ମୁମ୍ବାଇ: ପାକିସ୍ତାନ କ୍ରିକେଟର ପୂର୍ବତନ ଦିଗ୍ଗଜ କ୍ୟାପ୍ଟେନ ତଥା ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାଖାପାଖି ୩ ବର୍ଷ ହେଲା ଜେଲରେ ବନ୍ଦୀ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି। ନିକଟରେ ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କିଛି ଘଣ୍ଟା ପରେ ତାଙ୍କୁ ପୁଣି ଜେଲକୁ ଫେରାଇ ନିଆଯାଇଛି। ଏହି ଘଟଣା ଇମ୍ରାନଙ୍କ ସମର୍ଥକଙ୍କୁ ଚିନ୍ତାରେ ପକାଇ ଦେଇଛି। ଏବେ ବିଶ୍ୱ କ୍ରିକେଟର ୨୧ ଜଣ ପୂର୍ବତନ କ୍ୟାପ୍ଟେନ ଇମ୍ରାନ ଖାନଙ୍କ ଲାଗି ସ୍ୱର ଉତ୍ତୋଳନ କରିଛନ୍ତି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ପତ୍ର ଲେଖିଛନ୍ତି।

ଏହା ପୂର୍ବରୁ ପାଖାପାଖି ୬ ମାସ ପୂର୍ବେ ୧୪ ଜଣ ଦିଗ୍ଗଜ କ୍ରିକେଟ କ୍ୟାପ୍ଟେନ ପାକିସ୍ତାନ ସରକାରଙ୍କୁ ପତ୍ର ଲେଖିଥିଲେ। ସେଥିରେ ସେମାନେ ଇମ୍ରାନଙ୍କ ଲାଗି ଉଚିତ ଚିକିତ୍ସା ଦାବି କରିଥିଲେ। ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଅଗଷ୍ଟ ୨୩ରେ ଲେଖାଯାଇଥିବା ପତ୍ରରେ ଇମ୍ରାନଙ୍କ ପ୍ରତି ମାନବୀୟ ବ୍ୟବହାର ଓ ଚିକିତ୍ସକୀୟ ଯତ୍ନ ପାଇଁ ନିବେଦନ କରିଛନ୍ତି। ପତ୍ରରେ ଲେଖାଯାଇଛି ପ୍ରିୟ ପ୍ରଧାନମନ୍ତ୍ରୀ ୬ ମାସ ପୂର୍ବେ ବିଶ୍ୱର ୧୪ ଜଣ ପୂର୍ବତନ କ୍ରିକେଟ କ୍ୟାପ୍ଟେନ ଆପଣଙ୍କୁ ଓ ପାକିସ୍ତାନ ସରକାରଙ୍କୁ ପତ୍ର ଲେଖିଥିଲେ। ଇମ୍ରାନ ଖାନଙ୍କ ସହିତ ଆମର ଅତୁଟ ବନ୍ଧନ ରହିଛି ଯାହା ସୀମା ଓ ବିବାଦକୁ ପଛରେ ପକାଉଛି ଏବେ ଆମେ ଆଉ ୭ ପୂର୍ବତନ କ୍ରିକେଟ କ୍ୟାପ୍ଟେନ ପୁଣିଥିରେ ଆପଣଙ୍କୁ ପତ୍ର ଲେଖୁଛୁ।

ଏହି ୨୧ ଜଣ କ୍ୟାପ୍ଟେନଙ୍କ ମଧ୍ୟରେ ଭାରତର ପୂର୍ବତନ ଦିଗ୍ଗଜ କ୍ରିକେଟ କ୍ୟାପ୍ଟେନ କପିଲ ଦେବ, ମହାନ କ୍ରିକେଟର ସୁନିଲ ଗାଭାସ୍କର, ମାଇକେଲ ଅଥର୍ଟନ, ଏଲେକ୍ସ ବ୍ଲାକୱେଲ, ଏଲନ ବର୍ଡର, ମାଇକେଲ ବ୍ରେୟର୍ଲି, ଗ୍ରେଗ୍ ଚ୍ୟାପେଲ, ବେଲିଣ୍ଡା କ୍ଲାର୍କ, ନିକଞ୍ଜ ଦେଶମାନ୍ୟ, ଅର୍ଜୁନ ରଣାତୁଙ୍ଗା, ସାର ଏଣ୍ଡ୍ର୍ୟୁ ଟ୍ରସ୍, ସାର ଏଲିଷ୍ଟେୟର କୁକ୍ , ଲି ଜର୍ମାନ, ଏଡମ ଗିଲକ୍ରିଷ୍ଟ, ଡେଭିଡ ଗୋଭର, କିମ୍ ହ୍ୟୁଜେସ୍, ନାସିର ହୁସେନ, ସାର କ୍ଲାଇଭ ଲୟଡ, ଦିଲୀପ ଭେଙ୍ଗସରକାର, ଷ୍ଟିଫେନ ୱ ଏବଂ ଜନ ରାଇଟ୍ ଆଦି ଅଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଆଦେଶ ଗୃହୀତ କରିଥିଲେ। ଏହି ଆଦେଶରେ ଏକ ଚିକିତ୍ସକୀୟ କମିଟି ତାଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରିବେ। ଏଥିରେ ତାଙ୍କ ବ୍ୟକ୍ତିଗତ ଡାକ୍ତର ଓ ଭଉଣୀ ଡା.ଉଜମା ଖାନଙ୍କୁ ସାମିଲ କରିବାକୁ କୁହାଯାଇଥିଲା। କୋର୍ଟ ଇମ୍ରାନ ଖାନଙ୍କ ପରିବାର ସଦସ୍ୟଙ୍କୁ ସାପ୍ତାହିକ୍ ଭେଟ କରିବାକୁ ମଧ୍ୟ ଅନୁମତି ଦେଇଥିଲେ। ତେବେ ତାଙ୍କୁ ମାତ୍ର କିଛି ସମୟ ହସ୍ପିଟାଲରେ ରଖା ଯାଇଥିଲା ପରେ ଇମ୍ରାନଙ୍କୁ ପୁଣି ଜେଲକୁ ଫେରାଇ ନିଆଯାଇଛି। ତେବେ ଇମ୍ରାନଙ୍କ ପରିବାର ଓ ତାଙ୍କ ଲିଗାଲ ଟିମ୍ ଏହାକୁ କୋର୍ଟଙ୍କ ଅବମାନନା ବୋଲି କହିଛନ୍ତି।