ଭୁବନେଶ୍ୱର, ୨୨/୧୦: ବିଜୟା ଦଶମୀ ସହ ସରିଲା ମା’ଜଗତଜନନୀଙ୍କ ପୂଜା। ଗୁରୁବାର ମେଲାଣି ନେବେ ମା’। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭସାଣି ପାଇଁ ରାଜଧାନୀର ୬ଟି ସ୍ଥାନରେ ଅସ୍ଥାୟୀ ବିସର୍ଜନ ସ୍ଥଳୀ କରାଯାଇଛି। ଭସାଣି ଉତ୍ସବ ପାଇଁ ୪୮ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ୧୦୦ ଅଫିସର ନିୟୋଜିତ ହେବେ। ଭସାଣି ଉତ୍ସବରେ ଡିଜେ ବାଜିବାକୁ ଅନୁମତି ଦିଆଯାଇନାହିଁ। ଡିଜେ ବାଜିଲେ ତାହା ଜବତ ହେବ ଏବଂ ଧର୍ତ୍ତବ୍ୟ ଅପରାଧ ମାମଲା ମଧ୍ୟ ରୁଜୁ ହେବ ବୋଲି ଡିସିପି ଶ୍ରବଣ ଏମ୍ ବିବେକ୍ କହିଛନ୍ତି।

Also Read :- ଆସୁଛି ବଡ଼ ବାତ୍ୟା : ନେବ 'ଭେରି ସିଭିୟର ସାଇକ୍ଲୋନ୍'ର ରୂପ, ପୁରୀ-ଗଞ୍ଜାମ ଭିତରେ ଲ୍ୟାଣ୍ଡଫଲ୍ !

ଗୁରୁବାର ଅପରାହ୍ନ ୨ଟାରୁ ଭସାଣି ଉତ୍ସବ ଆରମ୍ଭ ହେବ । ନୂଆପଲ୍ଲୀ ପୂଜା କମିଟି ସହ ୨୦ଟି ପୂଜା କମିଟିର ମେଢ଼ ସାମିଲ ହେବାକୁ ଥିବା ବେଳେ ସହିଦନଗର ସହ ୨୪ଟି ମେଢ଼ ଯୋଗଦେବେ। ନୂଆପଲ୍ଲୀର ଭସାଣି ଉତ୍ସବ ନୂଆପଲ୍ଲୀ ଛକରୁ ଆରମ୍ଭ ହେବ। ଆଗପଛ ହୋଇ ମେଢ଼ଗୁଡ଼ିକ ନୂଆପଲ୍ଲୀ,ସିଆରପି,ଡିଏଭି ଛକ ଡାହାଣ ମୋଡ଼ ନେଇ ଗୋପବନ୍ଧୁ ଛକ,ସିରିପୁର ଦେଇ ଏୟାରପୋର୍ଟ ଛକକୁ ଯିବେ। ଏହି ଶୋଭାଯାତ୍ରା ବେଳେ ସିଆରପି ଛକ ପାର୍ଶ୍ବରୁ ଜୟଦେବ ବିହାର ଆଡ଼କୁ ଯିବାକୁ ଚାହୁଁଥିବା ଯାନବାହନଗୁଡ଼ିକ ସିଆରପି ଛକଠାରୁ ଏକାମ୍ର ପାର୍କ ରାସ୍ତା ଦେଇଯିବେ।

ସହିଦନଗର ଭସାଣି କମିଟିର ସମସ୍ତ ମେଢ଼ ସହିଦନଗରରରୁ ବାହାରି ରାମମନ୍ଦିର,ମାଷ୍ଟରକ୍ୟାଣ୍ଟିନ ଦେଇ ରାଜମହଲ ଛକ ଯାଏ ଯିବେ। ଏହି ଶୋଭାଯାତ୍ରା ବେଳେ ଯାନାବାହନଗୁଡ଼ିକ ସଚିବାଳୟ ମାର୍ଗ ଓ ସଂଲଗ୍ନ ରାସ୍ତାରେ ଯାତାୟାତ କରିବେ।

ଉତ୍ତର ଭୁବନେଶ୍ବର ଦୁଇଟି ଭସାଣି କମିଟିର ସମସ୍ତ ମେଢ଼ କ୍ଲବ ଟାଉନ ଆପାର୍ଟମେଣ୍ଟ ପଡ଼ିଆ ଓ ଡମଣା ପଡ଼ିଆରେ ଏକାଠି ହୋଇ ନାଲକୋ ଛକ ହୋଇଯିବେ। ଶୋଭଯାତ୍ରା ବେଳେ ନନ୍ଦନକାନନ ଛକ ପଟୁ ଜୟଦେବ ବିହାର ଛକକୁ ଆସୁଥିବା ଯାନବାହନ ଗୁଡ଼ିକୁ କିଟ୍ କିମ୍ବା କଳାରାହାଙ୍ଗ ଛକରେ ଥିବା ସଂଲଗ୍ନ ରାସ୍ତା ଦେଇ ଯିବେ। ଏହି ସବୁ କଟକଣା ଅପରାହ୍ଣ ୨ଟାରୁ ରାତି ୧ଟା ପର୍ଯ୍ୟନ୍ତ ଲାଗୁ ରହିବ।

ଅପରପକ୍ଷେ,ବିଏମସି ପକ୍ଷରୁ କୁଆଖାଇ ନଦୀ ନିକଟ ପଳାଶୁଣି,ହଂସପାଳ,ବାସୁଆଘାଇ,ଟଙ୍କପାଣି ରୋଡ୍,ଲିଙ୍ଗିପୁରସ୍ଥିତ ଦୟାନଦୀଠାରେ ଅସ୍ଥାୟୀ ପୁଷ୍କରିଣୀ ହୋଇଛି। ସେହିପରି ସେଞ୍ଚୁରିଆନ,ଚନ୍ଦକା,କୁଶଭଦ୍ରା ନଦୀରେ ପ୍ରତିମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ବ୍ୟବସ୍ଥା କରାଯାଇଛି। ସମସ୍ତ ପୁଷ୍କରିଣୀ ନିକଟରେ ଜେସିବି,ଟ୍ରାକ୍ଟର,ସହଯୋଗୀ ଟିମ୍ ରହିଛନ୍ତି । ଏହି ସବୁ ଅସ୍ଥାୟୀ ପୁଷ୍କରିଣୀକୁ ସ୍ବତନ୍ତ୍ର ରାସ୍ତା କରାଯାଇଛି ।