କରିବାକୁ କରାଯାଇଛି। ଏଫ୍ବିଆଇ ପାଇଁ ତାଙ୍କୁ ଉପଯୁକ୍ତ ବୋଲି ସରକାରଙ୍କ ନିଷ୍ପତ୍ତିକୁ ଦୁର୍ବଳ କରିବା ଏବଂ ପଟେଲଙ୍କ ନେତୃତ୍ୱରେ ଏଫ୍ବିଆଇର ସଫଳତା ବିଭ୍ରାନ୍ତି କରିବାକୁ ଏସବୁ କରାଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି। କାରଣ କାଶ ପଟେଲଙ୍କୁ ଏଫ୍ବିଆଇ ଡାଇରେକ୍ଟର ନିଯୁକ୍ତି ଦେବା ପୂର୍ବରୁ ତାଙ୍କ କ୍ୟାରିୟରକୁ ଭଲଭାବରେ ଯାଞ୍ଚ କରାଯାଇଥିଲା ବୋଲି ଏରିକା କହିଛନ୍ତି।

ସର୍ବସାଧାରଣ ମଦ ପିଇ ଗିରଫ ହୋଇଥିଲେ ପଟେଲ

ମଦ ପିଇ ସେ କିଭଳ ଗିରଫ ହୋଇଥିଲେ କାଶ ପଟେଲ ତାଙ୍କ ୨୦୦୫ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି ଯେ ଭର୍ଜିନିଆର ରିଚମଣ୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ କଲେଜରେ ନାବାଳକ ବୟସରେ ମଦ୍ୟପାନ ପାଇଁ ତାଙ୍କୁ ଗରିଫ କରାଯାଇଥିଲା। ସର୍ବସାଧାରଣରେ ନିଶା ପାଇଁ ଗିରଫ କରାଯାଇଥିଲା। ତେବେ ରିପୋର୍ଟକୁ ଟ୍ରମ୍ପ ସରକାର ଖଣ୍ଡନ କରିଛନ୍ତି।