ୱାସିଂଟନ: ମଧ୍ୟପ୍ରାଚ୍ୟରେ ଆମେରିକା ଓ ଇରାନ ମଧ୍ୟରେ ଜାରି ଯୁଦ୍ଧରେ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟ୍ରୁଥ ସୋସାଲରେ ‘ଷ୍ଟ୍ରେଟ୍ ଅଫ ହର୍ମୁଜ’ର ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖଯୋଗ୍ୟ ଯେ ଟ୍ରମ୍ପ ତାଙ୍କ ଟ୍ରୁଥ ସୋସାଲରେ ଷ୍ଟ୍ରେଟ ଅଫ ହର୍ମୁଜର ଏକ ମ୍ୟାପ୍ ସେୟାର କରିଛନ୍ତି, ଯାହା ଦେଖିବାକୁ ସାଧାରଣ ଲାଗୁଛି ହେଲେ ଏଥିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଟ୍ରମ୍ପ ଏହି ମାନଚିତ୍ରରେ ଷ୍ଟ୍ରେଟ୍ ଅଫ ହର୍ମୁଜ ନାମ ବଦଳାଇ ‘ଷ୍ଟ୍ରେଟ୍ ଅଫ ଟ୍ରମ୍ପ’ କରିଦେଇଛନ୍ତି।

ଇରାନକୁ ଧମକ
ଏହା ପୂର୍ବରୁ ଟ୍ରମ୍ପ ବୁଧବାର ଇରାନ ବିରୋଧରେ ଆମେରିକାର ନୌସେନା ନାକାବନ୍ଦୀକୁ ଏକ ଚମତ୍କାର ରଣନୀତି ବୋଲି କହିଥିଲେ। ସେ କହିଥିଲେ ଯେ ଏହି ରଣନୀତି ଆଗରେ ତେହେରାନକୁ ହାର ମାନିବାକୁ ହିଁ ପାଡିବ। ସେ କହିଛନ୍ତି ଯେ ଯେଉଁପର୍ଯ୍ୟନ୍ତ ଇରାନ ତାର ପରମାଣୁ ମହତ୍ୱକାଙକ୍ଷା ନଛାଡିବ ସେ ପର୍ଯ୍ୟନ୍ତ ତା ସହ କୌଣସି ପ୍ରକାରର ବୁଝାମଣା ହୋଇ ପାରିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ ଇରାନର ବନ୍ଦରକୁ ନାକାବନ୍ଦୀ କରି ଆମେରିକା ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି।

ନୌସେନାର ଶକ୍ତି ପ୍ରଦର୍ଶନ
ଟ୍ରମ୍ପ କହିଛନ୍ତି ଯେ ଏହି ନାକାବନ୍ଦୀ ଏହା ପ୍ରମାଣିତ କରୁଛି ଆମ ନୌସେନା କେତେ ଶକ୍ତିଶାଳୀ। ମୁଁ ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁଛି କେହି ହେଲେ ଆମ ସାମ୍ନାରେ ଛିଡା ହୋଇ ପାରିବେନି। ଆମ ପାଖରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ସେନା ଅଛି, ଯାହାର ଅଧିକାଂଶ ଭାଗକୁ ମୁଁ ଗଢିଛି ଓ ସେବେଠାରୁ ଆମେ ଲଗାତାର ବିକାଶ କରିଚାଲିଛୁ। ଏହା ଦୁନିଆର ସବୁଠୁ ଶକ୍ତିଶାଳୀ ସେନା ଯାହାର କୌଣସି ମୁକାବିଲା ନାହିଁ।

ଇରାନ ଉପରେ ଆକ୍ରମଣ ଯୋଜନା
ରିପୋର୍ଟରେ କୁହାଯାଇଛି ଯେ ଆମେରିକା ନୌସେନାର ନାକାବନ୍ଦୀ କାରଣରୁ ଇରାନ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଛି। ଏଥି ମଧ୍ୟରେ ଆକ୍ସିଓସର ଏକ ରିପୋର୍ଟରେ ଯୁକ୍ତରାଷ୍ଟ୍ର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ) ଆଲୋଚନାରେ ଜାରି ଗତିରୋଧ ଭାଙ୍ଗିବା ପାଇଁ ଇରାନ ବିରୋଧରେ ଏକ ଛୋଟ କିନ୍ତୁ ଶକ୍ତିଶାଳୀ ଆକ୍ରମଣର ଯୋଜନା କରିଛି। ସେଣ୍ଟକମ ଏହି ଆକ୍ରମଣରେ ଇରାନର ଇନଫ୍ରାଷ୍ଟ୍ରକ୍ଚରକୁ ଟାର୍ଗେଟ କରିପାରେ। ଏହି ଆକ୍ରମଣର ଉଦ୍ଦେଶ୍ୟ ଇରାନ ଉପରେ ଆଲୋଚନା ଆରମ୍ଭ କରିବା ପାଇଁ ଚାପ ପକାଇବା। ଏଥିରେ ଟ୍ରମ୍ପଙ୍କ କହିବା କଥା ହେଉଛି ବୋମା ବର୍ଷାଠାରୁ ନାକାବନ୍ଦୀ ସବୁଠୁ ପ୍ରଭାବଶାଳୀ। ଏହି ନାକାବନ୍ଦୀ ଯୋଗୁ ଇରାନୀ ଜାହାଜ ଏବେ ଆଗକୁ ବଢି ପାରୁ ନାହାନ୍ତି।

Also Read..'ଆମେରିକାକୁ ହାର୍ଟ୍ ଆଟାକ୍ ଦେବ ଇରାନ, ତେହେରାନକୁ ଘେରିବ ୟୁଏସର ଡାର୍କ୍ ଇଗଲ' : ବୟାନବାଜି ବଢାଉଛି ମଧ୍ୟପ୍ରାଚ୍ୟରେ ଉତ୍ତେଜନା