ଭୁବନେଶ୍ଵର: କଂଗ୍ରେସ ପକ୍ଷରୁ MMDR ବିଲ୍‌-୨୦୨୬କୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ତୀବ୍ର ସମାଲୋଚନା। ମାନ୍ୟବର ପାର୍ଲାମେଣ୍ଟାରୀ ଆଫେୟାର୍ସ ମନ୍ତ୍ରୀ ଏହି ବିଲ୍‌ ସମ୍ପର୍କରେ ନା ପଢ଼ିଛନ୍ତି ନା ଭଲଭାବେ ଜାଣିଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ। ବିଲ୍‌ଟି ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ଦିନଠାରୁ ଓଡ଼ିଶା ଆର୍ଥିକ କ୍ଷତିରେ ପଡ଼ିବ ସ୍ପଷ୍ଟ ହୋଇଥିଲା ବୋଲି ଦଳ କହିଛି।

କଂଗ୍ରେସର ଅଭିଯୋଗ ଅନୁସାରେ, ଶାହା କମିଶନଙ୍କ ରିପୋର୍ଟ ଆଧାରରେ ରାଜ୍ୟ ପାଇବାକୁ ଥିବା ପ୍ରାୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ଆଉ ମିଳିବ ନାହିଁ। ଏହା ସହ MMDR ବିଲ୍‌ ଯୋଗୁଁ ରାଜ୍ୟ ସରକାରଙ୍କ ପ୍ରାୟ ୨୦ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ହେବ ବୋଲି ଦଳ ଦାବି କରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଖଣି ଖାତରୁ ରାଜ୍ୟ ସରକାର ୪୬ ହଜାର କୋଟି ଟଙ୍କା ରାଜସ୍ୱ ପାଇଥିବା ବେଳେ ଆଗାମୀ ଦିନରେ ଏହି ଆୟରେ ବଡ଼ ଧରଣର ହ୍ରାସ ଘଟିବ ବୋଲି କଂଗ୍ରେସ କହିଛି । ଏଥିସହ କେନ୍ଦ୍ରୀୟ ଯୋଜନାଗୁଡ଼ିକରେ ପୂର୍ବରୁ ୯୦:୧୦ ଅନୁପାତରେ ଅର୍ଥ ପ୍ରଦାନ ହେଉଥିବା ବେଳେ ବର୍ତ୍ତମାନ ତାହାକୁ ୬୦:୪୦ କରାଯାଉଥିବାରୁ ରାଜ୍ୟ ଉପରେ ଅଧିକ ଆର୍ଥିକ ଚାପ ପଡ଼ିବ ବୋଲି ଦଳ ଅଭିଯୋଗ କରିଛି। ମନରେଗା ଯୋଜନାରେ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଅର୍ଥ ଫେରିଯାଉଛି ବୋଲି କହିଛି କଂଗ୍ରେସ।

MMDR ଆଇନ ଫଳରେ ଆଦିବାସୀ ଓ ଦଳିତ ସମ୍ପ୍ରଦାୟ ଅଧିକ ପ୍ରଭାବିତ ହେବେ ଏବଂ ସେମାନଙ୍କ ଅଧିକାର କ୍ଷୁଣ୍ଣ ହେବ ବୋଲି କଂଗ୍ରେସ ଆଶଙ୍କା ପ୍ରକାଶ କରିଛି। ଏନେଇ ଦୁଇ ଦିନିଆ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବା ପାଇଁ କଂଗ୍ରେସ ବିଧାୟକ ଦଳ ଓ ପ୍ରଦେଶ କଂଗ୍ରେସ ସଭାପତି ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ । ସର୍ବଦଳୀୟ ବୈଠକ ସମାପ୍ତ ହୋଇଥିବା ବେଳେ MMDR ବିଲ୍‌ ପ୍ରତ୍ୟାହାର ନ କରାଗଲେ ଆଗାମୀ ଦିନରେ ଶାସକ ଦଳର ସାଂସଦ ଓ ବିଧାୟକମାନଙ୍କ ଘର ଘେରାଉ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଖୁବ୍ ଶୀଘ୍ର ଏନେଇ କାର୍ଯ୍ୟକ୍ରମର ତାରିଖ ଘୋଷଣା କରାଯିବ ବୋଲି କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି।