ନୂଆଦିଲ୍ଲୀ: ସୀମା ନିର୍ଦ୍ଧାରଣ ବା ଡିଲିମିଟେସନ୍ ଏବଂ ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲକୁ ସମର୍ଥନ ନ କରିବାକୁ ଡିଏମ୍‌କେକୁ ବୁଝାଇ ବିଫଳ ହେଲା କଂଗ୍ରେସ। ବରଂ ଓଲଟି ଡିଏମକେ କଂଗ୍ରେସକୁ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଛି। ଷ୍ଟାଲିନଙ୍କ ଠାରୁ ସବୁ ଶୁଣି ସାରିବା ପରେ କଂଗ୍ରେସ ବି ଡିଏମକେର ଦାବି ଉପରେ ଏକମତ ହୋଇଛି ବୋଲି ଦଳର ଆଇଟି ବିଭାଗ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛି।

ଷ୍ଟାଲିନଙ୍କୁ ବୁଝାଇବା ପାଇଁ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଏବଂ ତିନିଜଣ ମୁଖ୍ୟମନ୍ତ୍ରୀ ଯାଇଥିଲେ। ହେଲେ ବୈଠକରେ ଡିଏମକେ ନ୍ୟାୟସଙ୍ଗତ ସୀମା ନିର୍ଦ୍ଧାରଣ' ନେଇ ନିଜ ଦାବି ଉପରେ ଅଟଳ ରହିଥିଲା। ତେବେ କାହିଁକି ଦଳ ଏହି ପ୍ରଶଙ୍ଗରେ ଆଭିମୁଖ୍ୟ ନରମ କରିବାକୁ ଚାହୁଁନି ସେ ନେଇ ଷ୍ଟାଲିନ୍ ସମସ୍ତଙ୍କୁ ବୁଝାଇ ଦେଇଥିଲେ।ବୈଠକ ପରେ ଡିଏମକେର ଆଇଟି ୱିଙ୍ଗ୍ ପକ୍ଷରୁ ସୋସିଆଲ ମିଡିଆରେ ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଡିଲିମିଟେସନ୍ ଉପରେ ଦଳର ମତ ଜାଣିବା ପାଇଁ କଂଗ୍ରେସ ନେତାମାନେ ଷ୍ଟାଲିନଙ୍କୁ ଭେଟିଥିଲେ। ଏହି ଅବସରରେ ଦଳର ସୁପ୍ରିମ ଷ୍ଟାଲିନ ଡିଏମକେ ସାଂସଦମାନଙ୍କ ବୈଠକରେ ଗୃହୀତ ପ୍ରସ୍ତାବ ଓ ପ୍ରସଙ୍ଗରେ ଦଳ ଚଳାଇଥିବା ଆନ୍ଦୋଳନ ସମ୍ପର୍କରେ କଂଗ୍ରେସ ନେତାଙ୍କୁ ଅବଗତ କରାଇଥିଲେ।

Also Read- ମହିଳା ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ବିଲ୍କୁ ମିଳିବ ୩୭୧ରୁ ଅଧିକ ସାଂସଦଙ୍କ ସମର୍ଥନ: ସିଇସି ହେବେନି ପ୍ୟାନେଲ୍ ହେଡ୍: ସରକାରୀ ସୂତ୍ରରୁ ସୂଚନା

