ମୁମ୍ବାଇ: ବଲିଉଡ୍‌ର ‘ଖିଲାଡ଼ି’ ଅକ୍ଷୟ କୁମାର ଏବଂ ଗ୍ଲାମରସ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପ୍ରେମ କାହାଣୀ ନବେ ଦଶକରେ ସବୁଠାରୁ ଅଧିକ ଚର୍ଚ୍ଚିତ ବିଷୟ ଥିଲା। ଗୋଟିଏ ସମୟରେ ଦୁହିଁଙ୍କ ବିବାହକୁ ନେଇ ଜୋରଦାର ଆଲୋଚନା ହେଉଥିଲା, ହେଲେ ହଠାତ୍ ଏହି ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ନିକଟରେ ଏକ ପୁରୁଣା ଭିଡିଓ ଭାଇରାଲ୍ ହେବା ପରେ ଏହି ଚର୍ଚ୍ଚିତ ବ୍ରେକଅପ୍ ଏବଂ ଟ୍ୱିଙ୍କଲ ଖାନ୍ନାଙ୍କ ସହ ଅକ୍ଷୟଙ୍କ ବିବାହକୁ ନେଇ ପୁଣି ଥରେ ବି ଚର୍ଚ୍ଚା ଜୋର ଧରିଛି।

'ମୋହରା' ସେଟ୍‌ରୁ ଆରମ୍ଭ ହୋଇଥିଲା ପ୍ରେମ

୧୯୯୪ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ 'ମୋହରା'ର ସୁଟିଂ ସମୟରେ ଅକ୍ଷୟ ଏବଂ ଶିଳ୍ପାଙ୍କ ମଧ୍ୟରେ ନିବିଡ଼ତା ବଢ଼ିଥିଲା। ଏହା ପରେ 'ମୈଁ ଖିଲାଡ଼ି ତୁ ଅନାଡ଼ି' ଭଳି ଫିଲ୍ମରେ ଦୁହିଁଙ୍କ ଅନ୍-ସ୍କ୍ରିନ୍ କେମିଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଦୀର୍ଘ ଦିନ ଧରି ଦୁହେଁ ପରସ୍ପରକୁ ଡେଟ୍ କରିବା ପରେ ବିବାହ କରିବା ପାଇଁ ମଧ୍ୟ ଯୋଜନା କରିଥିଲେ।

Also Read: ‘ହନୁମାନ ଅଂଶ’ ପାଇଁ ନିର୍ମାତା ନେଇନାହାନ୍ତ ଫି’; ୫ ମାସ ଖାଇଛନ୍ତି କେବଳ ଫଳ, ପ୍ରତିଦିନ ପଢୁଥିଲେ ହନୁମାନ ଚାଳିଶା

ପ୍ରେମରୁ ବ୍ରେକଅପ୍

ତେବେ ୨୦୦୦ ମସିହାରେ 'ଧଡ଼କନ୍' ଫିଲ୍ମର ସୁଟିଂ ସମାପ୍ତ ହେବା ବେଳକୁ ଦୁହିଁଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଶିଳ୍ପା ସେତେବେଳେ ପ୍ରକାଶ କରିଥିଲେ ଯେ ଅକ୍ଷୟ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ମଧ୍ୟ ଅନ୍ୟ ଜଣଙ୍କ ସହ ସମ୍ପର୍କ ରଖିଥିଲେ। ଅକ୍ଷୟ ଏକାସାଙ୍ଗରେ ଦୁଇଜଣଙ୍କୁ ଡେଟ୍ କରୁଥିବା ନେଇ ଶିଳ୍ପା ଗମ୍ଭୀର ଅଭିଯୋଗ ଆଣିବା ସହ ଏହି ସମ୍ପର୍କରୁ ଓହରି ଯାଇଥିଲେ।

ଟ୍ୱିଙ୍କଲ ଖାନ୍ନାଙ୍କ ସହ ବିବାହ

ଶିଳ୍ପାଙ୍କ ସହ ବ୍ରେକଅପ୍ ହେବାର କିଛି ଦିନ ପରେ ଅକ୍ଷୟ କୁମାର, ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ। ଅନ୍ୟପଟେ ଶିଳ୍ପା ଶେଟ୍ଟୀ ପରବର୍ତ୍ତୀ ସମୟରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ନିଜର ଜୀବନସାଥୀ ଭାବେ ବାଛିଥିଲେ। ସମୟ ସହିତ ଦୁହିଁଙ୍କ ମଧ୍ୟରେ ଥିବା ସମସ୍ତ ତିକ୍ତତା ଶେଷ ହୋଇସାରିଛି। ଆଜି ଦୁହେଁ ନିଜ ନିଜର ବୈବାହିକ ଜୀବନରେ ବେଶ୍ ଖୁସି ଅଛନ୍ତି ଏବଂ ବିଭିନ୍ନ ରିଆଲିଟି ଶୋ' କିମ୍ବା ଆୱାର୍ଡ ଫଙ୍କସନରେ ପରସ୍ପରକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଭେଟୁଥିବାର ନଜର ଆସନ୍ତି।