ନୂଆଦିଲ୍ଲୀ: ନିକଟରେ ବ୍ରିଟିଶ ସମ୍ବାଦପତ୍ର ‘ଦି ଇକୋନମିଷ୍ଟ’ର ଏକ ରିପୋର୍ଟ ପାକିସ୍ତାନର ଗୁମର ଖୋଲିଦେଇଛି। ଏହା ଏତେ ବଡ଼ କଥା ଯେ ରିପୋର୍ଟ ସାମ୍ନାକୁ ଆସିବା ପରେ ପାକିସ୍ତାନରେ ଚାଞ୍ଚଲ୍ୟ ଖେଳି ଯାଇଛି। ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ପାକିସ୍ତାନ ମାନଚିତ୍ର ବଦଳାଇବାକୁ ଯୋଜନା କରିଛନ୍ତି। ଏଥିରେ ସେ ଦେଶର ୪ଟି ମୁଖ୍ୟ ପ୍ରଦେଶକୁ ଭାଙ୍ଗି ଛୋଟ ଛୋଟ ରାଜ୍ୟରେ ଭାଗଭାଗ କରିବାକୁ ଯୋଜନା କରୁଛନ୍ତି।

୧୯୪୭ ମସିହାରେ ପାକିସ୍ତାନର ଜନ୍ମ ପରେ ଦେଶ ୪ଟି ପ୍ରମୁଖ ପ୍ରଦେଶ ପଞ୍ଜାବ, ସିନ୍ଧ, ଖୈବରପୁକ୍ତନଖ୍ୱା ଓ ବଲୁଚିସ୍ତାନ ଭାବେ ଥିଲା। ଏଥିରେ ସବୁଠୁ ବଡ ପ୍ରଦେଶ ପଞ୍ଜାବ ଓ ଏହାର ଜନସଂଖ୍ୟା ପାଖାପାଖି ୧୨.୮ କୋଟି। ଏହା ପାକିସ୍ତାନର ଅଧା ଜନସଂଖ୍ୟା ସହ ସମାନ। ଏଥିରେ ସବୁଠୁ ଛୋଟ ପ୍ରଦେଶ ଭାବେ ବଲୁଚିସ୍ତାନ ଥିଲା। ଏଣୁ ମୁନିରଙ୍କ ତର୍କ ହେଉଛି ପ୍ରଶାସନ ଚଳାଇବାକୁ ଏହି ସବୁ ପ୍ରଦେଶ ବେଶ୍ ବଡ଼ ଓ ଏଥି ପାଇଁ ଆଜି ଦେଶ ଦେବାଳିଆ ଅବସ୍ଥାରେ। ଏଣୁ ସୁଶାସନ ଲାଗି ଏହି ବଡ଼ ପ୍ରଦେଶ ଗୁଡିକୁ ଭାଙ୍ଗିବା ଜରୁରି। ତେବେ ମୁନିରଙ୍କ ଏହି କଥାରେ ବିଶେଷଜ୍ଞ ସହମତ ହେଉ ନାହାନ୍ତି।

ବିଶେଷଜ୍ଞଙ୍କ କହିବା କଥା ହେଉଛି ଏହାର ଅସଲ ଉଦ୍ଦେଶ୍ୟ ଦେଶର ବିକାଶ ନୁହେଁ ବରଂ ନିଜର କ୍ଷମତାକୁ ଆହୁରି ମଜଭୁତ କରିବା। ଏହି ଯୋଜନାକୁ ଯଦି ସରକାର ସ୍ୱୀକୃତି ଦିଅନ୍ତି ତେବେ ଏହି ସବୁ ରାଜ୍ୟଙ୍କ କ୍ଷମତା ନିର୍ବାଚିତ ନେତାଙ୍କ ହାତରେ ରହିବ ନଚେତ୍ ସେନାର ମନୋନୀତ ଲୋକଙ୍କ ହାତରେ ରହିବ। ତେବେ ଯୋଜନା ସାମ୍ନାକୁ ଆସିବା ପରେ ଗୋଟେ କଥା ସ୍ପଷ୍ଟ ହୋଇଯାଇଛି ଯେ ପଞ୍ଜାବ ଓ ସିନ୍ଧ ପ୍ରାନ୍ତକୁ ଭାଗଭାଗ କରିବା ମୁନିରଙ୍କ ଅସଲ ଉଦ୍ଦେଶ୍ୟ। ଏହାର କାରଣ ହେଉଛି ପଞ୍ଜାବ ଓ ସିନ୍ଧ ଏପରି ଦୁଇଟି ରାଜ୍ୟ ଯେଉଁଠି ଦୀର୍ଘ ସମୟରୁ ଦୁଇ ପୁରୁଣା ରାଜନୈତିକ ପାର୍ଟି ପିଏମଏଲ(ଏନ) ଓ ପିପିପିର ଦବଦବା ରହିଛି।

ଏହି ଦୁଇ ପ୍ରାନ୍ତ ମୁନିରଙ୍କ ଆଖିରେ ନାଚିବାର କାରଣ ହେଉଛି ଦେଶରେ ସେନାର ଏକଛତ୍ର ଶାସନ କାଳରେ ମଧ୍ୟ ଏହି ଅଞ୍ଚଳ ବିକଳ୍ପ କେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠିତ ରଖି ପାରୁଛନ୍ତି। ଏହି କାରଣରୁ ଅସୀମ ମୁନିରଙ୍କ ନଜର ଦେଶର ଏହି ଦୁଇ ବଡ଼ ଗଡ ଉପରେ ପଡିଛି। ଏହି ଦୁଇ ପ୍ରାନ୍ତକୁ ଭାଙ୍ଗି ଏହାର ଶକ୍ତିକୁ ସମାପ୍ତ କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ। ତେବେ ଏ କଥାରୁ ଏହା ସ୍ପଷ୍ଟ ହେଉଛି ଯେ ପାକିସ୍ତାନକୁ ଭାଗଭାଗ କରିବାର ଯୋଜନା ଜନତା ଅଥବା ଦେଶର ଭଲ ପାଇଁ ନୁହେଁ। ତେବେ ପୁରୁଣା ଔପନିବେଶିକ ନୀତିର ନୂଆ ରୂପ। ଯଦି ୪ ବଡ଼ ପ୍ରାନ୍ତକୁ ଭାଙ୍ଗି ଦିଆଯାଏ ଆଞ୍ଚଳିକ ଶକ୍ତି ଦୁର୍ବଳ ହୋଇଯିବ। ଏହା ଦ୍ୱାରା ରାଜନେତା ଓ ଦଳ ସେନା ଆଗରେ ସମ୍ପୂର୍ଣ୍ଣ ନଇଁବା ପାଇଁ ବାଧ୍ୟ ହେବେ।