ତେବେ କଂଗ୍ରେସ ନେତାମାନେ ଡିଏମକେର ଆଭିମୁଖ୍ୟକୁ ଗ୍ରହଣ କରିଛନ୍ତି। ତେଣୁ ସୀମାନିର୍ଦ୍ଧାରଣ ପ୍ରସଙ୍ଗରେ ଦଳ ନିଜ ନିଷ୍ପତ୍ତିରୁ ଓହରିବ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ତେବେ ବୈଠକରେ ଅନ୍ୟ କେତେକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଛି। ବୈଠକ ପରେ ଷ୍ଟାଲିନ ବିଲ ସମ୍ପର୍କରେ ଏକ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଏହି ବିଲ୍ ଫେଲ୍ ହୁଏ ତେବେ ତାମିଲନାଡୁ ବର୍ତ୍ତମାନ ପାଇଥିବା ଆସନ ଅଂଶ ମଧ୍ୟ ହରାଇପାରେ। ଏହି ଆଶଙ୍କା ଦର୍ଶାଇ ସେ ଦଳର ଆଭିମୁଖ୍ୟକୁ ଯଥାର୍ଥ ବୋଲି କଂଗ୍ରେସ ନେତାଙ୍କୁ ବୁଝାଇଛନ୍ତି।

କାହିଁକି ନ୍ୟାୟ ସଂଗତ ସୀମା ନିର୍ଦ୍ଧାରଣ ଚାହୁଁଛି ଡିଏମକେ ?

ଡିଏମକେର ଭୟ ହେଉଛି ଡିଲିମିଟେସନ୍ ଯୋଗୁ ତାମିଲନାଡୁର ଲୋକସଭାରେ ପ୍ରତିନିଧିତ୍ୱ ହ୍ରାସ ପାଇପାରେ। ପୂର୍ବରୁ ଦଳ ଆକଳନ କରିଥିଲା ଯେ ଡିଲିମିଟେସନ୍ ପରେ ତାମିଲନାଡୁର ଲୋକସଭା ଆସନ ସଂଖ୍ୟା ୩୯ରୁ ହ୍ରାସ ପାଇ ୩୧ କିମ୍ବା ୩୨ ହୋଇଯିବ। ଏପରି ହେଲେ ସଂସଦରେ ରାଜ୍ୟର ଅଂଶ ୫.୭୧ରୁ ୫.୮୯ ପ୍ରତିଶତ ମଧ୍ୟରେ ରହିପାରେ ବୋଲି ଦଳ କହିଥିଲା। ସେହିପରି ୨୦୨୭ ଜନଗଣନା ପରେ ରାଜ୍ୟର ପ୍ରତିନିଧିତ୍ୱ ହ୍ରାସ ପାଇପାରେ ବୋଲି ମଧ୍ୟ ଦଳ ଆଶଙ୍କା କରୁଛି। ତେବେ ବର୍ତ୍ତମାନ ଦଳ କାହିଁକି ଏହି ବିଲ୍ ସପକ୍ଷରେ ଅଛି ସନେଇ ମଧ୍ୟ ସ୍ପଷ୍ଟ କରିଛି।

ଦଳ ଅନୁସାରେ, ଯଦି ନୂଆ ଡିଲିମିଟେସନ ପାସ ହେଲା ତେବେ ତାମିଲନାଡୁର ଲୋକସଭା ଆସନ ସଂଖ୍ୟା ୫୯କୁ ବୃଦ୍ଧି ପାଇବା ସହିତ ବର୍ତ୍ତମାନର ଅଂଶ ସୁରକ୍ଷିତ ରହିପାରିବ। ରାଜ୍ୟର ସଂସଦୀୟ ଅଂଶୀଦାରିତା ସର୍ବାଧିକ ୭.୨୩ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିବ ବୋଲି ଦଳର ଦାବି। ଏହା ସହ ପ୍ରସ୍ତାବିତ ବ୍ୟବସ୍ଥାରେ ୨୦୫୧ ପର୍ଯ୍ୟନ୍ତ, ଅର୍ଥାତ୍ ଆଗାମୀ ୨୫ ବର୍ଷ ଯାଏଁ ତାମିଲନାଡୁର ଲୋକସଭା ଆସନ ସଂଖ୍ୟା ହ୍ରାସ ନ ପାଇବା ନେଇ ସୁରକ୍ଷା ମିଳିପାରିବ ବୋଲି ଦଳ ଭାବୁଛି।