• ଗୋୟଲ ମନ୍ତ୍ରୀମଣ୍ଡଳରୁ ବାହାରିବେ ଏହା କୌଣସି ଅଧିକାରୀକ ସଂକେତ ନୁହେଁ
  • ବିଜେପି ଗୋୟଲଙ୍କ ବିତ୍ତ, ନିର୍ବାଚନ ପରିଚାଳନା ଓ ସଙ୍ଗଠନ ଅଭିଜ୍ଞତାର ଏବେ ଲାଭ ନେବାକୁ ଚାହୁଁଛି
  • ନଡ୍ଡାଙ୍କ ଉଦାହରଣ ଦର୍ଶାଉଛି ବିଜେପି ବରିଷ୍ଠ ନେତାଙ୍କୁ ସରକାରୀ ଓ ସଙ୍ଗଠନାତ୍ମକ ଦାୟିତ୍ୱ ପାଇଁ ଅନୁମତି ଦେଇ ପାରେ

ନୂଆଦିଲ୍ଲୀ: ବିଜେପିର ପ୍ରତିକ୍ଷିତ ନୂଆ ଜାତୀୟ ସଙ୍ଗଠନାତ୍ମକ ଟିମ୍ ର ଘୋଷଣା ସୋମବାର ହୋଇଛି। ନୂଆ ଟିମ୍ ରେ ନିରନ୍ତରତା ଓ ପରିବର୍ତ୍ତନର ମିଶ୍ରଣ ରହିଛି। ଏଥିରେ ଅନେକ ବରିଷ୍ଠ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କାୟମ ରହିଛି ଓ ମୁଖ୍ୟ ନେତାମାନେ ପାର୍ଟିର କେନ୍ଦ୍ରୀୟ ଢାଞ୍ଚାକୁ ଫେରି ଆସିଛନ୍ତି। ହେଲେ ଏକ ନିଯୁକ୍ତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ତାହା ହେଉଛି କ୍ୟାବିନେଟ୍ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ବିଜେପି ଜାତୀୟ କୋଷାଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଗୋୟଲ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଅଛନ୍ତି।

ଏଥିରେ ଗୋୟଲଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସଙ୍ଗଠନାତ୍ମକ ପଦରେ ନିଯୁକ୍ତି ଆଗାମୀ ଦିନରେ ହେବାକୁ ଥିବା ମନ୍ତ୍ରୀମଣ୍ଡଳ ଅଦଳବଦଳରେ ତାଙ୍କୁ ବାହାରେ ରହିବାକୁ ପଡିପାରେ। ଏହାର କାରଣ ହେଉଛି ବିଜେପିର ‘ଜଣେ ବ୍ୟକ୍ତି ଏକ ପଦ’ ଅଲିଖିତ ସିଦ୍ଧାନ୍ତ, ଯାହାକୁ ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ପ୍ରମାଣିତ କରିଛନ୍ତି। ସାଧାରଣତଃ ଏହି ସିଦ୍ଧାନ୍ତ ସଙ୍ଗଠନାତ୍ମକ ଓ ସରକାରୀ ଦାୟିତ୍ୱକୁ ଅଲଗା କରିବାକୁ ସମର୍ଥନ କରୁଛି। ଏଥିରେ ନେତାଙ୍କଠାରୁ ଏହା ଅପେକ୍ଷା କରାଯାଉଛି ଯେ ହୁଏତ ସେ ପାର୍ଟି ଚଳାଇବା ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ନଚେତ ଜାତୀୟ ରାଜନୀତିରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରୁହନ୍ତୁ।

