ନୂଆଦିଲ୍ଲୀ: ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ (Strait of Hormuz)କୁ ନେଇ ଇରାନ ସହ ଆମେରିକାର ଚୁକ୍ତି ମାମଲାରେ ଯଦି ଓମାନ ‘ବାଧା ସୃଷ୍ଟି କରେ’, ତେବେ ସେହି ଦେଶ ଉପରେ ବୋମା ମାଡ଼ କରାଯିବ ବୋଲି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି। ଏହା ସହିତ ସେ ଇରାନକୁ ଆତ୍ମସମର୍ପଣ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି।

ଫକ୍ସ ନ୍ୟୁଜର ସାମ୍ବାଦିକ ଟ୍ରେ ୟିଙ୍ଗଷ୍ଟଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, ‘ଯଦି ଓମାନ ଆମ ବାଟରେ ଆସେ, ତେବେ ଆମେ ତାକୁ  ବୋମା ପକାଇ ଛାରଖାର କରିଦେବୁ।’ ସୂଚନାଯୋଗ୍ୟ ଯେ, ସମୁଦ୍ରର ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ନିୟନ୍ତ୍ରଣକୁ ନେଇ ଓମାନ ଏବଂ ଇରାନ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ୱାଶିଂଟନ୍ ମଧ୍ୟ ନିଜ ସ୍ତରରେ ପୃଥକ୍ ଭାବରେ ଚୁକ୍ତି ପାଇଁ ଉଦ୍ୟମ ଜାରି ରଖିଛି।

ଜଳପଥରେ ନୌଚଳାଚଳ ସମ୍ପର୍କିତ ନିୟମାବଳୀ ନେଇ ଇରାନ ଓ ଓମାନର ଅଧିକାରୀମାନେ ଗତ କିଛି ସପ୍ତାହ ଧରି ଆଲୋଚନା କରୁଛନ୍ତି। ଦୁଇ ଦେଶ ଏକ ମିଳିତ ଘୋଷଣାନାମା ଉପରେ କାର୍ଯ୍ୟ କରୁଥିବା ନେଇ ଇରାନର ବୈଦେଶିକ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି। ତେବେ, ଟ୍ରମ୍ପ ବାରମ୍ବାର ଦାବି କରିଆସୁଛନ୍ତି ଯେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଏବେ ଆମେରିକାର ନିୟନ୍ତ୍ରଣରେ ଅଛି । ଗତ ଫେବୃଆରୀ ୨୮ ରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଇରାନ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ବନ୍ଦ କରିଦେଇଥିଲା। ଗତ ଶୁକ୍ରବାର ଟ୍ରମ୍ପ ଦାବି କରିଥିଲେ ଯେ, ସେ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ଆମେରିକାର ଅଂଶ ଭାବରେ ଘୋଷଣା କରିବେ । ଏହାର ଜବାବରେ ଇରାନ କହିଥିଲା ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ସଦାସର୍ବଦା ‘ଇରାନର ହୋଇ ରହିବ’।

ଆମେରିକା-ଇସ୍ରାଏଲ୍‌ର ଇରାନ ବିରୋଧୀ ଅଭିଯାନ ପୂର୍ବରୁ, ହର୍ମୁଜ୍ ଜଳପଥକୁ ଏକ ଖୋଲା, ଅନ୍ତର୍ଜାତୀୟ ଜଳପଥ ଭାବରେ ଗ୍ରହଣ କରାଯାଉଥିଲା, ଯାହା ମାଧ୍ୟମରେ ବିଶ୍ୱର ବିପୁଳ ପରିମାଣର ତୈଳ, ଗ୍ୟାସ୍ ଏବଂ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ ହୋଇଥାଏ। ଇରାନ ନିଜର ସାମରିକ ଶକ୍ତିକୁ ଧ୍ୱଂସ କରିବା ଏବଂ ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଆମେରିକାର ଚାପ ବିରୋଧରେ ଏହି ଜଳପଥକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ଉଲ୍ଲେଖଯୋଗ୍ୟ ଯେ, ଏହି ଜଳପଥର ଉତ୍ତର ପାର୍ଶ୍ୱରେ ଇରାନ ଏବଂ ଦକ୍ଷିଣ ପାର୍ଶ୍ୱରେ ଓମାନ ଅବସ୍ଥିତ ।

ସାମ୍ବାଦିକ ଟ୍ରେ ୟିଙ୍ଗଷ୍ଟ ନିଜର X (ପୂର୍ବରୁ ଟ୍ୱିଟର) ପୋଷ୍ଟରେ ଲେଖିଛନ୍ତି ଯେ, ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ କରିବାକୁ କହିଛନ୍ତି। ଆମେରିକାରେ ନଭେମ୍ବର ମିଡ୍‌ଟର୍ମ (ମଧ୍ୟବର୍ତ୍ତୀକାଳୀନ) ନିର୍ବାଚନ ପୂର୍ବରୁ ଏହି ଯୁଦ୍ଧକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଥିଲେ ସୁଦ୍ଧା, ଚୁକ୍ତି କରିବା ପାଇଁ ବ୍ୟଗ୍ର ନାହାନ୍ତି ବୋଲି ଟ୍ରମ୍ପ ପ୍ରକାଶ କରିଛନ୍ତି। ଟ୍ରମ୍ପ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ପ୍ରଶାସନ ଏବଂ ଇରାନର 'ରିଭୋଲ୍ୟୁସନାରୀ ଗାର୍ଡ' ଅଧିକାରୀଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ଚାଲିଛି। ସେମାନେ ଭଲ ଖେଳାଳି, କିନ୍ତୁ ସେମାନଙ୍କର ସ୍ଥିତି ଏବେ ଶୋଚନୀୟ ବୋଲି ଟ୍ରମ୍ପ କହିଛନ୍ତି।