ମୁମ୍ଵାଇ ୦୨।୧୦; ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ମରାଠୀ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ ଗୋବିନ୍ଦାଙ୍କ ନାଁ ଯୋଡ଼ାଯିବା ପରେ ମାମଲା ଆଲୋଚନାକୁ ଆସିଥିଲା । ଏବେ ଏହି ପ୍ରସଙ୍ଗରେ ପୁଣି ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର । ଇନଷ୍ଟାଗ୍ରାମ୍ ଷ୍ଟୋରୀରେ କାହାର ନାଁ ନନେଇ ସେ କରିଛନ୍ତି ଏକ ଲମ୍ବା ପୋଷ୍ଟ । ସିନ୍ଦୂର, ଧାର୍ମିକ ସ୍ଥଳ ଓ ସାମାଜିକ ମର୍ଯ୍ୟାଦାକୁ ନେଇ ଦିବ୍ୟାଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାରେ ।

ଏବେ ଏହି ପ୍ରସଙ୍ଗରେ ପୁଣି ଚର୍ଚ୍ଚାକୁ ଆସିଛି ଦିବ୍ୟା ଖୋସଲା କୁମାରଙ୍କ ନୂଆ ପୋଷ୍ଟ । ଦିବ୍ୟା ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ କାହାର ନାଁ ନନେଇ ସାମାଜିକ ମର୍ଯ୍ୟାଦା ଓ ଧାର୍ମିକ ପ୍ରତୀକକୁ ନେଇ ନିଜର ମତ ରଖିଛନ୍ତି । ଦିବ୍ୟାଙ୍କ କହିବା ଅନୁସାରେ, ବ୍ୟକ୍ତିଗତ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ ନିଷ୍ପତ୍ତି ନେଇପାରନ୍ତି । କିନ୍ତୁ ସାମାଜିକ ମର୍ଯ୍ୟାଦା ବଜାୟ ରଖିବା ମଧ୍ୟ ଜରୁରୀ । ଧାର୍ମିକ ସ୍ଥଳରେ ଜଣେ ମହିଳାଙ୍କ ସିନ୍ଥିରେ ସିନ୍ଦୂର ଲାଗିବା ପ୍ରସଙ୍ଗ ଉଠାଇ ଦିବ୍ୟା ପ୍ରଶ୍ନ କରିଛନ୍ତି -ସିନ୍ଦୂରର ମହତ୍ତ୍ୱକୁ ଆପଣ ବୁଝିଛନ୍ତି କି? ଜଣେ ଝିଅ ଆପଣଙ୍କ ସହ କୌଣସି ଧାର୍ମିକ ସ୍ଥଳକୁ ଯାଉଛି ଏବଂ ଏପରି ଢଙ୍ଗରେ ନଇଁ ପଡ଼ୁଛି ଯେ ତା’ ସିନ୍ଥିରେ ସିନ୍ଦୂର ଲାଗି ଯାଉଛି, ଯାହାଦ୍ୱାରା ମିଡିଆକୁ ସେହି କପଲ୍ ବିଷୟରେ ଏଭଳି ଖବର ପ୍ରସ୍ତୁତ କରିବାକୁ ସୁଯୋଗ ମିଳୁଛି ... ସତରେ.... ଆପଣ କାହାକୁ ବୋକା ବନାଉଛନ୍ତି?

ଦିବ୍ୟା ଆହୁରି ଲେଖିଛନ୍ତି, ଏହା ପରେ ସେମାନେ ଆପଣଙ୍କ ବ୍ୟକ୍ତିଗତ ଜୀବନର ନିଜସ୍ୱ କଥା ଉପରେ ମନ୍ତବ୍ୟ ଦେଉଛନ୍ତି । ଆପଣ ଭାବୁଛନ୍ତି କି, ଏହା କୌଣସି ମଜାକ ? ଅନ୍ତତଃ ନିଜର ଏଜେଣ୍ଡା ପାଇଁ ଆମ ଧର୍ମକୁ ବ୍ୟବହାର କରିବା ବନ୍ଦ କରନ୍ତୁ । ଆପଣ ସିନ୍ଦୂରର ମହତ୍ତ୍ୱ ବୁଝିଛନ୍ତି କି ? ଯାହା ଜଣେ ବିବାହିତା ହିନ୍ଦୁ ନାରୀର ସବୁଠାରୁ ଶକ୍ତିଶାଳୀ ପ୍ରତୀକ... । ଏଭଳି କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ସେଲେବ୍ସ ମାନଙ୍କୁ ଦେଖି ବହୁତ ନିରାଶ ଲାଗୁଛି ।

ସୂଚନା ଯେ, ଏହା ପୂର୍ବରୁ ମଧ୍ୟ ଦିବ୍ୟା ଖୋସଲା କୁମାର ଏକ ଲମ୍ବା ଚଉଡ଼ା ପୋଷ୍ଟ ସେୟାର କରି ଥିଲେ । ସେହି ପୋଷ୍ଟରେ ଦିବ୍ୟା ଲେଖିଥିଲେ, ଏତେ ସବୁ ଜିନିଷ ଦେଖୁଛି, ସେଥିପାଇଁ ଏହାକୁ ନିଜ ଭିତରେ ରଖି ପାରିଲି ନାହିଁ । ଆମ ସମାଜରେ ପୂର୍ବରୁ ମହିଳାମାନେ, ପୁରୁଷଙ୍କ ଶ୍ରମିକ ଥିଲେ । ବର୍ଷ ବର୍ଷ ଧରି ଆମ ଅଜା ଆଈମାନେ ନିଜ ଝିଅମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ, ପଢ଼ାଇବା ପାଇଁ ଓ ନିଜ ପାଦରେ ଠିଆ କରାଇବା ପାଇଁ ଅନେକ ପରିଶ୍ରମ କରିଛନ୍ତି, ଯାହା ଦ୍ୱାରା ମହିଳାମାନେ ପୁରୁଷଙ୍କ ଶ୍ରମିକ ହୋଇ ରହିବେ ନାହିଁ । କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଯାହା ଘଟୁଛି, ତାହା ମୋ ମନରେ ପ୍ରଶ୍ନ ସୃଷ୍ଟି କରୁଛି ।