ନୂଆଦିଲ୍ଲୀ, ୧୭|୦୭: ଆମେରିକାରେ ଡାଟା ଚୋରି । କୋଟି କୋଟି ଭୋଟରଙ୍କ ତଥ୍ୟ ଚୋରି କରି ନେଇଛି ଚାଇନା । ଏମିତି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଦେଶବାସୀଙ୍କୁ ସେ ସମ୍ବୋଧନ କରି ଅର୍ଥବ୍ୟବସ୍ଥା, ସୀମା ସୁରକ୍ଷା, ସେନା, ଇରାନ ତଥା ବୈଦେଶିକ ନୀତି ପ୍ରସଙ୍ଗରେ ମତ ରଖିଛନ୍ତି । ଏହାସହ ତଥ୍ୟ ଚୋରି ନେଇ ସେ ଏଫବିଆଇ, ସିଆଇଏ ଭଳି ସଂସ୍ଥାର କିଛି ଅଧିକାରୀଙ୍କୁ ଦାୟୀ କରିଛନ୍ତି ।

ଟ୍ରମ୍ପ୍ କହିଛନ୍ତି ଯେ, ହୋମଲ୍ୟାଣ୍ଡ୍ ସିକ୍ୟୋରିଟି ବିଭାଗର ସମୀକ୍ଷାରେ ୨ ଲକ୍ଷ ୭୮ ହଜାର ଅଣ ଆମେରିକୀୟ ନାଗରିକ ନିର୍ବାଚନରେ ଭାଗ ନେଇଥିବା ଜଣା ପଡିଛି । କିଛି ଡେମୋକ୍ରାଟ୍ ଶାସିତ ରାଜ୍ୟ ନିଜ ଭୋଟର ରେକର୍ଡ ପ୍ରଦାନ କରି ନାହାଁନ୍ତି । ତେଣୁ ବାସ୍ତବରେ ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ । ବିଦେଶୀ ସରକାରଙ୍କ ପାଖରେ କୋଟି କୋଟି ଆମେରିକୀୟଙ୍କ ତଥ୍ୟ ରହିଛି । ଭୋଟିଂ ମେସିନ ଏବଂ ମତଦାନ ବ୍ୟବସ୍ଥା ହ୍ୟାଙ୍କିଂ କରାଯାଉଛି । ଚୀନ ସମେତ ଅନେକ ଦେଶ ଆମେରିକାର ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରୁଛନ୍ତି ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଭୋଟର ତାଲିକାରେ ଅଣ ନାଗରିକ ଏବଂ ମୃତକଙ୍କ ନାଁ ରହିଛି । ଏହାସତ୍ତ୍ୱେ ଅନେକ ଭୋଟରଙ୍କୁ ଡାକ ଯୋଗେ ଭୋଟ୍ ଦେବାକୁ ସୁଯୋଗ ମିଳୁଛି । ବିନା ଭୋଟର୍ ଆଇଡି ଏବଂ ନାଗରିକତା ପ୍ରମାଣରେ ସେ ଭୋଟ୍ ଦେଉଛନ୍ତି । କାଲିଫର୍ଣ୍ଣିଆରେ ଜୁନ ୨ରେ ମତଦାନ ହୋଇଥିଲା । ଯାହାର ଗଣନା ଜୁଲାଇ ୧୦ ଯାଏଁ ଚାଲିଥିଲା । ଏଥିରେ ଚଞ୍ଚକତା ହୋଇଛି । କିଛି ମିଡିଆ ଅନୁଷ୍ଠାନ ତାଙ୍କୁ ସମ୍ବୋଧନକୁ ପ୍ରସାରଣ କରୁ ନାହାଁନ୍ତି । କିଛି ମିଡିଆ ନିର୍ବାଚନୀ ଅନିୟମିତତାକୁ ଲୁଚାଇବାକୁ ପ୍ରୟାସ କରୁଛନ୍ତି ।

Also Read :-ମୌଲାନା ଜରଜିସ ଅନସାରୀଙ୍କ ବିବାଦୀୟ ମନ୍ତବ୍ୟ, କହିଲେ-ଶ୍ରୀକୃଷ୍ଣ ଜଣେ ମୁସଲମାନ, ସେ ୫ ଥର ପଢୁଥିଲେ ନମାଜ

ଆହୁରି ମଧ୍ୟ ସେ କହିଛନ୍ତି ଯେ, ନିର୍ବାଚନୀ ପ୍ରକ୍ରିୟାରେ ଜନତାଙ୍କ ଭରସା ଜିତିବାକୁ ହେବ । ସମସ୍ତ ନାଗରିକ ସୁରକ୍ଷିତ ଏବଂ ଅବାଧ ନିର୍ବାଚନ ବ୍ୟବସ୍ଥାର ହକଦାର ଅଟନ୍ତି । ସମସ୍ତ ମତଦାତା ଆମେରିକର ନାଗରିକ ବୋଲି ପ୍ରମାଣ ଦେବା ଦରକାର । ଡାକ ଯୋଗେ ଭୋଟ୍ ପାଇଁ ଯେଉଁ ବ୍ୟବସ୍ଥା ରହିଛି ତାହାକୁ ଅଧିକ ସ୍ୱଚ୍ଛ କରିବାକୁ ହେବ । ୨୦୨୦ ନିର୍ବାଚନ ବେଳେ ଚୀନ ୨୨ କୋଟି ମତଦାତାଙ୍କ ତଥ୍ୟ ହାସଲ କରିନେଇଥିଲା । ଏଥିପାଇଁ ବହୁ ଦିନରୁ ଷଡଯନ୍ତ୍ର ଚାଲିଥିଲା । ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ଏଥିରେ ସଂପୃକ୍ତି ରହିଛି । ଆମେରକୀୟମାନେ ୨୦୨୦ ନିର୍ବାଚନକୁ ସବୁଠୁ ସୁରକ୍ଷିତ ଭାବନ୍ତି । କିନ୍ତୁ ବାସ୍ତବରେ ଏହା ନୁହେଁ । ଚୀନ ଏହାକୁ ପ୍ରଭାବିତ କରୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।