ଭୁବନେଶ୍ୱର ୦୧/୧୨: ଆମେରିକା ରାଜନୀତିରେ ପୁଣି ହଟଚମଟ । ପୂର୍ବତନ ରାଷ୍ଟ୍ରପତିଙ୍କ ଜୋ ବାଇଡେନଙ୍କ ପ୍ରତି ଆହୁରି କଠୋର ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଖାସ୍ କରି ବାଇଡେନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ । ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ ଯେଉଁ ଆମେରିକୀୟମାନେ ଦେଶକୁ ନଷ୍ଟ କରିଛନ୍ତି ଓ ନିର୍ବାଚନରେ ହୋଇଥିବା ଜାଲିଆତିକୁ ଆମେ କେବେବି ଭୁଲିଯିବା କଥା ନୁହେଁ । ଟ୍ରମ୍ପ ଲେଖିଛନ୍ତି, "ଆମକୁ ଯଥାଶୀଘ୍ର ଆମ ଦେଶରୁ ଖରାପ ଲୋକଙ୍କୁ ବାହାର କରିବାକୁ ପଡିବ । ବାଇଡେନ ପ୍ରଶାସନ ଆମେରିକା ସହିତ କ'ଣ କରିଛି ତାହା ଆମେ କେବେ ଭୁଲିବା ଉଚିତ୍ ନୁହେଁ।

ଆମେରିକାକୁ ପୁଣି ଥରେ ମହାନ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି । ଟ୍ରମ୍ପ ଦୀର୍ଘ ସମୟ ଧରି ୨୦୨୦ ନିର୍ବାଚନକୁ ଜାଲିଆତି ବୋଲି ଆକ୍ଷେପ କରିଛନ୍ତି । ଆମେରିକାର ଗୃହ ସୁରକ୍ଷା ଓ ସୀମା ନୀତି ପରିଚାଳନା ପାଇଁ ବାଇଡେନ ପ୍ରଶାସନକୁ ନିରନ୍ତର ସମାଲୋଚନା କରିଛନ୍ତି । ତାଙ୍କର ସଦ୍ୟତମ ବିବୃତ୍ତିକୁ ରାଜନୀତିରେ ବଡ଼ ଆକ୍ରମଣ ଭାବେ ଦେଖାଯାଉଛି । 

ଡୋନାଲ୍ଡ ଟ୍ରମ୍ପ ଗତ ଶୁକ୍ରବାର ଏକ ନୂତନ ବିବୃତ୍ତିରେ ଏକ ପ୍ରମୁଖ ଦାବି କରିଛନ୍ତି । ଦାବି କରିଛନ୍ତି ଯେ ଅଟୋପେନ ମେସିନ୍ ବ୍ୟବହାର କରି ଜୋ ବାଇଡେନଙ୍କ ଦ୍ୱାରା ସ୍ୱାକ୍ଷରିତ ସମସ୍ତ ସରକାରୀ ଦଲିଲକୁ ବର୍ତ୍ତମାନ ଅବୈଧ କରାଯାଇଛି । ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ବାଇଡେନଙ୍କ ପ୍ରାୟ ୯୨% ଆଦେଶ ମେସିନ୍ ବ୍ୟବହାର କରି ସ୍ୱାକ୍ଷରିତ କରାଯାଇଥିଲା । ଟ୍ରୁଥ୍ ସୋସିଆଲରେ ଲେଖି ଟ୍ରମ୍ପ କହିଛନ୍ତି, "ସ୍ଲିପି ଜୋ ବାଇଡେନଙ୍କ ଦ୍ୱାରା ଅଟୋପେନ ବ୍ୟବହାର କରି ସ୍ୱାକ୍ଷରିତ ସମସ୍ତ ଦଲିଲ ତୁରନ୍ତ ପ୍ରଭାବ ସହିତ ବନ୍ଦ କରାଯାଇଛି ।

ସେସବୁର କୌଣସି ଆଇନଗତ ପ୍ରଭାବ ରହିବ ନାହିଁ। ଅଟୋପେନ କେବଳ ସେତେବେଳେ ବୈଧ ଯଦି ରାଷ୍ଟ୍ରପତି ଏହାକୁ ବ୍ୟକ୍ତିଗତ ଭାବରେ ଅନୁମତି ଦିଅନ୍ତି। ଟ୍ରମ୍ପ ପ୍ରବାସନ ଉପରେ ଆଉ ଏକ କଠୋର ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ "ତୃତୀୟ ବିଶ୍ୱ" ଦେଶଗୁଡ଼ିକରୁ ପ୍ରବାସନକୁ ସ୍ଥାୟୀ ଭାବରେ ବନ୍ଦ କରାଯିବ । ଯାହା ଦ୍ୱାରା ବାଇଡେନ ପ୍ରଶାସନ ସମୟରେ ଆସିଥିବା ଲକ୍ଷ ଲକ୍ଷ ଅବୈଧ ପ୍ରବାସୀଙ୍କୁ ଦେଶାନ୍ତର କରାଯିବ। ତୃତୀୟ ବିଶ୍ୱ ଦେଶଗୁଡ଼ିକରୁ ପ୍ରବାସନ ଏବେ ସ୍ଥାୟୀ ଭାବରେ ବନ୍ଦ ବୋଲି ସେ ସ୍ପଷ୍ଟ କରିଛନ୍ତି ।