ନୂଆଦିଲ୍ଲୀ ୧୦।୦୪: ଷ୍ଟକ୍ ମାର୍କେଟରେ ନିବେଶ କଲେ, ମାତ୍ର ୧୧ ଦିନରେ ଟଙ୍କା ଦୁଇଗୁଣ ହୋଇଯିବ । ସାଇବର ଠକଙ୍କର ଏହି ପ୍ରତିଶ୍ରୁତି ଯୋଗୁ ପୁନେର ୭୫ ବର୍ଷୀୟ ଜଣେ ଡାକ୍ତର ୧୨.୩୧ କୋଟି ଟଙ୍କା ହରାଇଛନ୍ତି । ସାଇବର ଠକ ବୃଦ୍ଧଙ୍କୁ ଆଶ୍ୱସ୍ତ କରିଥିଲେ, ସେମାନଙ୍କ ମାଧ୍ୟମରେ ନିବେଶ କଲେ ୧୧ ଦିନରେ ୫୪ କୋଟି ଟଙ୍କା ଫେରସ୍ତ ମିଳିବ। ତୁରନ୍ତ ଓ ଖୁବ୍ ଅଧିକ ଲାଭର ପ୍ରତିଶ୍ରୁତି ଉପରେ ଭରସା କରି ବୃଦ୍ଧ ଅନେକ ସପ୍ତାହ ଧରି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଚାଲିଲେ ।

ଚଳିତ ବର୍ଷ ଜାନୁଆରୀରେ ଠକେଇ ଆରମ୍ଭ ହୋଇଥିଲା । ପୀଡ଼ିତ ବୃଦ୍ଧ ଏକ ଅଜଣା ଫୋନ୍ ନମ୍ବରରୁ ଏକ ମେସେଜ୍ ପାଇଥିଲେ, ଯେଉଁଥିରେ ଷ୍ଟକ୍ ମାର୍କେଟ୍ରେ ନିବେଶ ମାଧ୍ୟମରେ ଆଶାତୀତ ରିଟର୍ନ ଅଫର୍ ଦିଆଯାଇଥିଲା । ଏଥିରେ ରୁଚି ଦେଖାଇବା ପରେ ସାଇବର ଠକ ତାଙ୍କୁ ‘ଭିଆଇପି ଷ୍ଟକ୍ ୨୪’ ନାମକ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ରେ ସାମିଲ କଲେ। ଏହା ମାଧ୍ୟମରେ ସେମାନେ ଲୋଭନୀୟ ଓ ଲାଭଯୋଗ୍ୟ ନିବେଶ ଯୋଜନା ଶେୟାର କଲେ । ବୃଦ୍ଧଙ୍କୁ ବାରମ୍ବାର କୁହାଗଲା, ସେ ଯଦି ସେମାନଙ୍କ ନିର୍ଦ୍ଦେଶ ପାଳନ କରନ୍ତି ତେବେ ତାଙ୍କ ଟଙ୍କା ମାତ୍ର ୧୧ ଦିନରେ ବହୁଗୁଣିତ ହୋଇଯିବ। ବୃଦ୍ଧ ରୁଚି ଦେଖାଇବା ପରେ ତାଙ୍କୁ ଏକ ବ୍ୟବସାୟ ଆବେଦନ ପତ୍ର ଦିଆଗଲା, ଯାହା ଏକ ପ୍ରସିଦ୍ଧ ଅନ୍ତର୍ଜାତୀୟ କମ୍ପାନିର ନାଁ ଭଳି ଥିଲା। ସେଥିରେ ତାଙ୍କର ବ୍ୟକ୍ତିଗତ ଓ ଆର୍ଥିକ ବିବରଣୀ ଶେୟାର କରିବାକୁ କୁହାଗଲା । ତା’ପରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ନିର୍ଦ୍ଦେଶ ମିଳିଲା । ସେ ପଠାଉଥିବା ଟଙ୍କା ନକଲି ଆପ୍ରେ ନିବେଶ ରୂପେ ପ୍ରଦର୍ଶିତ ହେଉଥିଲା । ମନଗଢ଼ା ଲାଭ ମଧ୍ୟ ଦେଖାଉଥିଲା, ଯାହା ଯୋଜନାକୁ ଠିକ୍ ବୋଲି ଦର୍ଶାଉଥିଲା ।

ଗତ ମାର୍ଚ୍ଚ ୭-୮ ତାରିଖ ମଧ୍ୟରେ ବୃଦ୍ଧ ୮ ଥରରେ ଠକ ପଠାଇଥିବା ୮ ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ମୋଟ୍ ୧୨.୩୧ କୋଟି ଟଙ୍କା ପଠାଇଥିଲେ । ଅଧିକ ଟଙ୍କା ନିବେଶ କରିବାକୁ ସେ ଯେତେବେଳେ ମନାକଲେ, ଅଭିଯୁକ୍ତ ତାଙ୍କ ସମ୍ପତ୍ତି ଜବତ କରିବାକୁ ଧମକ ଦେଲେ । ତେଣୁ ସେ ବାଧ୍ୟହୋଇ ଟଙ୍କା ପଠାଇବା ଜାରି ରଖିଲେ । ପ୍ରାୟ ୩ ମାସର ଅବଧିରେ ପ୍ରତିଶ୍ରୁତି ଅନୁସାରେ ଫେରସ୍ତ ଆଶା ରଖି ବୃଦ୍ଧ ଟଙ୍କା ପଠାଇବା ଜାରି ରଖିଲେ । କିନ୍ତୁ ଟଙ୍କାଟିଏ ବି ଫେରିଲା ନାହିଁ । ଏହା ବଦଳରେ ଠକ ତାଙ୍କୁ ଅଧିକ ଟଙ୍କା ପଠାଇବାକୁ ଧମକ ଦେଲେ ।

Also Read-ଛତିଶଗଡରେ ଭୟଙ୍କର ଦୁର୍ଘଟଣା; ୨ଟି କାର୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୬ ଜୀବନ, ୩ ଜଣ ଗୁରୁତର