ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଡାକ୍ତର ହେବାର ସ୍ୱପ୍ନ ଦେଖନ୍ତି ଏବଂ ଏଥିପାଇଁ ସେମାନେ ଦେଶର ସବୁଠାରୁ ବଡ଼ ମେଡିକାଲ୍ ପ୍ରବେଶିକା ପରୀକ୍ଷା NEET-UG ପାଇଁ ଦିନରାତି ପରିଶ୍ରମ କରନ୍ତି । କିନ୍ତୁ ଅତ୍ୟଧିକ ପ୍ରତିଯୋଗିତା ଯୋଗୁଁ ସମସ୍ତଙ୍କୁ ଏମବିବିଏସ୍ ସିଟ୍ ମିଳିବା ସମ୍ଭବ ହୋଇନଥାଏ।

ଯଦି ଆପଣ ନିଟ୍ ପରୀକ୍ଷା ପାସ୍ କରିପାରି ନାହାନ୍ତି, ତେବେ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ । ମେଡିକାଲ୍ ଏବଂ ହେଲ୍ଥକେୟାର୍ କ୍ଷେତ୍ରରେ ଏମିତି ଅନେକ ପାଠ୍ୟକ୍ରମ ରହିଛି, ଯାହାକୁ କରି ଆପଣ ନିଜ ନାଁ ଆଗରେ ଆଗରେ 'ଡାକ୍ତର' ଲେଖିପାରିବେ ଏବଂ ଏକ ସଫଳ କ୍ୟାରିୟର ଗଢ଼ିପାରିବେ ।

ବିଦେଶରୁ ଏମ୍‌ବିବିଏସ୍

ଯଦି ଆପଣ କେବଳ ଏମବିବିଏସ୍ ହିଁ କରିବାକୁ ଚାହୁଁଛନ୍ତି, ତେବେ ଆପଣ ବିଦେଶର ମେଡିକାଲ୍ ୟୁନିଭର୍ସିଟିଗୁଡ଼ିକରେ ନାମ ଲେଖାଇ ପାରିବେ । ରୁଷ, ଜର୍ଜିଆ, ଫିଲିପାଇନ୍ସ, କାଜାକସ୍ତାନ ଏବଂ ବାଂଲାଦେଶ ଭଳି ଦେଶରେ କମ୍ ଖର୍ଚ୍ଚରେ ଏମବିବିଏସ୍ ପଢ଼ିବାର ସୁବିଧା ରହିଛି । ବିଦେଶରୁ ଡିଗ୍ରୀ ହାସଲ କରିବା ପରେ, ଭାରତରେ ପ୍ରାକ୍ଟିସ୍ କରିବା ପାଇଁ ଆପଣଙ୍କୁ ଏନଏମସି (National Medical Commission) ଦ୍ୱାରା ପରିଚାଳିତ ଏକ ସ୍କ୍ରିନିଂ ଟେଷ୍ଟ ପାସ୍ କରିବାକୁ ପଡ଼ିବ । ଆବେଦନକାରୀଙ୍କୁ ଦ୍ୱାଦଶ ଶ୍ରେଣୀରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବବିଜ୍ଞାନରେ ଅତିକମରେ ୫୦% ମାର୍କ ରଖିବାକୁ ହେବ । ଆବେଦନ ସମୟରେ ଛାତ୍ରଛାତ୍ରୀଙ୍କ ବୟସ ଅତିକମରେ ୧୭ ବର୍ଷ ହୋଇଥିବା ଆବଶ୍ୟକ ।

ଆୟୁଷ (AYUSH) ପାଠ୍ୟକ୍ରମ

ଯଦି ଆପଣ ଆଲୋପାଥିକ୍ ବ୍ୟତୀତ ଅନ୍ୟ ଚିକିତ୍ସା ପଦ୍ଧତିରେ ଡାକ୍ତର ହେବାକୁ ଚାହୁଁଛନ୍ତି, ତେବେ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଅନେକ ପାଠ୍ୟକ୍ରମଗୁଡ଼ିକ ରହିଛି । ବିଏଏମଏସ୍ (Bachelor of Ayurvedic Medicine and Surgery) ହେଉଛି ଆୟୁର୍ବେଦ ଚିକିତ୍ସା । ଏହାକୁ ସାରିବା ପରେ ଆପଣ ଆୟୁର୍ବେଦିକ ଡାକ୍ତର ହୋଇପାରିବେ । ବିଏଚ୍ଏମ୍ଏସ୍ (Bachelor of Homeopathic Medicine and Surgery) ହୋମିଓପାଥି ଚିକିତ୍ସା ପଦ୍ଧତି, ଯାହାର ଚାହିଦା ଭାରତରେ ବହୁତ ଅଧିକ । ସେହିପରି ବିୟୁଏମଏସ୍ (Bachelor of Unani Medicine and Surgery) ୟୁନାନୀ ଚିକିତ୍ସା ପଦ୍ଧତିରେ ସ୍ନାତକ ଡିଗ୍ରୀ । ବିଏନୱାଇଏସ୍ (Bachelor of Naturopathy and Yogic Sciences) ପ୍ରାକୃତିକ ଚିକିତ୍ସା ଏବଂ ଯୋଗ ବିଜ୍ଞାନ । ଏହି କୋର୍ସ ପାଇଁ ନିଟର ଆବଶ୍ୟକତା ପଡ଼େ ନାହିଁ । କେତେକ ରାଜ୍ୟ ନିଜସ୍ୱ ମେରିଟ୍ ଆଧାରରେ ଆଡମିଶନ କରନ୍ତି ।

ପ୍ରାଣୀ ଚିକିତ୍ସା

ପଶୁପକ୍ଷୀଙ୍କ ଚିକିତ୍ସା କ୍ଷେତ୍ରରେ କ୍ୟାରିୟର ଗଢ଼ିବା ପାଇଁ ବିଭିଏସସି ଆଣ୍ଡ ଏଏଚ୍ (Bachelor of Veterinary Science and Animal Husbandry) ଏକ ଭଲ ବିକଳ୍ପ । ଏହି ପାଢିବା ପରେ ଆପଣ ଜଣେ ପଶୁ ଡାକ୍ତର ଭାବେ ସରକାରୀ ହସ୍ପିଟାଲ୍, ଡାଏରୀ ଫାର୍ମ କିମ୍ବା ନିଜସ୍ୱ କ୍ଲିନିକ୍ ଖୋଲିପାରିବେ । ଏଥିପାଇଁ ବିଭିନ୍ନ ରାଜ୍ୟ ନିଜ ସ୍ତରରେ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ଆୟୋଜନ କରିଥାନ୍ତି ।