ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ୨୦୨୫-୨୬ ବାର୍ଷିକ ରିପୋର୍ଟରେ ଦେଶର ପ୍ରତିରକ୍ଷା କ୍ଷମତାକୁ ନେଇ ଗର୍ବିତ କରିବା ଭଳି କଥା ସାମ୍ନାକୁ ଆସିଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଉଚ୍ଚ ଫ୍ରିକ୍ୱେନ୍ସୀ ସମ୍ପନ୍ନ ପ୍ରତିରକ୍ଷା ପ୍ରଣାଳୀ ଲାଗି ଉନ୍ନତ ସ୍ୱଦେଶୀ ଟେକ୍ନୋଲଜିର ସଫଳତା ପୂର୍ବକ ପ୍ରଦର୍ଶନ ଓ କାର୍ଯ୍ୟକାରୀ କରିଛି। ଏହି ଟେକ୍ନୋଲଜିରେ ଆଗାମୀ ପିଢୀର ରାଡାର, ଇଲେକ୍ଟ୍ରୋନିକ୍ ୱାରଫେୟାର ସିଷ୍ଟମ, ଅତ୍ୟାଧୁନିକ ସଞ୍ଚାର, ଗୁଇନ୍ଦା ମନିଟରିଂ ଓ ମାନବ ରହିତ ପ୍ରଣାଳୀ ଆଦି ରହିଛି।

ଏହି ଟେକ୍ନୋଲଜି ସଫଳତାର ମୁଖ୍ୟ ଆଧାର ଗ୍ୟାଲିୟମ ନାଇଟ୍ରାଇଡ ସେମିକଣ୍ଡକ୍ଟର। ଡିଆରଡିଓର ସଲିଡଷ୍ଟେଟ ଫିଜିକ୍ସ ଲାବରେଟରୀ ୪ ଇଞ୍ଚ ବ୍ୟାସର ସିଲିକନ କାର୍ବାଇଡ ୱେଫର୍ସକୁ ବିକଶିତ କରିବାର ସ୍ୱଦେଶୀ ପ୍ରକ୍ରିୟାକୁ ସଫଳ କରିଛି। ଏହି ସଫଳତା ଅନୁସାରେ ମାତ୍ର ୩.୫x୩ ମିଲିମିଟର ଆକାରର ଏକ ଏକାକୀ ସ୍ୱଦେଶୀ ଗ୍ୟାଲିୟମ ନାଇଟ୍ରେଟ୍ ଚିପ୍ ୩୦ ୱାଟ ପର୍ଯ୍ୟନ୍ତ ଶକ୍ତି ପ୍ରଦାନ କରିବା ସହ ସିଲିକନରୁ ୩୦୦ ଗୁଣା ଅଧିକ ଗତିରେ କାମ କରିବାକୁ ସକ୍ଷମ। ଏକ୍ସ-ବ୍ରାଣ୍ଡ ଫ୍ରିକ୍ୱେନ୍ସୀ ଲାଗି ଗ୍ୟାଲିୟମ ନାଇଟ୍ରାଇଡ ମୋନୋଲିଥିକ ମାଇକ୍ରୋୱେଭ ଇଣ୍ଟିଗ୍ରେଟେଡ ସର୍କିଟ ଟେକ୍ନୋଲଜିର ସଫଳ ପ୍ରଦର୍ଶନ ଓ କାର୍ଯ୍ୟକାରୀ ହୋଇଛି।

