ନୂଆଦିଲ୍ଲୀ: ଉନ୍ନତ ଭବିଷ୍ୟତ, ଭଲ କ୍ୟାରିୟର ଏବଂ ଉଚ୍ଚଶିକ୍ଷାର ସପ୍ନ ନେଇ ପ୍ରତିବର୍ଷ ଲକ୍ଷ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ବିଦେଶ ଯାଉଛନ୍ତି । ପରିବାର ଲୋକେ ନିଜ ସାରା ଜୀବନର ସଞ୍ଚିତ ଅର୍ଥ କିମ୍ବା ଏଜୁକେସନ୍ ଲୋନ୍ କରି ପିଲାମାନଙ୍କୁ ପାଠ ପଢ଼ିବାକୁ ପଠାନ୍ତି । ଆଶା ରଖିଥାନ୍ତି ଯେ ଦିନେ ପିଲା ସଫଳ ହୋଇ ଫେରିବ । କିନ୍ତୁ ଏହି ରଙ୍ଗୀନ ସପ୍ନ ପଛରେ ଏକ ଅନ୍ଧାରୁଆ ସତ୍ୟ ମଧ୍ୟ ଲୁଚି ରହିଛି, ଯାହା ଉପରେ ଖୁବ୍ କମ୍ ଆଲୋଚନା ହୁଏ । ତାହା ହେଉଛି ବିଦେଶରେ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ନିକଟରେ ଫିନଲ୍ୟାଣ୍ଡରେ ଜଣେ ହାଇଦ୍ରାବାଦର ଛାତ୍ରଙ୍କ ମୃତ୍ୟୁ ପରେ ପୁଣିଥରେ ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି ।

ସରକାରୀ ତଥ୍ୟ ଅନୁଯାୟୀ, ଗତ ୫ ବର୍ଷ (୨୦୨୧ରୁ ୨୦୨୫) ମଧ୍ୟରେ ୪୯ଟି ଦେଶରେ ପାଠ ପଢ଼ୁଥିବା ୭୪୯ ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ରାଜ୍ୟସଭାରେ ଏହି ସୂଚନା ଦେଇଥିଲେ । ରିପୋର୍ଟ ଅନୁଯାୟୀ, ଏହି ମୃତ୍ୟୁ ପଛରେ କେବଳ କୌଣସି ଅପରାଧ ନାହିଁ, ବରଂ ଅନେକ କାରଣ ରହିଛି । ମାରାତ୍ମକ ରୋଗ, ସଡ଼କ ଦୁର୍ଘଟଣା ଏବଂ ଆତ୍ମହତ୍ୟା ଘଟଣା ଏଥିରେ ରହିଛି । ଏହି ସମୟ ମଧ୍ୟରେ ୨୭ ଜଣ ଭାରତୀୟ ଛାତ୍ର ହିଂସାତ୍ମକ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି । କେବଳ ୨୦୨୪ ମସିହାରେ ଆକ୍ରମଣ ଯୋଗୁଁ ସର୍ବାଧିକ ୧୬ ଜଣଙ୍କ ମୃତ୍ୟୁ ହୋଇଛି ।

ତଥ୍ୟ ଅନୁଯାୟୀ, କାନାଡା, ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ଭାରତୀୟ ଛାତ୍ରଙ୍କ ସଂଖ୍ୟା ସବୁଠାରୁ ଅଧିକ । ସେଥିପାଇଁ ସେହି ଦେଶଗୁଡ଼ିକରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ଦେଖିବାକୁ ମିଳୁଛି । ୨୦୧୮ରୁ ୨୦୨୩ ମଧ୍ୟରେ ହୋଇଥିବା ମୃତ୍ୟୁ ମଧ୍ୟରୁ ସର୍ବାଧିକ ୯୧ଟି ମାମଲା କାନାଡାରୁ ଆସିଛି । ବ୍ରିଟେନରେ ୪୮, ରୁଷରେ ୪୦, ଆମେରିକାରେ ୩୬ ଏବଂ ଅଷ୍ଟ୍ରେଲିଆରେ ୩୫ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି ।

ସଦ୍ୟ ଘଟଣା: ଫିନଲ୍ୟାଣ୍ଡରେ ଛାତ୍ରଙ୍କ ମୃତ୍ୟୁ

ନିକଟରେ ଫିନଲ୍ୟାଣ୍ଡର ହେଲସିଙ୍କି ସମୁଦ୍ର କୂଳରୁ ହାଇଦ୍ରାବାଦର ୧୮ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟରିଂ ଛାତ୍ର ମଣିଦୀପ ରେଡ୍ଡୀଙ୍କ ଶବ ଉଦ୍ଧାର କରାଯାଇଛି । ସେ ଗତ ମେ ୫ ତାରିଖରୁ ନିଖୋଜ ଥିଲେ । ପରିବାର ଲୋକେ ଏହାକୁ ଏକ ସନ୍ଦେହଜନକ ମୃତ୍ୟୁ ବୋଲି କହି ତଦନ୍ତ ଦାବି କରିବା ସହ ଶବକୁ ଭାରତ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡ଼ିଛନ୍ତି ।