ନୂଆଦିଲ୍ଲୀ, ୦୫/୦୬ : ଦିଲ୍ଲୀରେ ହାଇ ପ୍ରୋଫାଇଲ୍ ମର୍ଡର୍ । ଘରୁ ମିଳିଲା ସହାୟକ ଅଧ୍ୟାପିକାଙ୍କ ମୃତଦେହ । ପୂର୍ବ ଦିଲ୍ଲୀସ୍ଥିତ ଅଶୋକ ନଗର ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏଠାରେ ଥିବା ସତ୍ୟମ ଏନକ୍ଲେଭରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଜଣେ ୪୨ ବର୍ଷୀୟା ଅଧ୍ୟାପିକାଙ୍କୁ କେହି ହତ୍ୟା କରିଛନ୍ତି ।

ମୃତ ଅଧ୍ୟାପିକା ହେଲେ ଡକ୍ଟର ଦେବସ୍ମିତା ପାଲ୍ । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ତାଙ୍କ ମୁଣ୍ଡକୁ କୌଣସି ଓଜନିଆ ଜିନିଷରେ ଆକ୍ରମଣ କରାଯାଇଛି । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି । ସେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିଲେ । ସ୍ୱାମୀ ବେଙ୍ଗାଲୁରୁରେ ରହୁଥିବା ବେଳେ ଦେବସ୍ମିତା ଦିଲ୍ଲୀରେ ରହୁଥିଲେ । ଏଠାରେ ସେ ଶିବାଜୀ କଲେଜରେ ପାଠ ପଢାଉଥିଲେ । ସେ ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର ଥିଲେ ।

ପୋଲିସର କହିବାନୁସାରେ, ମୁଣ୍ଡରେ ଶକ୍ତ ଆଘାତର ଚିହ୍ନ ରହିଛି । ଘରେ ଟଙ୍କା ଏବଂ ସୁନା ଗହଣାରେ କେହି ହାତ ମାରି ନାହାଁନ୍ତି । ତେଣୁ ଲୁଟ୍ ପାଇଁ ଏହି ହତ୍ୟାକାଣ୍ଡ ହୋଇ ନାହିଁ । ଆଖପାଖରେ ଲାଗିଥିବା ସିସିଟିଭିର ଯାଞ୍ଚ୍ କରାଯାଉଛି । ଏବେସୁଦ୍ଧା କାହାରିକୁ ଅଟକ ରଖାଯାଇ ନାହିଁ ।

ତେବେ ଦେବସ୍ମିତାଙ୍କ ହତ୍ୟା ଖବର ଶୁଣିବା ପରେ ଆପ୍ ବିଧାୟକ କୁଲଦୀପ କୁମାର ଘଟଣାସ୍ଥଳରେ ପହଁଚିଥିଲେ । ସେ କହିଛନ୍ତି ଯେ, ଆଜି ମଧ୍ୟ ବଡ ବଡ ଆପାର୍ଟମେଣ୍ଟରେ ହତ୍ୟାକାଣ୍ଡ ହେଉଛି । ଅପରାଧି କାହାକୁ ଖାତିର କରୁ ନାହାଁନ୍ତି । ପୋଲିସ କିମ୍ବା ସରକାରଙ୍କୁ ସେମାନେ ଭୟ କରୁ ନଥିବା କୂଲଦୀପ କହିଛନ୍ତି ।

Also Read :- ଆଗକୁ ଆସୁଛି ଭୟଙ୍କର ସ୍ଥିତି, ୨୬% ବଢ଼ିଗଲାଣି ଚାଉଳ ଦର, ଯୁଦ୍ଧ ଶୀଘ୍ର ଶେଷ ନହେଲେ ହାହାକାର ସ୍ଥିତି

ସୂଚନାଯୋଗ୍ୟ, ଦେବସ୍ମିତା ୨୦୧୬ରେ ଜାମିଆ ମିଲିଆରୁ ପିଏଚଡି କରିଥିଲେ । ଏହାପୂର୍ବରୁ ସେ ଏଠାରେ ଏମ୍ ଫିଲ୍ ମଧ୍ୟ ସମାପ୍ତ କରିଥିଲେ । ନିଜର ପିଜି ପାଠ୍ୟକ୍ରମ ସେ ବରଖାତୁଲ୍ଲା ବିଶ୍ୱବିଦ୍ୟାଳୟରୁ ସମାପ୍ତ କରିଥିଲେ ।