ମୁମ୍ଵାଇ ୧୦।୧୦; ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକକୁ ନେଇ ଚର୍ଚ୍ଚା । ହୃଦ୍ଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଏହି ଖବର ପରେ ପୂରା ଇଣ୍ଡଷ୍ଟ୍ରି ଓ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ତେବେ ଏହାରି ଭିତରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଏକ ବିବାଦୀୟ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଥିଲା, ଯାହାକୁ ନେଇ AICWA ମଧ୍ୟ କ୍ଷୋଭ ପ୍ରକାଶ କରିଥିଲା। ଏହି ସମୟରେ ବଲିଉଡର ଜଣାଶୁଣା ଗାୟିକା ସୋନା ମହାପାତ୍ର ତନୁଶ୍ରୀଙ୍କ ସମର୍ଥନରେ ଆସି ଏକ ବଡ଼ ଏବଂ କଡ଼ା ପ୍ରତିକ୍ରିୟା ରଖିଛନ୍ତି।

ନାନା ପାଟେକରଙ୍କ ନିଧନ ଏବଂ ତନୁଶ୍ରୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୋନା ମହାପାତ୍ର ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ମୃତକଙ୍କୁ ସମ୍ମାନ ଦେବା ଏବଂ ଜୀବିତ ବ୍ୟକ୍ତିଙ୍କ ଭାବନାକୁ ସମ୍ମାନ କରିବା ଉଭୟ ଗୁରୁତ୍ୱପୂର୍ଣ୍ଣ। ଜଣେ ଅଭିନେତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ଗୋଟିଏ କଥା, କିନ୍ତୁ ନିଜ ମାନସିକ ଆଘାତ ବା ଟ୍ରମା ବିଷୟରେ କହୁଥିବା ଜଣେ ମହିଳାଙ୍କୁ ଚୁପ୍ ରହିବାକୁ କହିବା ସମ୍ପୂର୍ଣ୍ଣ ଭିନ୍ନ କଥା। ସୋନା ପ୍ରଶ୍ନ କରିଛନ୍ତି, ବୟସ୍କ ହେବା କ’ଣ ଏକ ବରଦାନ ଏବଂ ମୃତ୍ୟୁର ଅର୍ଥ କ’ଣ ଜଣେ ବ୍ୟକ୍ତି ସନ୍ଥ ପାଲଟିଯିବା ? କାହାର ମୃତ୍ୟୁ ହୋଇଗଲେ ମଧ୍ୟ ଅସହଜ ସତ୍ୟକୁ ଅଣଦେଖା କରାଯାଇପାରିବ ନାହିଁ । ସୋନା ମହାପାତ୍ର କହିଛନ୍ତି ଯେ, ଅପ୍ରିୟ କଥା କହୁଥିବା ବ୍ୟକ୍ତି ଭାବେ ପରିଚିତ ହେବାରେ ସେ ଯେପରି ପିଏଚ୍ଡି କରିଛନ୍ତି । କିନ୍ତୁ ଏହା ତାଙ୍କ ପସନ୍ଦ ନୁହେଁ। ଯେତେବେଳେ କିଛି ଭୁଲ୍ ହୁଏ, ସେତେବେଳେ ଚୁପ୍ ରହିବାକୁ ସେ ଶିଖିନାହାନ୍ତି ବୋଲି କହିଛନ୍ତି । 

ସେ ଆହୁରି କହିଛନ୍ତି ନାନା ପାଟେକର ଜଣେ ଭଲ କଳାକାର ଥିଲେ ଏବଂ ତାଙ୍କ ମୃତ୍ୟୁକୁ ନେଇ ଅନେକ ଲୋକ ଶୋକ ପ୍ରକାଶ କରୁଛନ୍ତି । ତେବେ ଏହି ସମୟରେ ତନୁଶ୍ରୀ ଦତ୍ତାଙ୍କୁ ଆକ୍ରମଣ କରାଯାଉଥିବା ଘଟଣା ତାଙ୍କୁ ସବୁଠାରୁ ଅଧିକ ବିଚଳିତ କରୁଛି ବୋଲି ସୋନା କହିଛନ୍ତି। ସେ କହିଛନ୍ତି ଯେ ତନୁଶ୍ରୀ ସେଟ୍ରେ ହୋଇଥିବା ଯୌନ ନିର୍ଯାତନା ବିଷୟରେ ମୁହଁ ଖୋଲିଥିଲେ, ଏକ ବଡ଼ ଲଢ଼ଇ ଲଢ଼ିଥିଲେ ଏବଂ ଅପମାନିତ ହୋଇଥିଲେ। ବର୍ତ୍ତମାନ ତାଙ୍କଠାରୁ ଏହା ଆଶା କରାଯାଉଛି ଯେ ସେ ନିଜର ସେହି ଯନ୍ତ୍ରଣାକୁ ଭୁଲିଯାଇ ଶୋକ ବ୍ୟକ୍ତ କରନ୍ତୁ।

କିଛି ମହିଳା କଣ୍ଟେଣ୍ଟ କ୍ରିଏଟର ଏବଂ ଇନଫ୍ଲୁଏନ୍ସରମାନେ ତନୁଶ୍ରୀଙ୍କୁ ଟାର୍ଗେଟ୍ କରିବାକୁ ନେଇ ସୋନା ଗଭୀର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଜଣେ ମହିଳାଙ୍କୁ ତଳକୁ ଖସାଇବା କ'ଣ ଆଜିକାଲି କଣ୍ଟେଣ୍ଟ ପାଲଟିଛି ? ଭାରତର #MeToo ଅଭିଯାନ ସମୟରେ ନିଜେ ଜଣେ କଳାକାର ଭାବରେ ସମ୍ମୁଖୀନ ହୋଇଥିବା ସମସ୍ୟାକୁ ମନେ ପକାଇ ସେ କହିଛନ୍ତି ଯେ ସତ କହିବାର କ୍ଷତି ଜଣେ ନାରୀକୁ କିପରି ଭୋଗିବାକୁ ପଡ଼େ, ତାହା ସେ ଭଲ ଭାବରେ ଜାଣନ୍ତି । ଶେଷରେ ସୋନା ମହାପାତ୍ର ସ୍ପଷ୍ଟ ଭାବରେ କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କ ମୃତ୍ୟୁ କେବେବି ଜଣକର ଅସହ୍ୟ ସତ୍ୟକୁ ଲୁଚାଇ ପାରିବନାହିଁ । ଆପଣ ଜଣଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିପାରିବେ, କିନ୍ତୁ କୌଣସି ମହିଳାଙ୍କୁ ଆପଣଙ୍କ ଇଚ୍ଛା ଅନୁସାରେ ନିଜର ଅତୀତକୁ ବଦଳାଇବାକୁ ବାଧ୍ୟ କରିପାରିବେ ନାହିଁ।