ଏହାଛଡା ହାଇଦ୍ରାବାଦସ୍ଥିତ ଗାଏଟେକ୍ ରେ ଗ୍ୟାଲିୟମ ନାଇଟ୍ରାଇଡ-ଅନ-ସିଲିକନ କାର୍ବାଇଡ ଆଧାରିତ ମନୋଲିଥିକ ମାଇକ୍ରୋୱେଭ ଇଣ୍ଟିଗ୍ରେଟେଡ ସର୍କିଟର ସୀମିତ ଉତ୍ପାଦନ ସୁବିଧା ମଧ୍ୟ ସ୍ଥାପିତ ହୋଇଛି। ଏହା ଅନ୍ତରୀକ୍ଷ, ଏରୋସ୍ପେସ୍, ୫-ଜି ଓ ଉପଗ୍ରହ ସଞ୍ଚାର ଭଳି କ୍ଷେତ୍ରରେ ଦେଶର ଆତ୍ମ ନିର୍ଭରତାକୁ ଦୃଢ କରିଛି। ଅତୀତରେ ଗ୍ୟାଲିୟମ ନାଇଟ୍ରାଇଡ୍ ଭଳି ସମ୍ବେଦନଶୀଳ, ଅତ୍ୟାଧୁନିକ ଓ ବୈଶ୍ୱିକ ସ୍ତରରେ ନିଷିଦ୍ଧ ଜ୍ଞାନକୌଶଳ ଲାଗି ଭାରତ ସମ୍ପୂର୍ଣ୍ଣ ଅନ୍ୟ ଦେଶଙ୍କ ଆମଦାନୀ ଉପରେ ନିର୍ଭର ଥିଲା। ଏହି ରଣନୈତିକ ଦୁର୍ବଳତାକୁ ଦୂର କରିବା ଲାଗି ‘ଇନୋଭେସନ ଫର ଡିଫେନ୍ସ ଏକ୍ସିଲେନ୍ସ’ କାର୍ଯ୍ୟକ୍ରମରେ ‘ଅଗ୍ନିଟ୍ ସେମିକଣ୍ଡକ୍ଟର୍ସ ପ୍ରାଇଭେଟ ଲିମିଟେଡ’ ସହିତ ଏକ ଐତିହାସିକ ରାଜିନାମା କରାଯାଇଥିଲା।

ଡିସେମ୍ବର ୨୦୨୩ରେ ସ୍ୱାକ୍ଷରିତ ଏହି ବୁଝାମଣାର ଉଦ୍ଦେଶ୍ୟ ଦେଶ ଭିତରେ ଉନ୍ନତ ଗ୍ୟାଲିୟମ ନାଇଟ୍ରାଇଡ ସେମିକଣ୍ଡକ୍ଟରର ଡିଜାଇନ, ବିକାଶ ଓ ମେନୁଫେକ୍ଚରିଂ କରିବାର ଥିଲା। ଏହି ବାଣିଜ୍ୟିକ ରୂପେ ବ୍ୟାବହାରିକ ଗ୍ୟାଲିୟମ ନାଇଟ୍ରାଇଡ ଓ ସିଲିକନ କାର୍ବାଇଡ ଆଧାରିତ ଟେକ୍ନୋଲଜି ବିକାଶକୁ ସେମିକଣ୍ଡକ୍ଟର ଆତ୍ମ ନିର୍ଭରତା ଦିଗରେ ଏକ ଐତିହାସିକ ମାଇଲ ଖୁଣ୍ଟ ବୋଲି କହିଛି। ଏହି ସ୍ୱଦେଶୀ ଟେକ୍ନୋଲଜି ନା କେବଳ ଭାରତର ଘରୋଇ ଡିଜାଇନ କ୍ଷମତାକୁ ମଜଭୁତ କରୁଛି ବରଂ ଭବିଷ୍ୟତର ଯୁଦ୍ଧ ପାଇଁ ରକ୍ଷା ଉପକରଣର ଆକାର ଏବଂ ଓଜନ କମ କରି ସେ ଗୁଡିକର କାର୍ଯ୍ୟକ୍ଷମତାକୁ ମଧ୍ୟ ବଢାଉଛି। ଆଗାମୀ ସମୟରେ ଏହି ଉପଲବ୍ଧି ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ରପ୍ତାନୀକାରୀ ଭାବେ ସ୍ଥାପିତ କରିବାରେ ଅପାର ସମ୍ଭାବନା ମଧ୍ୟ ପ୍ରଦାନ କରୁଛି।