ଏଥିରେ ଗୋୟଲଙ୍କ ନିଯୁକ୍ତିରୁ ଏହି ପ୍ରଶ୍ନ ଉଠୁଛି ସରକାରରେ ଗୋୟଲଙ୍କ ଭୂମିକା ସମାପ୍ତ ହେବାକୁ ଯାଉଛି କି ନା ସଙ୍ଗଠନରେ ନୂଆ ଭୂମିକା ଆରମ୍ଭ ହେବାକୁ ଯାଉଛି? ତେବେ ପିୟୁଷ ଗୋୟଲଙ୍କ ନିଯୁକ୍ତି ନିତିନ ନବୀନଙ୍କ ପ୍ରଥମ ବଡ଼ ଜାତୀୟ ସଙ୍ଗଠାନାତ୍ମକ ଟିମ୍ ର ଅଂଶ ସ୍ୱରୂପ ହୋଇଛି। ସୋମବାର ଘୋଷିତ ନୂଆ ଟିମ୍ ରେ ଅନେକ ମୁଖ୍ୟ ନେତା ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସଙ୍ଗଠନକୁ ଫେରିଛନ୍ତି। ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ ମାଧବ ଜାତୀୟ ଉପାଧ୍ୟକ୍ଷ ଭାବେ ଫେରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବିଜେପି କେନ୍ଦ୍ରୀୟ ସଂରଚନାରେ ଜାତୀୟ ସାଧାରଣ ସମ୍ପାଦକ ରୂପେ ଫେରିଛନ୍ତି। ଅନ୍ୟ ଉପାଧ୍ୟକ୍ଷଙ୍କ ମଧ୍ୟରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାବତ, ଡି.ପୁରନ୍ଦେଶ୍ୱରୀ, ବର୍ଷାବେନ ନରେନ୍ଦ୍ର ଭାଇ ଦୋଷୀ, ଭାରତୀ ପ୍ରବୀଣ ପାୱାର, ମନସିଂହ ପ୍ରିତ ବାଦଲ, ଲାଲ ସିଂହ ଆର୍ଯ୍ୟ, ଏମ.ନାଗରାଜା ଓ ମଧୁଚନ୍ଦ୍ରକର ଆଦି ଅଛନ୍ତି।

ଅନ୍ୟପକ୍ଷରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ବୈଜୟନ୍ତ ପଣ୍ଡା, ରେଖା ବର୍ମା ଓ ତାରିକ ମନସୁର ପୂର୍ବ ପରି ଜାତୀୟ ଉପାଧ୍ୟକ୍ଷ ହୋଇ ରହିବେ। ବିନୋଦ ତାବଡେ ଓ ସୁନିଲ ବଂଶଲ ଜାତୀୟ ସାଧାରଣ ସମ୍ପାଦକ ଭାବେ ପୂର୍ବ ପରି କାମ କରିବେ। ବି.ଏଲ. ସନ୍ତୋଷ ଜାତୀୟ ସାଧାରଣ ସମ୍ପାଦକ (ସଙ୍ଗଠନ) ଭାବେ ପୂର୍ବ ଭଳି କାମ କରିବେ। ଅନିଲ ଏଣ୍ଟନୀ ମଧ୍ୟ ନିଜ ପୂର୍ବ ପଦବୀରେ ରହି କାର୍ଯ୍ୟ କରିବେ। ତେବେ ଅନିଲ ବଲୁନୀ ଜାତୀୟ ଗଣମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ୧୩ ଜଣ ଜାତୀୟ ଉପାଧ୍ୟକ୍ଷଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ତେବେ ୮ ଜାତୀୟ ସାଧାରଣ ସମ୍ପାଦକଙ୍କ ମଧ୍ୟରେ ଇରାନୀ କେବଳ ଜଣେ ମହିଳା ଅଛନ୍ତି।

ଏଥିରେ ପିୟୁଷ ଗୋୟଲ ସଙ୍ଗଠନ ଲାଗି ନୂଆ ନୁହନ୍ତି। ସେ ପୂର୍ବରୁ ମଧ୍ୟ ପାର୍ଟିର ଜାତୀୟ କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ସେ ସଙ୍ଗଠନ ଓ ରାଜନୈତିକ ତନ୍ତ୍ରରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ। ଏଣୁ ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସଙ୍ଗଠନ ଦାୟିତ୍ୱ ନ୍ୟସ୍ତ କରାଯିବା ସାଧାରଣ ନିଯୁକ୍ତିରୁ ଅଧିକ ହୋଇପାରେ। ଏକ ଅନୁମାନ କରାଯାଉଛି ଯେ ବିଜେପି ଗୋୟଲଙ୍କ ବିତ୍ତ, ନିର୍ବାଚନ ପରିଚାଳନା ଓ ସଙ୍ଗଠନ ଅଭିଜ୍ଞତାର ଏବେ ଲାଭ ନେବାକୁ ଚାହୁଁଛି। ଅନ୍ୟକଥାଟି ହେଉଛି ପାର୍ଟି ତାଙ୍କୁ ସରକାରୀ ଦାୟିତ୍ୱରୁ ମୁକ୍ତ କରିବାକୁ ଚାହୁଁଛି। ଏହା ଦ୍ୱାରା ମନ୍ତ୍ରୀମଣ୍ଡଳରେ ସମ୍ଭାବିତ ପରିବର୍ତ୍ତନର ରାସ୍ତା ଖୋଲିପାରେ।

ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ନେଇ ଦୀର୍ଘ ସମୟ ହେଲା ଅଟକଳ କରାଯାଉଛି। ସଂସଦର ମୌସୁମୀ ଅଧିବେଶନ ସମାପ୍ତ ହେବା ପୂର୍ବରୁ ଏହି ଆକଳନ ଚରମ ସୀମାକୁ ପହଞ୍ଚିଥିଲା। ଏଥିରେ ନିକଟରେ ହୋଇଥିବା ସଙ୍ଗଠନାତ୍ମକ ନିଯୁକ୍ତି ପରେ ଏହି ଚର୍ଚ୍ଚାକୁ ବଳ ମିଳିଛି। ଗୋୟଲ ମନ୍ତ୍ରୀମଣ୍ଡଳରୁ ବାହାରିବେ ଏହା କୌଣସି ଅଧିକାରୀକ ସଂକେତ ନୁହେଁ। କାରଣ ନଡ୍ଡାଙ୍କ ଉଦାହରଣ ଦର୍ଶାଉଛି ବିଜେପି ବରିଷ୍ଠ ନେତାଙ୍କୁ ସରକାରୀ ଓ ସଙ୍ଗଠନାତ୍ମକ ଦାୟିତ୍ୱ ପାଇଁ ଅନୁମତି ଦେଇ ପାରେ। ଏଥିରେ ଯଦି ନବୀନଙ୍କ ‘ଜଣେ ବ୍ୟକ୍ତି ଏକ ପଦ’ ପରମ୍ପରାର କଡ଼ାକଡି ବ୍ୟାଖ୍ୟା କରନ୍ତି ତେବେ ଗୋୟଲଙ୍କ ନୂଆ ନିଯୁକ୍ତିର ପ୍ରଭାବ ତାଙ୍କ ମନ୍ତ୍ରୀପଦ ଉପରେ ପଡିପାରେ।

ସେପଟେ କେନ୍ଦ୍ରମନ୍ତ୍ରୀ ଓ ସରକାରରେ ସହଯୋଗୀ ଆରପିଆଇ(ଏ) ମୁଖ୍ୟ ରାମଦାସ ଅଠାବଲେ ସୋମବାର କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଖୁବ୍ ଶୀଘ୍ର ଅଦଳବଦଳ ହୋଇପାରେ। ଯେଉଁଥିରେ ବିଜେପି ଓ ସହଯୋଗୀ ଏନସିପିର ନୂଆ ମୁହଁଙ୍କୁ ସରକାରରେ ସାମିଲ କରାଯିବାର ଆଶା କରାଯାଉଛି। ସାମାଜିକ ନ୍ୟାୟ ଓ ଅଧିକାରୀତା ରାଜ୍ୟ ମନ୍ତ୍ରୀ ଅଠାବଲେ କହିଛନ୍ତି ଯେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି(ଏସପି)କୁ ସରକାରର ଅଂଶ ହେବା ଆବଶ୍ୟକ। ଏଥି ପାଇଁ ସେ ନିଜର ଓ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍, ନୀତିଶ କୁମାର, ଶରଦ ଯାଦବ, ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଯେ ବିଚାରଗତ ମତପାର୍ଥକ୍ୟ ରହିପାରେ ହେଲେ ଏନସିପି (ଏସପି)କୁ ଏନଡିଏରେ ସାମିଲ ହୋଇଯିବା ଆବଶ୍ୟକ।