ନୂଆଦିଲ୍ଲୀ: ସୋମବାର ଲୋକସଭାରେ ଆଗତ ହେବ କେନ୍ଦ୍ର ସରକାରଙ୍କର ସୀମା ନିର୍ଦ୍ଧାରଣ ବା ଡିଲିମିଟେସନ୍ ଏବଂ ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ। ଏହି ବିଲକୁ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାରେ ଜୋରସୋରରେ ଲାଗିପଡ଼ିଛନ୍ତି କେନ୍ଦ୍ର ସରକାର। କଂଗ୍ରେସର ବଡ଼ ବଡ଼଼ ସହଯୋଗୀ ଝାଡ଼ଖଣ୍ଡର ଜେଏମଏମ, ତାମିଲନାଡୁର ଡିଏମକେ, ମହାରାଷ୍ଟ୍ର ଶରଦ ପାୱାରା ଏନସିପି ବିଲକୁ ସମର୍ଥନ ଦେବେ ବୋଲି ସଂକେତ ଦେଇସାରିଲେଣି।

ଏପଟେ ବିଲକୁ ସମର୍ଥନ ନ ଦେବାକୁ କଂଗ୍ରେସ ଓ ଟିଏମ୍ସି ସହଯୋଗୀ ବିରୋଧୀମାନଙ୍କ ମନାଇବାରେ ଲାଗିପଡ଼ିଛନ୍ତି। ହେଲେ ବିଲକୁ ୩୭୧ ଜଣ ସାଂସଦ ସମର୍ଥନ କରିବେ ବୋଲି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଶା ରଖିଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

ସରକାରଙ୍କ ଆକଳନ ଅନୁଯାୟୀ, ଲୋକସଭାରେ ୫୪୦ ଜଣ ସାଂସଦ ଭୋଟ୍ ଦେଲେ ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ପାଇଁ ୩୬୦ଟି ଭୋଟ୍ ଆବଶ୍ୟକ ହେବ। ଏହି ହିସାବରେ ସରକାରଙ୍କ ପାଖରେ ୧୧ଟି ଭୋଟର ଅତିରିକ୍ତ ସମର୍ଥନ ରହିବ ବୋଲି ଆକଳନ କରାଯାଇଛି। ସମ୍ବିଧାନ ସଂଶୋଧନ ବିଲ୍ ପାସ୍ ପାଇଁ ଗୃହର ମୋଟ ସଦସ୍ୟ ସଂଖ୍ୟାର ଅଧିକାଂଶ ଏବଂ ଉପସ୍ଥିତ ଓ ଭୋଟ୍ ଦେଉଥିବା ସଦସ୍ୟଙ୍କ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ। ଏହାପରେ ରାଜ୍ୟସଭାର ଅନୁମୋଦନ ମଧ୍ୟ ଜରୁରୀ।

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନେଇ ରାହୁଲଙ୍କ ଅଭିଯୋଗ ଖାରଜ

ସୀମା ନିର୍ଦ୍ଧାରଣ କମିଶନର ଗଠନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଶନିବାର ସେ ଅଭିଯୋଗ କରିଥିଲେ ଯେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ କମିଶନର ସଦସ୍ୟ ରହିବେ ଏବଂ ତୃତୀୟ ସଦସ୍ୟଙ୍କୁ ଚୟନ କରିବେ। ଏହାଦ୍ୱାରା ବିଜେପି ନିଜ ସୁବିଧା ଅନୁଯାୟୀ ନିର୍ବାଚନମଣ୍ଡଳୀର ସୀମା ପରିବର୍ତ୍ତନ କରିପାରିବ ବୋଲି ସେ କହିଥିଲେ। ତେବେ ସରକାରୀ ସୂତ୍ର ରାହୁଲଙ୍କ ଅଭିଯୋଗକୁ ଖାରଜ କରି ଏହାକୁ 'ସମ୍ପୂର୍ଣ୍ଣ ମିଥ୍ୟା' ବୋଲି କହିଛି।

Also Read- ନୂଆ ନିୟମ ଲାଗୁ: ମାସକୁ ୫ ଥର ଏଟିଏମ୍ ଉଠାଣ ମାଗଣା, ଏହାପରେ ପଡ଼ିବ ୨୩ ଟଙ୍କା ଚାର୍ଜ, ଲିମିଟ ଶେଷ ହେଲେ ଆଲର୍ଟ ମେସେଜ୍

ସଂଶୋଧିତ ବିଲ୍ ଅନୁଯାୟୀ, ସୁପ୍ରିମକୋର୍ଟର କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତି କମିଶନର ଅଧ୍ୟକ୍ଷ ହେବେ। ଦ୍ୱିତୀୟ ସଦସ୍ୟ ଭାବେ ମୁଖ୍ୟ ନିର୍ବାଚନ କମିଶନର ନିଜେ ରହିପାରିବେ କିମ୍ବା ଅନ୍ୟ ଜଣେ ନିର୍ବାଚନ କମିଶନରଙ୍କୁ ମନୋନୀତ କରିପାରିବେ। ତୃତୀୟ ସଦସ୍ୟ ଭାବେ ସମ୍ପୃକ୍ତ ରାଜ୍ୟର ରାଜ୍ୟ ନିର୍ବାଚନ କମିଶନର ରହିବେ।

ଏହା ସହ ପ୍ରତ୍ୟେକ ରାଜ୍ୟରୁ ୫ ଜଣ ବିଧାୟକ ଏବଂ ସର୍ବାଧିକ ୫ ଜଣ ଲୋକସଭା ସାଂସଦଙ୍କୁ ସହଯୋଗୀ ସଦସ୍ୟ ଭାବେ ସାମିଲ କରାଯିବ। ସମ୍ପୃକ୍ତ ବିଧାନସଭା ଓ ଲୋକସଭାର ବାଚସ୍ପତି ସେମାନଙ୍କୁ ମନୋନୀତ କରିବେ। ତେବେ ଏହି ସହଯୋଗୀ ସଦସ୍ୟମାନଙ୍କର ଭୋଟ୍ ଦେବାର ଅଧିକାର ରହିବ ନାହିଁ।

ସୀମା ନିର୍ଦ୍ଧାରଣ ପାଇଁ ଲାଗିପାରେ ଅଢ଼େଇ ବର୍ଷ

ଲୋକସଭା ଏବଂ ବିଧାନସଭା ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ ଏକକାଳୀନ କରାଯିବ। ଏଥିପାଇଁ ପ୍ରଥମେ ପ୍ରସ୍ତାବିତ ସୀମା ପ୍ରକାଶ କରାଯିବ। ଏହା ଉପରେ ଜନସାଧାରଣଙ୍କ ଆପତ୍ତି ଓ ଅଭିଯୋଗ ଶୁଣିବା ସହ ସାର୍ବଜନୀନ ଶୁଣାଣି ମଧ୍ୟ କରାଯିବ।

ସରକାରୀ ସୂତ୍ର ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ ପ୍ରାୟ ୨ରୁ ଅଢ଼େଇ ବର୍ଷ ସମୟ ଲାଗିପାରେ। ସମ୍ବିଧାନର ଅନୁଚ୍ଛେଦ ୮୧ ଓ ୮୨ ଅନୁଯାୟୀ ଜନସଂଖ୍ୟା ପରିବର୍ତ୍ତନକୁ ଆଧାର କରି ସମୟ ସମୟରେ ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ କରିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ଯୁକ୍ତି ରଖିଛନ୍ତି।