ଚେନ୍ନାଇ: ନିର୍ବାଚନ କମିଶନ ତାମିଲନାଡୁରେ SIR ପରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଏସଆଇଆର ସମୟରେ ରାଜ୍ୟର ୯୭ ଲକ୍ଷରୁ ଅଧିକ ଭୋଟରଙ୍କ ନାମ ବାଦ ଦିଆଯାଇଛି । ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ କହିଛନ୍ତି, ‘ଡ୍ରାଫ୍ଟ ଭୋଟର ତାଲିକାରେ ୫ କୋଟି ୪୩ ଲକ୍ଷ ୭୬ ହଜାର ୭୫୫ ଭୋଟର ଅଛନ୍ତି । ଏଥିରେ ୨.୬୬ କୋଟି ମହିଳା ଏବଂ ୨.୭୭ କୋଟି ପୁରୁଷ ସାମିଲ।’

ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ, SIR ପୂର୍ବରୁ ରାଜ୍ୟରେ ପ୍ରାୟ ୬ କୋଟି ୪୧ ଲକ୍ଷ ଭୋଟର ପଞ୍ଜୀକୃତ ହୋଇଥିଲେ । ଏହି ପ୍ରକ୍ରିୟା ପରେ, ୯୭ ଲକ୍ଷ ୩୭ ହଜାର ୮୩୨ ମତଦାତାଙ୍କ ନାମ ହଟାଇ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୨୬.୯୪ ଲକ୍ଷ ଭୋଟରଙ୍କ ମୃତ୍ୟୁ ହୋଇସାରିଛି । ଏହା ସହିତ, ୬୬.୪୪ ଲକ୍ଷ ଲୋକ ତାମିଲନାଡୁ ଛାଡି ଅନ୍ୟତ୍ର ଚାଲିଯାଇଛନ୍ତି ଏବଂ ୩, ୩୯,୨୭୮ ଜଣ ନକଲି ଭୋଟର ଥିଲେ ବୋଲି ଜଣାପଡ଼ିଛି ।

ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ତାମିଲନାଡୁରୁ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ସଂଖ୍ୟା ୬୬ ଲକ୍ଷ ୪୪ ହଜାର ୮୮୧ । ଘର ଘର ବୁଲି ଯାଞ୍ଚ ପରେ ମଧ୍ୟ ସେମାନେ ପଞ୍ଜିକୃତ ଠିକଣାରେ ମିଳିନଥିଲେ।

୨୦୨୬ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ତାମିଲନାଡୁରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଶାସକ DMK "ମୋ ବୁଥ୍, ବିଜୟୀ ବୁଥ୍" ଅଭିଯାନ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬୮,୪୬୩ ମତଦାନ କେନ୍ଦ୍ରରେ ବୁଥ୍ କମିଟିଗୁଡ଼ିକୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୬୮,୪୬୩ ମତଦାନ କେନ୍ଦ୍ରରେ ନିୟୋଜିତ ପ୍ରାୟ ୬.୮ ଲକ୍ଷ ବୁଥ୍ କମିଟି ସଦସ୍ୟଙ୍କୁ ସକ୍ରିୟ କରିବା ଏବଂ ବୁଥ୍-ସ୍ତରୀୟ ଶକ୍ତି ସୁନିଶ୍ଚିତ କରିବା ଏହି ଅଭିଯାନର ଲକ୍ଷ୍ୟ ଥିଲା ।