ନୂଆଦିଲ୍ଲୀ: ପୋଲାଣ୍ଡ ସୀମା ଭିତରେ ଏକ କ୍ଷେପଣାସ୍ତ୍ର ଖସିପଡ଼ିବା ପରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଏହାକୁ ନେଇ ୟୁରୋପରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ (Donald Tusk) ପ୍ରାରମ୍ଭିକ ତଥ୍ୟ ଆଧାରରେ ପ୍ରକାଶ କରିଛନ୍ତି ଯେ, ସମସ୍ତ ସଙ୍କେତ ଏହି କ୍ଷେପଣାସ୍ତ୍ରଟି ରୁଷିଆ ପକ୍ଷରୁ ନିକ୍ଷେପ କରାଯାଇଥିବା ଆଡ଼କୁ ଇଙ୍ଗିତ କରୁଛି।

ୟୁକ୍ରେନ ସୀମାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ପୋଲାଣ୍ଡର ଲୁବ୍ଲିନ୍ ପ୍ରଦେଶସ୍ଥିତ ଟାର୍ନାୱା କୋଲୋନିଆ ଗ୍ରାମ ନିକଟସ୍ଥ ଏକ ଜନଶୂନ୍ୟ ଅଞ୍ଚଳରେ ଏହି କ୍ଷେପଣାସ୍ତ୍ରଟି ଖସିପଡ଼ିଥିଲା। କ୍ଷେପଣାସ୍ତ୍ରଟି ଜନଶୂନ୍ୟ ସ୍ଥାନରେ ପଡ଼ିଥିବାରୁ ପୋଲାଣ୍ଡରେ କୌଣସି ଧନଜୀବନ ହାନୀ ହୋଇନାହିଁ। ୟୁକ୍ରେନର ରାଜଧାନୀ କିଭ୍ (Kyiv) ଉପରେ ରୁଷିଆ ରାତିସାରା କରିଥିବା ବ୍ୟାପକ ଆକ୍ରମଣ ସମୟରେ ଏହି ଘଟଣା ଘଟିଛି, ଯେଉଁଥିରେ ୟୁକ୍ରେନର ୮ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।

ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ କହିଛନ୍ତି, ‘ସମସ୍ତ ସୂଚନାରୁ ଜଣାପଡ଼ୁଛି, ଏହା ରୁଷିଆର Kh-101 କ୍ଷେପଣାସ୍ତ୍ର, ମାତ୍ର ଏହାର ପ୍ରକାର ଏବଂ ଏହା କାହା ଦ୍ୱାରା ନିକ୍ଷେପ କରାଯାଇଥିଲା, ସେ ନେଇ ୧୦୦% ନିଶ୍ଚିତ ହେବାକୁ ଆମେ ତଦନ୍ତ ଜାରି ରଖିଛୁ।’ ଆକାଶମାର୍ଗର ସୁରକ୍ଷା ପାଇଁ ପୋଲାଣ୍ଡ ସ୍ଥାନୀୟ ସମୟ ଭୋର ୩:୪୦ରେ ନିଜର F-16 ଯୁଦ୍ଧବିମାନଗୁଡ଼ିକୁ ମୁତୟନ କରିଥିଲା।

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହା ସ୍ପଷ୍ଟ କରିଛନ୍ତି ଯେ, ରୁଷର Kh-101 କ୍ରୁଜ୍ କ୍ଷେପଣାସ୍ତ୍ର ୟୁକ୍ରେନ ଉପରେ ଆକ୍ରମଣ ବେଳେ ପୋଲାଣ୍ଡ ଭୂଖଣ୍ଡକୁ ପଶିଆସି ନାଟୋର ଆକାଶମାର୍ଗ ସୀମା ଉଲ୍ଲଂଘନ କରିଛି। ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଟସ୍କ ଘଟଣାସ୍ଥଳ ପରିଦର୍ଶନ କରିବା ପୂର୍ବରୁ ଅନ୍ୟ ୟୁରୋପୀୟ ଦେଶର ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତ ୟୁରୋପୀୟ ରାଷ୍ଟ୍ର ପୋଲାଣ୍ଡ ପ୍ରତି ପୂର୍ଣ୍ଣ ସମର୍ଥନ ଓ ସହାୟତାର ଆଶ୍ୱାସନା ଦେଇଛନ୍ତି।

୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପୋଲାଣ୍ଡ ସୀମା ଭିତରକୁ କେତେକ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ପଶିଯିବାର ଘଟଣା ଘଟିଛି। ନଭେମ୍ବର ୨୦୨୨ରେ ପୋଲାଣ୍ଡର ଦୁଇଜଣ କୃଷକଙ୍କର ଏକ କ୍ଷେପଣାସ୍ତ୍ର ମାଡ଼ରେ ମୃତ୍ୟୁ ଘଟିଥିଲା। ପ୍ରଥମେ ଏହାକୁ ରୁଷିଆର ବୋଲି ସନ୍ଦେହ କରାଯାଉଥିଲେ ବି ପରେ ଏହା ୟୁକ୍ରେନର ଏକ ଏୟାର ଡିଫେନ୍ସ କ୍ଷେପଣାସ୍ତ୍ର ବୋଲି ସ୍ପଷ୍ଟ ହୋଇଥିଲା। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ୱାଶିଂଟନ୍ ଗସ୍ତ ଏବଂ ରୁଷୀୟ ବନ୍ଦର ଓ ଇରାନୀୟ ସାମଗ୍ରୀ ପରିବହନ ଉପରେ ୟୁକ୍ରେନର ଆକ୍ରମଣ ପରେ ରୁଷିଆ ଏହି ବ୍ୟାପକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।